Unknown

 

 

 

 

 

 

 

 

 

ସାରଳା ମହାଭାରତ ସ୍ୱର୍ଗାରୋହଣ ପର୍ବ

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

୧.

ପ୍ରଜାଙ୍କଠାରୁ ଯୁଧିଷ୍ଠିରଙ୍କର ବିଦାୟ, ପରୀକ୍ଷିତଙ୍କୁ ରାଜନୀତି ଶିକ୍ଷା, ସୁବର୍ଣ୍ଣଚୁଡ଼ି ଓ କଳିଯୁଗ ବିବରଣ

୨.

ସୁହାସୀ କନ୍ୟା ଶିଖରେଶ୍ୱର ଶିବ ସେବାରେ ନିଯୁକ୍ତ, ଗୌରୀଗୋପାଳୁଣୀ ବେଶେ କୃତ୍ତିବାସ ଓ କୀର୍ତ୍ତୀବାସ ଦୈତ୍ୟଙ୍କୁ ସଂହାର

୩.

ଯୁଧିଷ୍ଠିରଙ୍କର ଉତ୍ତର ଦିଗ ତୀର୍ଥେ ଗମନ, ଅପ୍ରତିଷ୍ଠା ଡାକେଶ୍ୱରୀ ବିବରଣ ଅସ୍ତ୍ରଶସ୍ତ୍ରାଦି ତ୍ୟାଗ

୪.

ହିମବନ୍ତ ପର୍ବତେ ଦ୍ରୌପଦୀ, ସହଦେବ, ନକୁଳ, ଅର୍ଜୁନ ଓ ଭୀମଙ୍କର ତନୁତ୍ୟାଗ

୫.

ଯୁଧିଷ୍ଠିରଙ୍କ ନର୍କ ଦର୍ଶନ ଓ ଛୟାଣୋଇ ସହସ୍ରରାଜାଙ୍କ ମୁକ୍ତି

୬.

ଶ୍ୱାନ ରୂପେ ଧର୍ମଙ୍କର ପ୍ରବେଶ, ଯୁଧିଷ୍ଠିରଙ୍କର ଇନ୍ଦ୍ରଙ୍କ ସ୍ତବ, ବ୍ୟାଘ୍ରଦର୍ଶନ ଓ କଳିଯୁଗର ନିର୍ଯାତନା

୭.

ଯୁଧିଷ୍ଠିରଙ୍କର ଧର୍ମପରୀକ୍ଷା ଓ ସ୍ୱଶରୀରେ ସ୍ୱର୍ଗ ଗମନ

୮.

ପରିଶିଷ୍ଟ

Image

 

ପ୍ରଜାଙ୍କଠାରୁ ଯୁଧିଷ୍ଠିରଙ୍କର ବିଦାୟ, ପରୀକ୍ଷିତଙ୍କୁ ରାଜନୀତି ଶିକ୍ଷା, ସୁବର୍ଣ୍ଣଚୁଡ଼ି ଓ କଳିଯୁଗ ବିବରଣ

 

ୟେଥୁ ଅନନ୍ତରେ ବଇବସୁତ ମନୁ ରାଜା

ଅଗସ୍ତି ମୁନିଂକ ଚରଣେ କଲାକ ଦିବ୍ୟପୂଜା ।୧।

ଅଶ୍ୱମେଧ ଯାଗ କୃଷ୍ଣ ସ୍ୱର୍ଗାରୋହଣ ଉତ୍ତାରେଣ କଥା

କହିବା ଭୋ ଋଷି ମୋତେ ପାଣ୍ଡବଂକ ବ୍ୟବସ୍ଥା ।୨।

ଅଗସ୍ତି ବୋଇଲେ ହୋ ସାବଧାନେ ଶୁଣ

ମହାଭାରଥ ଅନ୍ତେ ଯେ ସ୍ୱର୍ଗ ଆରୋହଣ ।୩।

କଥୟନ୍ତି ମହାତମା ଅଗସ୍ତି ପୁରାଣ ବ୍ରହ୍ମଋଷି

କଳିଯୁଗ ପ୍ରବେଶ ଯେ ହୋଇଲାକ ଆସି ।୪।

ଅନୀତି ଗତିଲୋକେ ହେଲେ ଗରୁହଂସୀ

କଳିଯୁଗ ସିଦ୍ଧ ଯେ ଅଭୟେ ସୋମବଂଶୀ ।୫।

ଦ୍ରିଯୋଧନ ମାରି ରାଜ୍ୟ କଲେ କଳିଯୁଗର ମଧ୍ୟେ

ଆଠଶତ ବରଷ ହେଲା ୟେଣେ କୃଷ୍ଣ ଗଲେ ବଧେ ।୬।

କୃଷ୍ଣର ଗଲା ଉତ୍ତାରେ ବରଷ ଶତ ଦୁଇ

ରାଜ୍ୟ କରୁଛନ୍ତି ଯେ ପାଣ୍ଡବ ପାଞ୍ଚଭାଇ ।୭।

ୟେ କ୍ଷେତ୍ର ମହୀଭାର ରାଜ୍ୟର ସମ୍ପଦ

କେସନେକ ଯୁଝେଷ୍ଠି କଲେ ବନ ସଧ ।୮।

କହ ମହାମୁନି ମୋତେ ସ୍ୱର୍ଗ ଆରୋହଣ ବାଣୀ

ଅଗସ୍ତି ବୋଇଲେ ହୋ ଶୁଣ ନୃପମଣି ।୯।

ରାତ୍ର ପ୍ରଭାତେଣ ଆସ୍ତାନେ ବିଜୟେ ଦଣ୍ଡଧାରୀ

ଯୁଝେଷ୍ଠି ଦେବେ ସକଳ ଜନନ୍ତ ହକାରି ।୧୦।

ପାତ୍ରମନ୍ତ୍ରୀ ଅମନାତ୍ୟ ସନ୍ୟ ଯେ ପ୍ରୋହିତ

ରାଇଣ ବଚନ ଯେ ବୋଲନ୍ତି ଧର୍ମସୁତ ।୧୧।

ବାବୁ ତୁମ୍ଭେ ସକଳ ଜନେ ଶୁଣିମା ମୋରବାଣୀ

ଆମ୍ଭଂକୁ ସଖା ଥିଲେ ଦେବ ଚକ୍ରପାଣି ।୧୨।

କୃଷ୍ଣର ଅଭାବେ ଆମ୍ଭର କିସ ରାଜ୍ୟ

କହଇ ତୁମ୍ଭନ୍ତ ଯେବେ ଆମ୍ଭର ପୂର୍ବ କାର୍ଯ୍ୟ ।୧୩।

ଯେତେକ ଦୋଷ ତୁମ୍ଭନ୍ତ ଅଛଇ ମୁଂ କରି

କ୍ଷମାକରିବାକ ୟେବେ ସେ ଦୋଷ ମୋହୋରି ।୧୪।

ମୋହୋର ଅପମାନ ପାଇଲ ବହୁତ

ୟେ ଦୋଷ ମୋହୋର କ୍ଷମା କରିବା ସମସ୍ତ ।୧୫।

ସମସ୍ତ ଦୋଷ ମୋର କରିବା ଉପେକ୍ଷା

କିଞ୍ଚିତ ପୁଣ୍ୟେ ମୋର ବହୁତ ଧର୍ମ ବାଞ୍ଛା । ୧୬।

ମହତ୍ୱ ପ୍ରାଣୀମାନେ ନ ଘେନନ୍ତି ଦୋଷ

କିଞ୍ଚିତ ଲୋକେ ଯେ ବୁଝନ୍ତି ବିଶେଷ ।୧୭।

ମୋତେ ଆଜହୁଂ ତୁମ୍ଭେ ଉପେକ୍ଷା କରିବା

ପରୀକ୍ଷ ଅନୁମତେ ସକଳେ ରହିବା ।୧୮।

ଚନ୍ଦ୍ରେଣ ଯେସନେ ଅଟଇ ତାରା ଯେ ବିଦିତ

ତେସନେକ ହୋଇ ନରେ ତୁମ୍ଭର ନିୟତ ।୧୯।

ୟେ ମୋହୋର ଲକ୍ଷ୍ମୀ ଯେବେ ପରୀକ୍ଷକୁ ଦେଇ

ବନେଣ ଗମନ କରିବୁଂ ପଞ୍ଚୁଭାଇ ।୨୦।

ଯୁଝେଷ୍ଠି ବଚନ ଶୁଣି ସମସ୍ତ ବିସ୍ମୟ ମନ

ଆମ୍ଭନ୍ତ ଛାଡ଼ି ନୃପତି କାହିଂକି କରିବୁ ଗବନ ।୨୧।

ଆମ୍ଭେ ବନେ ଯାଇ ସମସ୍ତେ ତୁମ୍ଭନ୍ତ କରିବୁଂ ସେବା

ଅନୁରାଗ କେତେକ ଅଛଇ ଆଗ୍ୟାଂ ଦେବା ।୨୨।

ବଦୟନ୍ତି ଯୁଝେଷ୍ଠି ନିର୍ମଳ ୟେହୁ ବାଣୀ

ରାଜ୍ୟ କର ତୁମ୍ଭେ ପରୀକ୍ଷକୁ ଘେନି ।୨୩।

ମୋତେ ଯେତେ ଭଗତି ପରୀକ୍ଷକୁ ଦେବା

ତାହାର ଯେତେ ଦୋଷ କଲେ ମୋତେ ଉପେକ୍ଷିବା ।୨୪।

ପରୀକ୍ଷକୁ ରାଜ୍ୟ ଦିଲେ ହସ୍ତିନା ନଗରୀ

ପଞ୍ଚୁ କଟକ ମଧ୍ୟେ ୟେକାଙ୍ଗ ଦଣ୍ଡଧାରୀ ।୨୫।

ପାତ୍ର ବୃହସେନ ମନ୍ତ୍ରୀ ସୋମଦାସ

ରାଜ୍ୟର ସୁବିଧାନ କରନ୍ତି ସର୍ବ ଯଶ ।୨୬।

ପରୀକ୍ଷକୁ ତିଆରନ୍ତି ଦେବ ଧର୍ମ ଶିଷେ

ବାବୁ ପ୍ରଜା ପାଳିଲେ ବର୍ଦ୍ଧୁତ ହୋଅଇ ଯଶଶ୍ରୀ ଆୟୁଷେ ।୨୭।

ପରଜାକୁ ଯେବଣ ରାଜା ପାଳଇ ପୁତ୍ର ତୁଲେ

ଦେବ ଇନ୍ଦ୍ର ତହିଂ ପାଳଇଟି ଭଲେ ।୨୮।

ରାଜା ପାଳିଲେ ସେ ପରଜା ହୋଇ ସୁସ୍ତ

ପ୍ରଜା ପାଳନେ କୃଷି ଉପୁଜଇ ବହୁତ ।୨୯।

କୃଷି ଉପୁଜିଲେ ଭଣ୍ଡାର ହୋୟେ ପୁଷ୍ଟ

ଜଳଜନ୍ତୁମାନେ ନପାବନ୍ତି କଷ୍ଟ ।୩୦।

ଆପଣେ ଶ୍ରୀକରେ ମାପିଲେ ଯୁଝେଷ୍ଠି

ଅଷ୍ଟାଦଶ ହାଥ ହୋଇଲା ନଳ କାଠି ।୩୧।

ଦୀର୍ଘ ପଞ୍ଚବିଂଶ ପ୍ରତି ପଞ୍ଚବିଂଶ ନଳ ଉଠି

ୟେମନ୍ତ ଘନ କରନ୍ତେ ହୋଇବ ୟେ କବାଟି ।୩୨।

ୟେଥକୁ କର ଭିଆଣ କଲେ ସେଟି

ବାଟିକରେ ସଂଜା ଘେନିମ ୟେକ ଯେ ପଉଟି ।୩୩।

ଯୁଝେଷ୍ଠି ଦେବେ କହିଲେ ରାଜ୍ୟର ବିଧାନ

ଯତନେ କହିଲେ ସମସ୍ତ ରାଜ୍ୟର ସୁବିଧାନ କଥାମାନ ।୩୪।

ସୁଜନ ଦେଖିଲେ ନିଯୋଗ ଦେଉଥିବୁ

ଜୀବଥିବା ଯାୟେ ତାହାକୁ ନହୁଡ଼ିବୁ ।୩୫।

ତାହାର ଅନ୍ତରେ ଦେବୁ ପୁଅକୁ ଅଧିକାର

ଯଝେଷ୍ଠି ଦେବ ତିଆରିଲେ ଅନେକ ବେଭାର ।୩୬।

ସଂଚପି କହିଲେ ଯେ ଅନେକ ବିଧାନ

ଅନ୍ତ କରି ପାରିବାକି ପଠନ ଲେଖନ ।୩୭।

ୟେମନ୍ତର ସମୟେ ବଇତରଣୀ ନଦୀକୂଳେ

ବେଦପୁର ବୋଲି ଯେ ନଗ୍ର ପରିମଳେ ।୩୮।

ସେ ନଗ୍ରେ ସୁରେଶ୍ୱର ବୋଲିଣ ବ୍ରାହ୍ମଣ

ୟେକ ଦିନେ ପ୍ରବେଶ ହୋଇଲେ କୃଷି କର୍ମେଣ ।୩୯।

ତଡ଼ପା ବୋଲିଣ ତାହାର କିରିଷାଣ

ଲଙ୍ଗଳ ଘେନିଣ ସେ ଭୂମି କରଇ କରଷଣ ।୪୦।

ଲଙ୍ଗଳ ଫେଡ଼ିଲା ଉତ୍ତାରେ ପଣ୍ଡାୟେ ଦିଲେକ କୋଦାଳ

ଖେତର ଟିକର ଖାଲ କର ସମତୁଲ ।୪୧।

ୟେ ବୁଦା ହାଣିଣ ତୁ ପକାଅ ଭୂମିକି

ଖେତ ସମ୍ପୂର୍ଣ୍ଣ ହୋଉ ଭୂମି ହୋଉ ନିକି ।୪୨।

ଆଗ୍ୟାଂ ଦେଇ ବିଦୁ ଜନ ଗଲା ନିଜ ପୁରେ

ଖେଳାଇ କିରିଷାଣ ବୁଦାଇ ପକାଇ ଦୂରେ ଦୂରେ ।୪୩।

ହାଣନ୍ତେ ପାଷାଣେ ଯାଇ ବାଜିଲାକ କୋଡ଼ି

ପଥର କାଢ଼ନ୍ତେ ପାଇଲାକ ରତ୍ନ ଜାଲି ।୪୪।

ଧନ ଦେଖିଣ ସେ ମହା ବଳବନ୍ତା

ମଥାରେ ଘେନିଲା ସେ ଦୁଗୁଣ ଶକତା ।୪୫।

ମୁଣ୍ଡିଆଇ ପଣ୍ଡାଂକ ଛାମୁରେ ନେଇ ଦେଇ

ପଣ୍ଡାୟେ ବୋଇଲେ ନିଅ ଯା ତୋହୋର ଘରକଇଂ ।୪୬।

କୃଷି ସେ ଆମ୍ଭରନା ଅଟଇ ଯୁଗତେ

କର୍ମେ ସେ ଯେବେ ପାଇଲୁ ବେଭାର ଅଟଇ ତୋତେ ।୪୭।

ବୋଲଇ ତଡପା ଗୋସାଇଂ କହିଲ ଅନୀତି

ତୁମ୍ଭର ତୋଟା ବାସ୍ତୁ ତୁମ୍ଭର ବାଡ଼ିବୃତ୍ତି ।୪୮।

ତୁମ୍ଭର ଉପର ବଂଶେ କେବଣ ସାଧେବ

ଗୁପତେ ଥୋଇଲା ଆନ କେ ହରିବ ।୪୯।

ମୁହିଂ କୃଷିକାରୀ ଉପୁଜାଇବି ଚିତ୍ତ

ଧନ ମୋହୋର କିସ ମୁଲ୍ୟହିଂ ଯୁଗତ ।୫୦।

ଅନ୍ନବସ୍ର ବର୍ତ୍ତନ ହୁଅଇ ଯେତେ ମୋତେ

ତୁମ୍ଭର ଆୟେ ବିତ୍ତ ମୁଂ ନେମଇଂ କେମନ୍ତେ ।୫୧।

ବ୍ରାହ୍ମଣ ବୋଲଇ ତୁ ହୋ ଶୁଣସି ସମ୍ପାଦ

କୃଷାଣ ହୋଇ ମୋତେ କରଇ ଅପବାଦ ।୫୨।

ୟେହାର କର୍ମେ ସେ ଉପୁଜିଲା ବିତ୍ତ

ମୁହିଂ ୟେହା କେସନେକେ କରିବି ଗ୍ରାହିତ ।୫୩।

କିରିଷାଣ ବୋଇଲା ତୁମ୍ଭେ ପୁଣ୍ୟବନ୍ତ ଜନ

ୟେତେକ ଛନ୍ଦବନ୍ଧ ସେ ତୁମ୍ଭର ବଡ଼ପଣ ।୫୪।

ବାର ଚିନାବର୍ତ୍ତନେ ଅନ୍ନ ବସ୍ରେ ମୁଂ କାରେଣି

ରାଜାର ଛାମୁରେ ଯାଇଁ ଗୁହାରି କରିବି ୟେହିକ୍ଷଣି ।୫୫।

ବ୍ରାହ୍ମଣ ବୋଇଲା ବେଗେ ମଥାରେ ଘେନ ୟେହା

ରାଜାର ଛାମୁକୁ ଯିବା ଚାଲରେ ଦୋରେହା ।୫୬।

ଆହୋ ଚଇତନ ବ୍ରାହ୍ମଣ କରିଷାଣ ଦୁହିଂକର କଳି

ଧନ ଘେନି ଦୁହେଁ ଦେବଂକ ଛାମୁରେ ଯାଇଂ ମିଳି ।୫୭।

ସିଂଘଦ୍ୱାରେ ନେଇ ଥୋଇଲେକ ନିଧି

କିରିଷାଣ ବୋଇଲା ମୋତେ ହୋଇଲା ଅବିଧି ।୫୮।

ବ୍ରାହ୍ମଣ ବୋଇଲା ଦେବ ୟେ ମୋହୋର କିରିଷାଣ

ୟେ ମୋହୋର ଉପରେ ଦେଖାଉଛି ଛନ୍ଦୁଆଳ ପଣ ।୫୯।

ଗୋଳ ଶବଦ ଶୁଣି ବିଜେ କଲେ ଯୁଝେଷ୍ଠି

ଦେଖିଲେ ସିଂଘଦ୍ୱାରେ କଣୟ ଜାଲି ଗୋଟି ।୬୦।

ସୁରେଶ୍ୱର ବୋଇଲା ଦେବ ୟେ ମୋହୋର କିରିଷାଣ

କୋଦାଳ ଦେଇ ବୋଇଲି ୟେ ବୁଦାମାନେ ହାଣ ।୬୧।

ହାଣନ୍ତେ ତହିଂରୁ ପାଇଲା ୟେ ଅମୂଲ୍ୟ ରତ୍ନନିଧି

ଭୋ ଦେବ ରତ୍ନ ୟେହାର ହୋଇବନା ବିଧି ।୬୨।

ୟେତେ ଛନ୍ଦୁଆଳ ନିକି ଚଷାଲୋକ ହୋଇ

ୟେହାର ଅରଜିଲା ଧନ ହେ ମୋହୋର ଉପରେ ପକାଇ ।୬୩।

ଯୁଝେଷ୍ଠି ଦେବେ ବୋଇଲେ ଯେବେ ପାଇଲୁ ରତ୍ନଜାଲି

ଧନ ନ ନେଇ କିମ୍ପେ ବ୍ରାହ୍ମଣ ତୁଲେ ଦ୍ୱନ୍ଦକରି ।୬୪।

କିରିଷାଣ ବୋଇଲା ଦେବ ମୁଂ କରଇ ବେପାର

ଅନ୍ନବସ୍ର ବରତନ ହେଅଇ ସିନା ମୋର ।୬୫।

ଭୂମିରେ ଯେବଣ ହିଂ ଉପୁଜଇ ଆୟେ

ୟେହାଂକର ହୋଇ ସିନା ବିଚାର ଦେବରାୟେ ।୬୬।

ଯୁଝେଷ୍ଠି ବୋଇଲେ ହୋ ଅଧେ ଅଧେ କର

ବାଣ୍ଟି ନିଅ ଧନ ତୁମ୍ଭେ ବିଚାର ଆମ୍ଭର ।୬୭।

କିରିଷାଣ ବୋଇଲା ଦେବ ତୁମ୍ଭେ ସେ ଧର୍ମରାୟେ

ମୋହୋର ବେଳେତ ନେଇ ନୋହଇ ଚିନାୟେ ।୬୮।

ବ୍ରାହ୍ମଣ ବୋଇଲା ମୁଂ ଚିନାୟେ କିମ୍ପେ ନେବି

ୟେହୁ ଦୁଖେ ଅର୍ଜିଲା ମୁହିଂ କେସନେ ହରିବି ।୬୯।

ଶୁଣିଣ ଆଶ୍ରିଜ ହୋଇଲେ ଯୁଝେଷ୍ଠି ନୃପବର

ସହଦେବକୁ ବୋଇଲେ ୟେ କେବଣ ବିଚାର ।୭୦।

ସହଦେବ ବୋଇଲା ଦେବ ବୁଝିବା ୟେହିକ୍ଷଣି

ୟେଥିର ତଦନ୍ତ ମୁଂ ଅଛଇନା ଜାଣି ।୭୧।

ଶୁଣ ଦେବ ଯୁଝେଷ୍ଠିର ୟେଥିର ବ୍ୟବସ୍ଥା

କଳିଯୁଗ ପ୍ରବେଶ ହୋଇଲା ଶୁଣିମା ତଥ୍ୟ କଥା ।୭୨।

ଉଦିଯୋଗେ ଶ୍ରୀକୃଷ୍ଣ ହୋଇଗଲେ ଦୂତ

ସେହିଦିନୁଂ କଳିଯୁଗ ହୋଇଲା ଉଦିତ ।୭୩।

ହରିଅର୍ଜୁନର ଭୟେଣ ପଶିତ ନୁଆରିଲା

ମହାଭାରଥ ଯୁଦ୍ଧେ କଳି ପ୍ରବେଶ ହୋଇଲା ।୭୪।

ଆମ୍ଭର ସମୟେ ସୁଖଭୋଗ ନିମନ୍ତେ

କଳିକି ପଶି ନଦିଲେ ସହଦେବଜଗନ୍ନାଥେ ।୭୫।

ଆକାଶରେ ବାଣୀ ପଡ଼ିଲା ଶୁଣ ହେ ସହଦେବ

ଅନୀତି ପଡ଼ିବଟି ତୁମ୍ଭେ ନଥାଅ ୟେବ ।୭୬।

କୃଷ୍ଣ ଅଇଲେ ଅର୍ଜୁନ ନାହିଂ ସ୍ୱର୍ଗେ

ପୁଣ ଜାତ ହୋଇବନା କଳିଯୁଗ ଭୋଗେ ।୭୭।

ଯୁଝେଷ୍ଠି ଦେବ ଆକାଶେ ଯେ ନଇଲେ ନୋହଇ

ଧର୍ମରାଜା ନଥିଲେ ଆକାଶ ନ ଶୋହଇ ।୭୮।

ଆକାଶର ବାଣୀ ଶୁଣି ମନ୍ତ୍ରୀ ଉଦବେଗ

କଳିକାଳ ଫାଶି ଫେଇଦିଲେ କଳିଯୁଗ ।୭୯।

ୟେକା ନିମିଷକେ ସୟଳ ଜନ ଘୋଟି

ଲାଗିଲା ମାୟା ମୋହ ଘୋଟିଲା ଜନ ସୃଷ୍ଟି ।୮୦।

ସୁରେଶର ବ୍ରାହ୍ମଣ ବୋଇଲା ୟେ ଧନ ମୋହୋର ବୋଲି

ପଳା ଯାଅ ସାଧୁତ ବୋଲି କିରିଷାଣ ଦିଲା ପେଲି ।୮୧।

ବ୍ରାହ୍ମଣ ବୋଲଇ ଦେବ ତୁମ୍ଭେ ଯେ ଧର୍ମରାୟେ

କିରିଷାଣ ମାତ୍ର ହୋଇ ସାଧୁକୁ ବଳ କୟେ ।୮୨।

ବ୍ରାହ୍ମଣ କୋଳ କରି ଧରଇ ଯାଇଂ ଜରି

ବଳେଣ କିରିଷାଣ ଯେ ନିଆଇ ଉଛୁଡ଼ି ।୮୩।

ଦେଖିଣ ଯୁଝେଷ୍ଠି ନାଶିକାୟେ ଦିଲେ ହାଥ

ୟେହିକ୍ଷଣି ସହଦେବରେ ହୋଇଲା କେମନ୍ତ ।୮୪।

ସହଦେବ ବୋଇଲା ଯେଉଂ ଦିନୁଂ କୃଷ୍ଣ ଦୂତ ପଣେ ଗଲେ

ସେହିଦିନୁ କଳିଯୁଗ ପ୍ରବେଶ ହୋଇଲେ ।୮୫।

ମହାଭାରଥ ଯୁଦ୍ଧ ଯହୁଂ ଶେଷ ହୋଇଲା

ମୋତେ ହକାରି ଦେବ କୃଷ୍ଣ ଯେ ବୋଇଲା ।୮୬।

କାଳେକ ଯୁଝେଷ୍ଠି ଦେବ ବନେଣ ମହାଦୁଖୀ

ରାଜକୁମାର ହୋଇ ନୋହିଲେ କିଛି ସୁଖୀ ।୮୭।

ୟେତେ ବୋଲି ଦେବ କଳିଯୁଗ ବନ୍ଧନ କଲୁ ଆମ୍ଭେ

ସମୟେକ ସୁଖ ଭୋଗ ପାଇଲ ଦେବ ତୁମ୍ଭେ ।୮୮।

କଳିଯୁଗ ଫେଡ଼ନ୍ତେ ଦେବ ହୋଇଲା ୟେମନ୍ତ

ଯୁଝେଷ୍ଠି ବୋଇଲେ କିମ୍ପେ କଳିଯୁଗ ହୋଇବ ଅନିତ୍ୟ ।୮୯।

ପରୀକ୍ଷ ବୋଇଲେ ଦେବ ପୃଥୀରେ ଥିଲା ସୁନା

ବିଚାରିଲେ ଯୁଗତେ ୟେ ରାଜାର ଭଣ୍ଡାର ଧନ ସିନା ।୯୦।

ସାଧବ କିରିଷାଣ ଗଲେ ମନ ମୃଚ୍ଛି

ଭଣ୍ଡାରେ ଧନ ଥୋଇଲେ ଯୁଝେଷ୍ଠି ନ ବୋଇଲେ କିଛି ।୯୧।

ସହଦେବ ବୋଇଲା ଦେବ ଶୁଣିବା ସାବଧାନେ

କଳିଯୁଗର ଚରିତ ହୋଇବ ୟେମନ୍ତ ବିଧାନେ ।୯୨।

ଅନେକ କଷ୍ଟେ ପରଜାୟେ ଉପୁଜାଇବେ କୃଷି

ନାନା ଛନ୍ଦ ପାତି ରାଜା ନେମ ଦୁଇରାଶି ।୯୩।

ଯହୁଂ ସେ ଅବିଧି କରିବାକୁ ରାୟେ

ଇନ୍ଦ୍ର ବୃଷ୍ଟି ନ କରିବ ପୃଥୀ ନୋହିବ ଫଳଦାୟେ ।୯୪।

ପରଜା ଦୁଇ ରାଶି ନଅଣ୍ଟିବ ରାଜାକୁ

କଟାଳ କରିବେ ସେ ଦେବତା ବ୍ରାହ୍ମଣଂକୁ ।୯୫।

ରାଜା ହୋଇବେ ଶାଗୁଣା ପରଜା ହୋଇବେ ମଡ଼ା

ଠାବ ଠାବ ହୋଇ ସେ ଉଠିବାକ ପଡ଼ା ।୯୬।

ଶୂଦ୍ରକଇଂ ବ୍ରାହ୍ମଣେ ଯେ ମାଗିବେ ତଳହାଥେ

ନିତ୍ୟକର୍ମ ତେଜିବେ ଅନ୍ନ ଅଭ୍ୟାଗତେ ।୯୭।

ଆଚାର ତେଜି ବ୍ରାହ୍ମଣେ ହୋଇବେ ଅନାଚାରୀ

ରାଜସେବା କରିବେ ଯେ ଦଣ୍ଡପାଟ ଆବୋରି ।୯୮।

କୃଷି କର୍ମେଣ ଯେ ଦଳିବାକ ମହୀ

ଶହସ୍ର ଧରି ଶିର ଛେଦିବାକ ସେହି ।୯୯।

ବେଦମନ୍ତ୍ରମାନ ସେ ଯେ ହୋଇବ ଅଗ୍ରାହିଜ

ବ୍ରାହ୍ମଣ ସ୍ତିରୀ ଯୋନିରେ ଚାଣ୍ଡାଳେ ଦେବେ ବୀର୍ଯ୍ୟ ।୧୦୦।

ବିଧବା ବ୍ରାହ୍ମଣୀ ଯେ ହୋଇବେ ଅନ୍ୟାଚାରୀ

କୁଳସ୍ତିରୀମାନେ ଯେ ହୋଇବେ ଅଭିସାରୀ ।୧୦୧।

ବିଭାଇତ ପତ୍ନୀକି କରିବେ ଉପେକ୍ଷା

ବିଧବା ସ୍ତିରୀ ଘେନି କରିବେ କୁଳରକ୍ଷା ।୧୦୨।

ବିଧବା ରମଣେ ଯେ ପୁତ୍ର ହୋଇବାକ ଜାତ

ପିତାମାତାକଇଂ ସେ ନୋହିବେ ଭଗତ ।୧୦୩।

ସୁଖରେ ସ୍ତ୍ରୀ ରତି କରିବେ ଚାରି ଜାତି

ପୁତ୍ର ସାଧବ ପିତା ମରିବ ଅନ୍ନ ଶାସ୍ତି ।୧୦୪।

ଶାହାସ୍ର ନିନ୍ଦା କରିବେ କଳିଯୁଗ ଲୋକେ

ଭଣ୍ଡପଣ କରି ତହିଂ ବ୍ରତିବେ ଯେ ଥୋକେ ।୧୦୫।

କିଞ୍ଚିତ କଥାକୁ କଳି କରିବେ ବହୁତେ

ଦ୍ୱନ୍ଦେଣ ପ୍ରବର୍ତ୍ତ ହୋଇବେ ପିତା ପୁତ୍ରେ ।୧୦୬।

ପିତା ପୁତ୍ରପତ୍ନୀରେ ହୋଇବେ ୟେକ ସଙ୍ଗ

ସାବତ ପୁତ୍ରେ ମାତା ହୋଇବେ ରତିଯୋଗ ।୧୦୭।

ଆପଣାର ନିଜ ବୃତ୍ତି ଛାଡ଼ିବେ ଶକ୍ୟ ହୀନେ

ଶୃଙ୍ଗାର ଅନ୍ୟୋଅନ୍ୱି ହୋଇବେ ହାଦେ ଜନେ ।୧୦୮।

କଳିର ପ୍ରାନ୍ତକୁ ଯେ ହୋଇବେ ୟେକ ଯୋଗ

କଳିଯୁଗେ ଜନେ ପାଇବେ ହୀନ ଭୋଗ ।୧୦୯।

ବାମ ପୂଜ୍ୟ ଜନେ କରିବେ ଅକୀର୍ତ୍ତି

ବ୍ରାହ୍ମଣ ଚାଣ୍ଡାଳ ଯେ ୟେକତ୍ୱେ ମଦିରା ରସେ ଅର୍ଥୀ ।୧୧୦।

ସ୍ୱାମୀକି ସେବକ ଯେ ମାରିବାକ ବେଳେ

ଚଉର୍ଯ୍ୟ କର୍ମେ ବ୍ରତୀ ହୋଇବେ ବିକଳେ ।୧୧୧।

ମିଛହୁଂ ସତ ଜନେ ନକହିବ ବାଣୀ

ଓଛ ଲୋକେ ସିଂଘାସନେ ବସିବେ ପାତ୍ର ମନ୍ତ୍ରୀ ଜାଣି ।୧୧୨।

ପଛଶ୍ରାନ୍ତି ଲୋକଂକୁ ହୋଇବାକ ଦ୍ୱନ୍ଦ

ଅଦଭୁତେ ଲୋକକୁ ହୁଅଇ କୂଟଛନ୍ଦ ।୧୧୩।

ପରଧନ ଚଉର୍ଯ୍ୟେ ମରିବେ ଅନେକ ପ୍ରାଣୀ

ଅବିଚାରେ ରାଜା ଯେ ଅନେକ ଶିର ହାଣି ।୧୧୪।

ଆପଣାର ଭୂମି ଯେ କରିବେ ପରିତେଜ୍ୟା

ପରସୀମା ହରି ମରିବାକ ରାଜା ।୧୧୫।

ନିୟତ କ୍ରିୟା ଛାଡ଼ି ନରେ ହୋଇବେ ଅନ୍ୟାଚାରୀ

ଅଶଉଚ କର୍ମ ସେ ବ୍ରତିବେ ସଂସାରୀ ।୧୧୬।

ବାର ବ୍ରତ ତେଜିଣ ଅନୁବ୍ରତେ ଭୋଗୀ

ଅବିଚ୍ଛନେ ଶୃଙ୍ଗାରେ ଜନେ ହୋଇବାକ ରୋଗୀ ।୧୧୭।

ଗଉରବ ସ୍ତିରୀକି ଯେ କରିବେ ରମଣ

ସଂକ୍ରାନ୍ତି ଅମାବଇ ରାତ୍ରେ କରିବେ ଅନ୍ନ ଭୋଜନ ।୧୧୮।

ଜୂଅ ଆଚାରେ ଯେ ପୋଷିବେ କୁଟୁମ୍ବ

ନିଜ ଆଷ୍ୟ ଘେନି ଯେ କେହି ନ ବ୍ରତିବ ।୧୧୯।

ବିପ୍ର ଚାଣ୍ଡାଳ ଯେ ହୋଇବେ ୟେକତ୍ୱ

ଗୁରୁ ମାନିତ ଜନେ ଅନୁବ୍ରତେ ରତ ।୧୨୦।

ରାଜାକଇଂ ମାରିତେ ପାଞ୍ଚ କରିବେ ଅମନାତ୍ୟ

ସୁଜନେ ଅନ୍ୟାଚାର ଯେ କରିବେ ନିୟତ ।୧୨୧।

ବ୍ରାହ୍ମଣେ ତିଳଦାନ ଘେନିମାକ ହାଦେ ଲୋଭେ

ସଚରାଚରେ ଗୋଳକୁଣ୍ଡା ହୋଇବେ ଠାବେ ଠାବେ ।୧୨୨।

ସନ୍ତାନ ନିମନ୍ତେ ବ୍ରାହ୍ମଣୀ ଶୁଦ୍ର ସଙ୍ଗେ ରତ

ସେ ଚାଣ୍ଡାଳ ପୁତ୍ରେ ହୋଇବେ ବେଦ ପାରଗ ନିୟତ ।୧୨୩।

ଅନେକ ଅନ୍ୟାୟ ଯେ ହୋଇବ କଳିଯୁଗେ

ସହଦେବ କହିଲେ ଯୁଝେଷ୍ଠିଦେବଂକର ଆଗେ ।୧୨୪।

ଧର୍ମ ଆଚାରେ ୟେ ବ୍ରତିବାକ ଜନ

ତାହାକଇଂ ନ ମିଳିବ ଅନ୍ନ ବସ୍ର ଧନ ଯେ ସନ୍ତାନ ।୧୨୫।

ବୋଲନ୍ତି ଯୁଝେଷ୍ଠି ୟେତ ବଡ଼ାଇ ଅନିର୍ଯ୍ୟାପ

ୟେ ଭୂମିରେ ଥାଇଂ କିମ୍ପେ ବାବୁ ଅରଜିବା ପାପ ।୧୨୬।

ସହଦେବ ମୁଖୁଂ କଳିର ବାକ୍ୟଶୁଣି

ପରୀକ୍ଷକୁ ତିଆରିଣ ଯୁଝେଷ୍ଠି ଅନକୂଳ ଘେନି ।୧୨୭।

ଭୋ ରାଜନ କୋଇନ୍ତାର ପୁତ୍ରେ ଯେ ରାଜ୍ୟ ତେଜ୍ୟା କରି

ବଇତରଣୀ ନଦୀକୂଳେ ଅଛି ଯାଜନଗ୍ର ପୁରୀ ।୧୨୮।

ଯହୁଂ ଯୁଝେଷ୍ଠି ଦେବ ଚଳିଲେ ପ୍ରସ୍ଥାନେ

ରହିଲେ ଧର୍ମ ପୁରେ ପଣ୍ଡୁର ନନ୍ଦନେ ।୧୨୯।

ଯାଇଂଣ ଧର୍ମପୁରେ ପ୍ରବେଶ ପଞ୍ଚୁବୀରେ

ଦ୍ରୋପତୀ ମାତ୍ରକ ଅଛନ୍ତି ସଙ୍ଗତରେ ।୧୩୦।

ଅମରାବତୀ ନଗ୍ରେ ହରି ସାହୁ ବଶ୍ୟ ଜାତି

ସୁହାଣୀ ବୋଲିଣ ଯେ ତାହାର ଦୁହିତୀ ।୧୩୧।

ମାଘ ଶୁକଳ ତୃତୀୟା ତିଥି ବୁଧବାର

ତଇତିଳ ନାମେ କରଣ ଅଟଇ ଆବର ।୧୩୨।

ଶତଭିଷା ନକ୍ଷତ୍ର ଯେ ବରୀୟାନ ଯୋଗ

ସେହିଦିନ କନ୍ୟା ଜନ୍ମ ହୋଇଥିଲା ଭୋଗ ।୧୩୩।

ଉଦ୍ଦାଳେକ ନାମେ ସେ ୟେକଇ ଦଇବଗ୍ୟଂ

ବଡ଼ାଇ ସପତାଙ୍ଗ ସେ ଗଣିତ ମହାଭିଗ୍ୟଂ ।୧୩୪।

ତାହାକୁ ରାଇଣ ଯେ ଗଣାଇଲା ହରି ସାହୁ

ଦୋହିତାର ଜନ୍ମ ନକ୍ଷତ୍ର ନାମ ଯାହା କହୁ ।୧୩୫।

ବୋଲଇ ଗଣିକ ଶୁଣସି ହୋ ବଶ୍ୟ

ବଡ଼ାଇ ଭାଗ୍ୟବନ୍ତୀ ୟେ ତୋତେ ପୁଣ୍ୟ ଯଶ ।୧୩୬।

ୟେକା କଥାୟେ ମାତ୍ର ତୋତେ କହଇ ବିଶ୍ୱାସ

ବିଭା ହୋଇଲେ ମରିବ ୟେ ଅବଶ୍ୟ ।୧୩୭।

ୟେହା ଶୁଣି ବିଭା ନ କରଇ ହରି ସାହୁ

ପଞ୍ଚଦଶ ବରଷ କନ୍ୟା ହୋଇଲାନି ଯହୁଂ ।୧୩୮।

ଯୁଝେଷ୍ଠି ଦେବ ବିଜେ କଲେକ ଯେତେବେଳେ

ହରି ସାହୁ ପାଣ୍ଡବଂକ ଛାମୁରେ ଯାଇଂ ମିଳେ ।୧୩୯।

ପିତାର ପଛ କତି ଗୋଡ଼ାଇ ଦୋହିତା

ଚନ୍ଦ୍ର ଉଦୟ ପ୍ରାୟେ ଦିଶଇ ସେ ବାଳ ବନିତା ।୧୪୦।

ଯୁଝେଷ୍ଠି ପଚାରନ୍ତି ଶୁଣସି ହୋ ହରି ବଶ୍ୟ

ୟେ କୁମାରୀ ଗୋଟିର କାହିଂ ଗୃହ ବାସ ।୧୪୧।

ଶୁଣିଣ ବଶ୍ୟ ଯେ ତାହାଂକ ଚରଣେ ପରିଣାମି

ବିଭା ନିହାଇ ହୋଇୟେ ଦୋହିତା ମୋର ସ୍ୱାମୀ ।୧୪୨।

ଯୁଝେଷ୍ଠି ବୋଇଲେ ତୁ ଶୁଣସି ହୋ ବଶ୍ୟ

ୟେ ତୋହୋର ବଂଶକୁ ଅଟଇ ବଡ଼ଦୋଷ ।୧୪୩।

ଦୋହିତା ପିତା ଘରେ ହୋଇଲେ ରଜୋବତୀ

ପିତୃଲୋକମାନଂକୁ ହୋଅଇ ଅସଦଗତି ।୧୪୪।

ହରି ସାହୁ ବୋଇଲା ଦେବ ମୋହୋର ମନ୍ଦ କର୍ମ

କେବଣ ପାପକ୍ଷଣେ ୟେ ହୋଇଲାକ ଜନ୍ମ ।୧୪୫।

ଦଇବଗ୍ୟଂ ବୋଇଲା ୟେ ବିଭା କାଳେ ମରିବ

ତେଣୁ କରି ବିଭା ୟେହାକୁ ନକରଇ ଭୋ ଦେବ ।୧୪୬।

ଯୁଝେଷ୍ଠି ଚାହିଂଲେ ଯେ ସହଦେବ ମୁଖ

ୟେ କଥା ସତକି ବାବୁ ବୁଝନି ପ୍ରତକ୍ଷ ।୧୪୭।

ସହଦେବ ବୋଇଲେ ଦେବ ନିଶ୍ଚୟ ୟେ ଅଟଇ

ହସ୍ତ ଗଣ୍ଠିକାଳେ ଯମ ୟେହାକୁ ଭେଟଇ ।୧୪୮।

ସହଦେବର ବଚନେ ଦେବ ହୋଇଲେକ ତୁନି

ହରିସାହୁ କରଇ ଚରଣେ ବିନୟ ଦୟିନୀ ।୧୪୯।

ଆନେ ପ୍ରଦାନେ ଦେବ ନାହିଂନା କାରଣ

ୟେବେ ଦୋହିତାକୁ ଘେନି ତୁମ୍ଭର ଶରଣ ।୧୫୦।

ତୁମ୍ଭରେ ପ୍ରଦାନ ମୁଂ କରିବି ଦୋହିତା

ଯାବତ ଚନ୍ଦ୍ରାର୍କେ ରୁହାଇବି କଥା ।୧୫୧।

ସ୍ୱାମୀର ସତ୍ୟ ବାଚା ହେଉ ଉଚିତ ହେଉ ଧର୍ମ

ବଶ୍ୟ କୁଳକୁ କଥା ରହୁ ଜନ୍ମ ଜନ୍ମ ।୧୫୨।

ଉଠିଣ ପ୍ରଳମ୍ବିତ ହୋଇଲେ ଚାରିଭାଇ

ୟେ କଥାକୁ ଦେବ ନକର ତୁମ୍ଭେନାହିଂ ।୧୫୩।

ଯୁଝେଷ୍ଠି ବୋଇଲେ ଆମ୍ଭର ଗଳିତ ବୟସ

ରାଜ୍ୟଭୋଗ ତେଜି ଅଇଲୁ ଆସି ଆତ୍ମା ହୋୟେ ଶେଷ ।୧୫୪।

ରାଜ୍ୟ ସମ୍ପଦ ତେଜି ଆମ୍ଭର ତୀର୍ଥ ଯୋଗ

ବିଭା ଦାରାୟେ ଆମ୍ଭର କିସ ଭୋଗ ।୧୫୫।

ସହଦେବ ବୋଲନ୍ତି ଦେବ ଶୁଣ ଗୁଣନିଧି

ଯାଚିଲା କନ୍ୟା ପ୍ରଦାନ ହେବ ମିଳଇ ୟେହି ବିଧି ।୧୫୬।

ଯାଚିଲା କନ୍ୟା ଯେ ଅର୍ଚିଲା ଭୋଜନ

ୟେହା ଉପେକ୍ଷିଲେ ଦେବ କୁଳକଇଂ ଦୂଷଣ ।୧୫୭।

ଯୁଝେଷ୍ଠି ଦେବ ବୋଇଲେ ଯେ ୟେହାକୁ ହୋଇବା ପ୍ରଦାନ

ଯମ ଭୟରୁ ସେ କନ୍ୟା ରଖିବାକୁ କେ ହୋଇବ ଭାର୍ଜନ ।୧୫୮।

କରପତ୍ର ଯୋଡ଼ିଣ ବୋଲଇ ସର୍ବସାଚୀ

ଯମର ଭୟରୁ ଦେବ ପାରଇ ମୁହିଂ ରଖି ।୧୫୯।

ରାଜୁସି ଯଗ୍ୟଂ କାଳେ ମୁଂ ନିମନ୍ତ୍ରଣେ ଗୟେ

ଅନେକ ବିନୋୟୀ ମୋତେ ବୋଇଲା ଜନ୍ତୁ ରାୟେ ।୧୬୦।

ତାହାର ମୋହୋର ଦେବ ଅନେକ ପୀରତି

ତା ତହୁଂ ରକ୍ଷା କରିବି ନ କର ମନେ ଭ୍ରାନ୍ତି ।୧୬୧।

ତୁ ଯେବେ ରକ୍ଷା କରିପାରିବୁ ଯମକୁ

ଆମ୍ଭେ ପ୍ରଦାନ ହୋଇବୁଂ ୟେ କନ୍ୟାକୁ ।୧୬୨।

ସର୍ବଗୁଣେ ସୁଲକ୍ଷଣୀ ଯାଚିଲା ଯେବେ ବାଳୀ

ଜାତି ମଧ୍ୟମାନ ଉଚିତ ଯେବେ ମିଳି ।୧୬୩।

ଅର୍ଜୁନର ପ୍ରତଗ୍ୟାଂ ଶୁଣିଣ ନରେନ୍ଦ୍ର

ବିଭାକଇଂ ଉଦିଯୋଗ କଲେକ ପରମ ସାନନ୍ଦ ।୧୬୪।

ବନ୍ଧୁ ବାନ୍ଧବନ୍ତ ରୁଣ୍ଡ କଲାକ ହରି ସାହୁ

ମୋହୋର ଜୁଆଇଂ ହୋଇଲେ ଯୁଝେଷ୍ଠି ମହାବାହୁ ।୧୬୫।

ଜୀଇଂଲେ ଜୀଉଂ ପଛେ ମଲେ ମରୁ ବାଳୀ

ୟେ କଥା ଚିରାଞ୍ଚନ ରହିବ ମହୀଆଳି ।୧୬୬।

ଧଉମ୍ୟ ପ୍ରୋହିତଂକୁ ଦେବ କଲେକ ସୁମରଣ

ପ୍ରୋହିତ ତୁଲେ ମିଳିଲେ ଲକ୍ଷେକ ବ୍ରାହ୍ମଣ ।୧୬୭।

ଷାଠିୟେ ସହସ୍ର ତୁଲେ ବାଳଖିଳା ଋଷି

ଆପଣେ ବ୍ୟାସ ମୁନି ପ୍ରବେଶ ହେଲେ ଆସି ।୧୬୮।

ସୀଉକାର ବରଣ ଯେ ହରିସାହୁ କଲା

ଯଥାବିଧି ମହାବାକ୍ୟେ ବର କନ୍ୟାନ୍ତ ବରିଲା ।୧୬୯।

କୁମ୍ଭମାସ ଶୁକ୍ଳପକ୍ଷ ସପତମୀ ତିଥି

ରୋହିଣୀ ନକ୍ଷତ୍ର ପୁଣି ବାର ବୃହସ୍ପତି ।୧୭୦।

ବାଣିଜ୍ୟ ନାମେ କରଣ ପ୍ରୀତି ନାମେ ଯୋଗ

ଧର୍ମପାର ନଗରରେ ବଡ଼ାଇ ସୁଯୋଗ ।୧୭୧।

ୟେମନ୍ତ ସମୟେ ତାଂକୁ ହେଲା ଶୁଭ ଯୋଗ

ଅମୃତବେଳା ସେ କାଳେ ହେଉଥିଲା ଭୋଗ ।୧୭୨।

ପ୍ରଥମ ବେନି ଘଡ଼ି ବୃହସ୍ପତି ବେଳେ

ବିଭାର ସମଯୋଗ ଭବାନୀ ନଦୀକୂଳେ ।୧୭୩।

ଛାୟା ମଣ୍ଡୋପରେ ହୋୟେ କଣୟ ରତ୍ନବେଦୀ

ସଷ୍ଟିକର ଖମ୍ବରୁ ଅରୁପାରେ ସମ୍ପାଦି ।୧୭୪।

ସୁବର୍ଣ୍ଣର କଳସ ନେତର ପାତାଙ୍ଗ ଉଡ଼ାନ୍ତି

ଦିବ୍ୟବସ୍ରମାନ ଛାୟାଘରମାନ ମଣ୍ଡାନ୍ତି ।୧୭୫।

ଯୁଗତେ ହରିସାହୁ ଗନ୍ଧ ଯେ ବଣିଆ

କସ୍ତୁରୀ ପିଚିକାମାନ ମାରନ୍ତି ଛାମୁଣ୍ଡିଆ ।୧୭୬।

ଗନ୍ଧରାଜ ଜୁଆଦ ଅଗର କସ୍ତୁରୀ ଚନ୍ଦନ ଗୁଗୁଳି

କୁଂକୁମର ତୁମେ ଯେ କର୍ପୂର ଗୁଣ୍ଡି ବୋଳି ।୧୭୭।

ମଙ୍ଗଳ ସୀଉକାର ସାରିଲେ ଯେତେବେଳେ

ଯୁଝେଷ୍ଠି ବିଜେ କଲେ ବ୍ୟାସଂକର କୋଳେ ।୧୭୮।

ହରିସାହୁ ବଣିଆ କୋଳେ ଯେ ସୁହାଣୀ

ମଙ୍ଗଳ ଧୁନି ବ୍ୟାସେ ଉଚ୍ଚାରନ୍ତି ବାଣୀ ।୧୭୯।

କୁଂକୁମ ଆଭରଣ କର ବୋଇଲେ ପ୍ରୋହିତେ

କନ୍ୟାକଇଂ ନିଅ ହୋ ଅହିଗ୍ୟଂ ପୂଜାକୁ ଯୁଗତେ ।୧୮୦।

କଣୟ ହାନ୍ଦୋଳାରେ ବିଜୟେ ସୁହାଣୀ

ବାଜନ୍ତି ବୀରତୂର ଟମକ ନିଶାଣି ।୧୮୧।

ସୁଲଭ କାମିନୀୟେ ଘେନିଣ ଦୀପାବଳୀ

ମଙ୍ଗଳ ଗୀତଗାଇ ଦିଅନ୍ତି ହୁଳହୁଳି ।୧୮୨।

ଗାଣ୍ଡିମ ଧନୁ କରେ ଘେନିଣ ବିବଚ୍ଛ

ଗୋଡ଼ାଇ ଅର୍ଜୁନ ଯେ କନ୍ୟାର ପଛ ପଛ ।୧୮୩।

ଦିବ୍ୟଚଛୁ ଘେନି ଚାହାଂଇ ସର୍ବସାଚୀ

ଯମଭୁବନ ପରିଯନ୍ତେ ନିର୍ମଳ ଦିଶୁଅଛି ।୧୮୪।

ଦେବୀଂକର ସନ୍ନିଧ୍ୟେ ଯେ ବିଜୟେ ସୁହାଣୀ

ଅହିଗ୍ୟଂ ସ୍ଥାନେ ବାଞ୍ଛା ସାରି କନ୍ୟାକୁ ବେଗେ ଆଣି ।୧୮୫।

ପିତାର କୋଳେ ଆଣି ବସାଇଲେ ଯୁବତୀ

ଯଥା ବିଧି ପ୍ରୋହିତେ ଗୋତ୍ର ଉଚ୍ଚାରନ୍ତି ।୧୮୬।

ଦେଶ କାଳ ବାକ୍ୟ ସାରିଲେ ପୁରୋହିତେ

ୟେକଯୋଗ କରନ୍ତି ବରକନ୍ୟାଂକର ହାଥେ ।୧୮୭।

ଯହୁଂ କୁଶ ବନ୍ଧନ କଲେକ ବେନି ହାଥ

ଶୁନ୍ୟେଣ ମିଳିଲେ କାଳ ବିକାଳ ଯମର ବେନି ଦୂତ ।୧୮୮।

ଖାଣ୍ଡେବ ବନ ଦହନ୍ତେ ଯେ ଅର୍ଜୁନ ପାଇ କାଳ ଫାଶି

ସେ ଶର ଘେନି ଅର୍ଜୁନ ବିନ୍ଧିଲ ଆକ୍ରେଷି ।୧୮୯।

କାଳ ଫାଶି ଶର ଯହୁଂ ବିନ୍ଧଇ ଅର୍ଜୁନ

କାଳ ବିକାଳ ବେନିଦୁତଂକୁ କଲାକ ବନ୍ଧନ ।୧୯୦।

ଭୟେ ପଳାଇଲେ ତହୁଂ ଚିତ୍ର ଯେ ଗୁପତେ

ଯାଇଣ କହିଲେ ଯମ ଦେବତା ଅଗ୍ରତେ ।୧୯୧।

ସ୍ୱାମୀ ହରି ସାହୁ ଝିଅ ନାମ ତାର ସୁହାଣୀ

ପ୍ରଜାପତି ଘଟସୂତ୍ର ବିଭାକାଳେ ଗଲୁଆଣି ।୧୯୨।

ସେ କନ୍ୟାକୁ ବିଭା ଯେ ହୋଇଲେ ଯୁଝେଷ୍ଠି

କାଳ ନିଶୋଧନ ଦେବ କଲାକ କିରିଟୀ ।୧୯୩।

କାଳଫାଶି ଘେନିଣ କାଳ ବିକାଳନ୍ତ ବାନ୍ଧି

ଦୂତ ଦେଖି ନାରାଜ ପୂରୋଇ ମନଭେଦି ।୧୯୪।

ଶୁଣିଣ କୋପ ଯେ କଲା ଜନ୍ତୁ ନାଶକର

ମଇଂଷୀ ବାହନେ ଯେ ବିଜେ କାଳଦଣ୍ଡ ଧର ।୧୯୫।

କରେଣ କାଳଦଣ୍ଡ ଫାଶ ଘେନିଣ ବେଗେ ଆସି

ଦିବ୍ୟ ଚକ୍ଷୁରେ ତାହା ଅର୍ଜୁନଂକୁ ଦିଶି ।୧୯୬।

ବିରସ ହୋଇଲା ମନେ ସହଦେବ ମନ୍ତ୍ରୀ

ଦେଖିଣ ବିଚାରନ୍ତି ଧର୍ମ ରାୟେ ନୃପତି ।୧୯୭।

କରପତ୍ର ଯୋଡ଼ିଣ ସହଦେବ ଯୁଝେଷ୍ଠିଂକି ବୋଇଲା

ବିଭା ଦେଖି ଯମ କାଳବିକାଳନ୍ତ ପେଷିଦିଲା ।୧୯୮।

ଅର୍ଜୁନ ଠାକୁରେ ବନ୍ଧନ କଲେ କାଳବିକାଳକୁ

ଆପଣେ ବିଜେ କଲେ ନାଶକର କନ୍ୟା ପ୍ରାଣ ହରିବାକୁ ।୧୯୯।

ଶୁଣିଣ ହରିସାହୁ ଯେ ହୋଇଲା ତାଟକା

ଯୁଝେଷ୍ଠି ଦେବଂକ ମନେ ଲାଗିଲା ବଡ଼ ଶଂକା ।୨୦୦।

ଧଉମ୍ୟ ପ୍ରୋହିତେ ଯେ ବ୍ୟାସଂକ ସହିତେ

ବିଧବା ଆତ୍ମା ପ୍ରାୟେ ହୋଇ ବିସରିଲେ ସମସ୍ତେ ।୨୦୧।

ଅର୍ଜୁନ ବୋଇଲା ଦେବ ସୁଖେ ହୋଅ ବିଭା

ଯମର କଥାକୁ ଦେବ ଭୟ ନକରିବା ।୨୦୨।

ଅର୍ଜୁନର ବଚନେ ଯେ ଫିଟିଲା ମନଭ୍ରାନ୍ତି

ହୁଳହୁଳି ଶବଦ ଯେ ଶୁଭିଲା ଗଗନ ଗତି ।୨୦୩।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ଯମ ଦେବତାଂକୁ ବିନୟେ ହୋଇଲେ ଫାଲଗୁନ୍ୟୁ ।୨୦୪।

ସଂସାର ନାଶକରନ୍ତା ତୁ କୃତାନ୍ତେକ ଦେବତା

ସକଳ ଜୀବଜନ୍ତୁଂକର ତୁହି ସେ ବିହନ୍ତା ବିଧାତା

ତୋହୋର ଭୟେ ହରିସାହୁ ଯୁଝେଷ୍ଠିଂକି ଦିଲାକ ଦୁହିତା ।୨୦୫।

ଦୋହିତା ଗୋଟିକି ଦେଇ ପଶଇ ଶରଣ

ତୁ ୟେବେ ୟେହାକଇଂ ନକର ହରଣ ।୨୦୬।

ତୁହି ଦେବ ଜଗତ ଜନ୍ତୁକର ନାଶ

ନିର୍ଭୟେ ପୁରୁଷ ସଂଜୀବନୀ ହୋୟେ ଯାର ବାସ ।୨୦୭।

 

ତୁ ଦେବ ନାଶକର ମହା ଅନର୍ଗଳା

ପ୍ରଚଣ୍ଡ ଦୁର୍ଦ୍ଦଣ୍ଡ ତୋର କାଳ ଯେ ବିକାଳା ।୨୦୮।

ତୁ ଦେବ ଅଯାଚେକ ଅଟୁ ବିଶ୍ୱମୂର୍ତ୍ତି

ତୁ ଦେବ କାଳାନଳ ଅଟୁ ଯେ ଅଶାନ୍ତି ।୨୦୯।

ତାରଣ ପୁରୁଷ ତୁହି ଅଟୁ ହୋ ନିର୍ଦ୍ଦୟେ

ପୃଥୀ ଆପ ତେଜ ବାୟବ୍ୟ ଆକାଶ ନିର୍ଭୟେ ।୨୧୦।

ସଦ ଅସଦ ତୁହି ଯେ ନାଶକର

ଅନନ୍ତ କୋଟି ବ୍ରହ୍ମାଣ୍ଡ ତୋହୋର ଉଦର ଭିତର ।୨୧୧।

ଆତ୍ମାର ପ୍ରିୟବତୀ ହୋୟେ ଯାହାର କରାଳୀ

ପୁତ୍ର ନାମ ଯାହାର କରାଳ ବିକରାଳୀ ।୨୧୨।

ଛାୟାର ବଚନେ ତୋହୋର ଚରଣେ ଗଳୁତ କୁଷ୍ଠବ୍ୟାଧି

ପଣ୍ଡୁର ହରଣେ ଯେ ହୋଇଲା ସଂସିଦ୍ଧି ।୨୧୩।

ଭୂତପ୍ରେତ ପିଚାଶ ଗଣରେ ଯାହାର ହୋୟେ ଠଣା

ବିହନ୍ତା ପୁରୁଷ ତୁ ପିତାମହର ଆପଣା ।୨୧୪।

ବାମ ନୟନ ଯମ ଡ଼ାହାଣ ନୟନ ଅନଳ

ଅମରନାଥ ତୁହି ଶରଣ ଲୋକପାଳ ।୨୧୫।

ସ୍ୱାମୀ ଅନଙ୍ଗ ସୁନ୍ଦର ପୁରୁଷ ତୁ କଳା ଗୋରା ଧବଳା ଶ୍ୟାମଳା

ନାନାବର୍ଣ୍ଣ ରୂପ ତୁହି ସେ ମହାଖଳା ।୨୧୬।

ମେଦ ମେଦା ମାୟେଂସେ କର୍ଦ୍ଦନ ଯାର ପିଣ୍ଡ

ସର୍ବ ସଞ୍ଚିଲା ନାଥ ଅଭୟେ ମାରତଣ୍ଡ ।୨୧୭।

ୟେକା ଶରୀର ତୋହୋର ସତ୍ୱ ରଜ ତମ

ସମସ୍ୱାମୀ ବ୍ରହ୍ମ ୟେକ ବର୍ଣ୍ଣ ଯମ ।୨୧୮।

ମାତା ରଜ ପିତା ବୀର୍ଯ୍ୟ ଯେତେବେଳେ ମାତା ଗର୍ଭେ ରହୁ

ଅଢାଇ ପନ୍ତି ଅକ୍ଷର ଲେଖ କପାଳେଣ ଲିହୁ ।୨୧୯।

ଜନ୍ମ କର୍ମ ଆଧ୍ୟାନ ୟେକା ବଇରାଶି

ଚଉରାଶି କୋଟି ଜୀବଜନ୍ତୁ ୟେକା କାଳଫାଶି ।୨୨୦।

ୟେକା ଫାଶକେ ତୋର ବନ୍ଧନ ସମସ୍ତ

ଭାବଗ୍ରାହୀ ଜନ୍ତୁନାଥ କରନ୍ତା ଆତଯାତ ।୨୨୧।

ସ୍ୱାମୀ କେଶ ଉର୍ଦ୍ଧ୍ୱ ବନ୍ଧନ ଘନ ଉର୍ଦ୍ଧ୍ୱ ଦନ୍ତ

ଉର୍ଦ୍ଧ୍ୱ ଚରଣେ ହୋୟେ ଉର୍ଦ୍ଧ୍ୱ ଯାର ରେତ ।୨୨୨।

ପ୍ରଳୟ ଉତ୍ତାରେଣ କଶ୍ୟ ପର ଗୋତ୍ର

ଛାୟାର ନନ୍ଦନ ତୁ କାଳ ରୁଦ୍ର ମରୁତ ।୨୨୩।

ଦିବିଭୂବି ପାତାଳ ତୋହୋରେ ହୁୟେ ସୀମା

ମୁଂ କେହ୍ନେ ବର୍ଣ୍ଣିବି ହାଦେ ତୋହୋର ମହିମାଂ ।୨୨୪।

ଯେ ଯାହାର ପାପ କର୍ମେ ନାଶ ଯାନ୍ତି ପ୍ରାଣୀ

ଅପଚ୍ଛାତି ପୁରୁଷ ତୋହୋର କଥାମାନ ଶୁଣି ।୨୨୫।

ବ୍ୟାକୁଳ ଆକୁଳ ଯେ ହୋଇଲେ ତୋର ପିତା

ଅପାପୀ ଅକ୍ରୋଧି ତୁହି ବିହନ୍ତା ଦେବତା ।୨୨୬।

ମୁହିଂ ଯାହା ସ୍ରିଜିବି ତୁହି ସିନା ସାକ୍ଷୀ

ବିହନ୍ତା ତାରନ୍ତା ତୁହି ସିନା ନାଥ ୟେକୀ ।୨୨୭।

ସ୍ୱାମୀ ମୁହିଂ ସେ ଯେ ଦ୍ୱାରପାଳ କପିଳାସ ସ୍ୱର୍ଗେ

ମାନେବ ଜନ୍ମ ମୁହିଂ ଶ୍ରୀରାମଂକ କିଞ୍ଚିତ ଅନୁରାଗେ ।୨୨୮।

ଅଭୟେ ପିଙ୍ଗଳାକ୍ଷୀ ବଚନେ ମୁହିଂ ଅଛି

ୟେ ମୋହୋର କଥାକୁ ନାଥ ତୁହି ସେ ଅଟୁ ସାକ୍ଷୀ ।୨୨୯।

ଗତ ଆଗତ ସଞ୍ଚିତ ନାଥ ମୁହିଂ ତୋହୋର ଅନୁରାଗୀ

ଭଣ୍ଡାର ଅଧିକାର ପଣେ ମୋତେ ଆଗ୍ୟାଂ ଦିଲେ ବାକ୍ୟଦେବୀ ।୨୩୦।

ହରଣ ତାରଣ ନାଥ ତୁହି ସେ ଅଟୁ ୟେକା

ହତ ଗତ ପାଞ୍ଜିରୁ ମୋର ନାମ କିଳିପକା ।୨୩୧।

କଳି ଧର୍ମ ଉଦିତ ବୋଲି ନ କର ମୋତେ କୋପ

ଆପଣେ କିଳିପକା ମୋର ଅଗ୍ୟାନ ବେଳ ପାପ ।୨୩୨।

ପ୍ରସନ୍ନେ ଦୁରାନ୍ତେକ ଦେବକାର୍ଯେ ଦୁଖୀ

ତ୍ରିୟେମ୍ବେକ ଲୋଚନ ଜଗତ ତୁହି ଦେଖି ।୨୩୩।

ଗ୍ୟାନ ଅଗ୍ୟାନେ ମୋର ଯେତେକ ଥିଲା ପାପ

ଭାରଥ ଯୁଦ୍ଧେ ମୁଂ ମାଇଲି ଅନେକ ଯେ ନୃପ ।୨୩୪।

ସ୍ୱାମୀ ଗ୍ୟାନ ଅଗ୍ୟାନେ ମୋର ଯିସ ପାପ

ନକଲଇଂ ଗୋପ୍ୟାନ ମୁଂ ତୁମ୍ଭଂକୁ କହିଲି ସରୂପ ।୨୩୫।

ମାନବ ଜନ୍ମ ମୁହିଂ ମାଗିବାକୁ ନୁହଇ କ୍ଷମ

ତବ ଦଣ୍ଡୁ ମୋତେ ଉଦ୍ଧରି ଧର ଦେବ ଯମ ।୨୩୬।

ସଞ୍ଚିତ ମହାଭାରଥ ୟେ ଦେବମୟ ବାକ୍ୟେ

ମୁହିଂକି ସଞ୍ଚପି କହି ପାରିବାକୁ ଶକ୍ୟେ ।୨୩୭।

ଶ୍ରବଣେ ଶୁଣଇ ମାତ୍ର ତୁହି ଅଣ ଉପ୍ରୋଧୀ

ତୋହୋର ଆଗ୍ୟାଂୟେ ମୋହୋରେ ପ୍ରାପତ ଋଦ୍ଧି ସିଦ୍ଧି ।୨୩୮।

ମାୟାପଟଳ ସଂସାର ୟେ ନ ସରଇ କାଳ

କଳିକାଳ କୃତାନ୍ତେକ ୟେ ତୋର ଦ୍ୱାରପାଳ ।୨୩୯।

ତୋର ଚରଣେ ଶରଣ ଆହେ ନାଶକର

ଶ୍ରୀକୃଷ୍ଣର ଦାସ ମୁଂ ଯେ ମୁନି ଅବତାର ।୨୪୦।

ତୁଳୁସାରେ ବଲ୍ଲଭ ମୋର ମାଳା ହୃଦଗତେ

ବଦୟନ୍ତି ଶୂଦ୍ରମୂନି ସାରୋଳଦାସ ଶରଣ ଯମ ଦଇବତେ ।୨୪୧।

ହେ ବୁଧ ଜନେ ଯମ ଦେବତା ସ୍ତୁତି ଶୁଣ

ନିତ୍ୟେ ସାଧନ କଲେ ୟେକତ୍ୱ ହୋୟେ ପିଣ୍ଡ ପ୍ରାଣ ।୨୪୨।

ତୁମ୍ଭେ ବୋଲିବ ଅବା ଆପଣେ ନସାଧି

ଆପଣେ ଅଧମ ତୁ ପରକୁ କହ ବୁଦ୍ଧି ।୨୪୩।

କପିଳାସ ଦ୍ୱାରପାଳ ନାମ ମୋ ନନ୍ଦିକେଶ୍ୱର

ପାର୍ବତୀ ଦୁର୍ଗା ରୂପେ ବଧିଲେ ମଇଂଷାସୁର ।୨୪୪।

ଉଲଙ୍ଗ ହୋଇଣ ସେ ବଧକଲେ ତାକୁ

ସିଂଘବାହନେ ବିଜେକରି ନେଇଥିଲେ ମୁକୁ ।୨୪୫।

ୟେସନେକ କିରତୀ ତହିଂ କହିଲଇଂ ମୁହିଂ

ଶୁଣି କୋପକଲେ ମୋତେ ତ୍ରିଦଶର ସାଇଂ ।୨୪୬।

ୟେହେନେକ ଚରିତ ହୋଇଲା ଶୁଣିକରି ବୋଇଲେ

ମାତାଂକ କର୍ମ କହିଲୁ ବୋଲି ବିଘ୍ନରାଜ କୋପ କଲେ ।୨୪୭।

କୋପକରି ଗଜାନନ ଦିଲେକ ମୋତେ ଶାପ

ସେ ଦୋଷରୁ ହୋଇଲି ମାନୁଷ ସରୂପ ।୨୪୮।

ପ୍ରଥମ ଜନ୍ମରେ ମୁଂ ହୋଇଲି କାଳିଦାସ

ମହାକାଳିକା ବିଜୟ ନାମେ ଅଂଶ ।୨୪୯।

ତୃତୀୟ ଜନ୍ମରେ ମୁଂ ସାରୋଳ ଦାସ କବି

ଆର ଜନ୍ମରେ ପୁଣି ମୃତୁ ମଣ୍ଡଳେ ଜନ୍ମିବି ।୨୫୦।

ଆହୋ ଜନ୍ମେ ଜନ୍ମେ ପନ୍ଦରଲକ୍ଷ ବିଷ୍ଣୁକଳାରେ ଭକତ

ଚାରି ଜନ୍ମେ ହୋଇବ ଯେ ଷାଠିୟେ ଲକ୍ଷଗ୍ରନ୍ଥ ।୨୫୧।

ଷାଠିୟେ ଲକ୍ଷଗ୍ରନ୍ଥ କହିବି ମର୍ତ୍ତ୍ୟର ଭୁବନେ

ତେବେ ସେ ବସିବ ଯାଇଂ ଶିବଦ୍ୱାର ସ୍ଥାନେ ।୨୫୨।

ଜାତିସ୍ମର ନୁହଇ ମୁଂ ନଜାଣଇ ୟେହା

ସିଦ୍ଧଚଣ୍ଡୀ ସାରୋଳା କହିଲେ ମୋତେ ଯାହା ।୨୫୩।

ଶୂଦ୍ରମୁନି ସାରୋଳା ତୁଳୁସାରେ ବଲ୍ଲଭ ନିଜଦାସ

ହେ ବୁଧଜନେ ମୋର ଜନ୍ମେ ଜନ୍ମେ ଅଭ୍ୟାସ

ନଜାଣଇ ବେଦବିଦ୍ୟା ନୋହଇ ମୁଂ କାହାରି ଶିଷ୍ୟ ।୨୫୪।

ହେ ବୁଧଜନେ ଯମଦେବତାର ବଚନ ଶୁଣ

ନିତ୍ୟ ସାଧନ କଲେ ୟେକତ୍ୱ ପିଣ୍ଡପ୍ରାଣ ।୨୫୫।

ଅନେକ ବିନୟ ଯେ ହୋଇଲେ ଫାଲଗୁନି

ଯମ ଦେବତା ନଘେନିଲା ତାହାର ଦୟିନୀ ।୨୫୬।

 

ମଇଂଷୀ ବାହାନୁଂ ଉତ୍ତୁରିଲା ନାଶକର

ଅଦୃଶ୍ୟେ ବିଜୟେ ଯାଇଂ ଛାୟା ମଣ୍ଡପର ।୨୫୭।

ଅର୍ଜୁନ ବୋଇଲା ସ୍ୱାମୀ ୟେମନ୍ତ ନୁହଇ ମୁହିଂଟି ଦୋଷୀ

ରାଗେ ଧନୁଜୟେ ପେଷିଲା କାଳଫାଶୀ ।୨୫୮।

କାଳଫାଶୀ ତୁଲେ ଶହସ୍ର ମନଭେଦୀ

ସହସ୍ରେ ପୁରକରି ଯମଦେବତାକୁ ପକାଇଲା ବାନ୍ଧି ।୨୫୯।

ବଡ଼ ସୁମେରୁ ବୋଲି ୟେକଇ ପରବତ

ତହିଂ ବନ୍ଧନ କଲେ ନେଇ ଯମ ଦଇବତ ।୨୬୦।

ବିଭାର ଉଚ୍ଛବ ତହିଂ ସାରିଲେ ଯୁଝେଷ୍ଠି

ଧର୍ମେ ଯେ ରହିଲେ ତହିଂ ନାମ ଧର୍ମପୁରଟି ।୨୬୧।

ସୁହାଣୀକି ଦେଇ ଯେ ହରିସାହୁ ବଶ୍ୟ

ସକୁଟମ୍ବଯାକ ଯେ ହୋଇଲେ ହରଷ ।୨୬୨।

ଯମ ଦର୍ପ ଭାଞ୍ଜିଲା ଯେବଣ ରାଜଦେବ

ଯମଦଣ୍ଡ ଶାସ୍ତିନାହିଂ ନା ମୋହୋର କୁଟୁମ୍ବ ।୨୬୩।

ହରିସାହୁ ଯୁଝେଷ୍ଠି ଦେବଂକୁ କରଇ ଯେ ପୁଚ୍ଛା

ଯମଦଣ୍ଡ କେମନ୍ତେ ହେଲା ରକ୍ଷା ।୨୬୪।

ସହଦେବ ବୋଇଲା ହୋ ଶୁଣ ହରିସାହୁ

ୟେଥେ ଯମଦେବତାର ୟେତେ ଦର୍ପ କାହୁଂ ।୨୬୫।

ଯମ ଦେବତାର ଗଳୁତ କୋଷ୍ଠବ୍ୟାଧି ହୋଇଥିଲା ପାଦେ

ସେ ବ୍ୟାଧିରୁ ପାରଗଲା ଅର୍ଜୁନ ପରସାଦେ ।୨୬୬।

ନିର୍ଦ୍ଦେୟେ ନିପ୍ରୋହି ସେ ଅଟଇ ନାଶକର

ଗାଢେଣ ପଶିଲା ଆସି ୟେ ତୋହୋର ପୁର ।୨୬୭।

ତୋହୋର ଦୋହିତାର ପ୍ରାଣ ଆପଣେ ନିଅନ୍ତେ ବାନ୍ଧି

କୋପେଣ ଅର୍ଜୁନ ଯେ ତାହାକୁ କଲେ ବନ୍ଦୀ ।୨୬୮।

ବନ୍ଧନ କରିଛି ସେ ସୁମେରୁ ପର୍ବତେ

ହରିସାହୁ ବୋଇଲା ଯମଦେବତାଂକୁ ଦେଖାଇବା ସ୍ୱାମୀ ମୋତେ ।୨୬୯।

ବିଭା ଯୋଗାଡ଼ମାନ ସାରିଲେ ଯୁଗତେ

ହରିସାହୁକଇଂ ନେଲେ ଯମର ଅଗ୍ରତେ ।୨୭୦।

ହରିସାହୁ ପ୍ରଣମ୍ୟ ଯମଦେବଂକ ଚରଣେ

ଭୋ ଯମଦେବତା ମୋତେ କରିବା କାରଣେ ।୨୭୧।

ଅର୍ଜୁନ ସହଦେବ ଦେଖାଇଲେ ଯମ ଦେବତାନ୍ତ ହରିସାହୁକୁ

ସ୍ୱାମୀ ବନ୍ଧନ ଫେଡ଼ିବା ୟେ ଯମ ଦେବତାଂକୁ ।୨୭୨।

ଅର୍ଜୁନ ବୋଇଲେ ତୁମ୍ଭେ ଆମ୍ଭ ଶ୍ୱଶୁରନ୍ତ

ତୁମ୍ଭର ବୋଲେ ଫେଡ଼ିବା ୟେ ଯମ ଦେବତାନ୍ତ ।୨୭୩।

ଅର୍ଜୁନ ବୋଇଲେ ଯମଦେବତାଂକୁ

ହରିସାହୁ ବୋଲେ ଛାଡ଼ିଲି ତୁମ୍ଭଂକୁ ।୨୭୪।

ଯେତେଦିନ ପରିଯନ୍ତେ ଆମ୍ଭେ ଥିବୁଟି ୟେଥ

ୟେ ଭୁବନକୁ ତୁମ୍ଭର ନପଶିବଟି ଦୂତ ।୨୭୫।

ଯମଦେବତା ବୋଇଲା ୟେ ମୋର ସତ୍ୟସତ୍ୟି

ମୃତୁମଣ୍ଡଳେ ୟେ ନଗ୍ର ନାମ ଅମରାବତୀ ।୨୭୬।

ଶୁଣ ଆହେ ବୁଧଜନେ ମୁଂ ଯାହା କହିଲି

ତେଣୁ ସେ ଅମରାବତୀ ନାମ ଧର୍ମପୁର ବୋଲି ।୨୭୭।

ବନ୍ଧନୁ ମୁକତ ଯେ ହୋଇଲେ ନାଶକର

ହରିସାହୁକୁ ବୋଇଲେ ମାଗ ମୋତେ ବର ।୨୭୮।

ହରିସାହୁ ବୋଇଲା ମୋହୋର ଯେ ବଶ୍ୟଜାତି

ତୋହୋର ଯମଦଣ୍ଡେ କେହି ନପାଇବେ ଶାସ୍ତି ।୨୭୯।

ହରିସାହୁ ବୋଇଲା ଶତେ ଅଷ୍ଟ ଉତ୍ତର ଆୟୁଷ

ୟେତେକ ପୂରିଲେ ଯେ ଆମ୍ଭେ ଯିବୁଂ କପିଳାସ ।୨୮୦।

ଯମହିଂ ବୋଇଲେ ମୁହିଂ ସତ୍ୟ କଲି ଯେବେ

ୟେ କଥା ଆଉ ଅନ୍ୟଥା ନୋହିବାକ ତେବେ ।୨୮୧।

ତୋହୋର ଜାତିକି ତିଆରିଥାଅ ଯେ ସବୁନ୍ତି

ସ୍ୱ ଜାତିରେ ଆଉ କେହି ନୋହିବେ ଅନୀତି ।୨୮୨।

ବଣିଜେ ସ୍ୱରୂପ କରି କହିବାନା କଥା

ଲାଭ ଲାଭ କହିବ ସେ ନ କହିବ ମିଥ୍ୟା ।୨୮୩।

ଗଣ୍ଡାକରେ କଡ଼ାୟେ ଲାଭ ବୋଡ଼ିକରେ ଗଣ୍ଡାୟେ

ପଣକରେ ବୋଡ଼ିୟେ କାହାଣକରେ ପଦିକାୟେ ।୨୮୪।

ଚାରିପାଦେ କିଣିବ ବିକିବ ପାଞ୍ଚପାଦେ

ପୁଣ୍ୟ ମାର୍ଗେ ଥିବ ନପଶିବେ ଅପ୍ରମାଦେ ।୨୮୫।

ଯଦି ବୋଇଲ ୟେ ମୋହୋର ସରୂପ

ୟେତେକ କରିବ ଯେହୁ ତହିଂ ନାହିଂ ପାପ ।୨୮୬।

ଯମ ବୋଇଲା ୟେ ମୃତୁମଣ୍ଡଳେ ଦେଶ ମରହଟ୍ଟ

ସେ ନଗ୍ର ଭିତରେ ବସଇ ମହା ମହା ହାଟ ।୨୮୭।

ୟେକଇ ତପୋଧନଂକ ନାମ ସୁଜାଣେଶ୍ୱର ଯତି

ସର୍ବଦା ସଂସ୍କାରେ ସେ ଅଟଇ ସତ୍ୟବ୍ରତୀ ।୨୮୮।

କଷା କଉପୁନୀ ତୁଳସୀ ରୁଦ୍ରାକ୍ଷର ମାଳ

ଅଂଶା ଲେପନ ଯେ ଜଟା କମଣ୍ଡଳ ।୨୮୯।

ଶବର ତହୁଂ ମାଂସ ଘେନି ବିକଇ ହାଟରେ

ପାଞ୍ଚକଡ଼ା ମାଗଇ ମାୟେଂସ ପଣକରେ ।୨୯୦।

ସବୁଦିନେ ବାଣିଜ୍ୟ ବ୍ରତ ହେତୁ କଲା

ମାୟେଂସ ବଣିଜୁଂ ସେ ଆନ ନଶିଖିଲା ।୨୯୧।

କାହାଣକରେ ପଣେ ଦେବଇ ବଣିଜ

ସତ କହି ଚାରି କାହାଣରେ ଚାରିପଣ ଅରଜ ।୨୯୨।

ଭାରିଜା ପୁତ୍ର ଗୋଟିୟେ ଆପଣେ ତିନିପ୍ରାଣୀ

ସତ୍ୟହୁଂ ମିଥ୍ୟା କେହି ନକହନ୍ତି ବାଣୀ ।୨୯୩।

ସମୟେକ ପ୍ରାଣତ୍ୟାଜ ସୁଜାଣେଶ୍ୱର ଯତି

ନକ୍ଷତ୍ର ହୋଇ ବସିଲା କାର୍ତ୍ତିକ ପୁଞ୍ଜି କତି ।୨୯୪।

ତୋହୋର ଲୋକନ୍ତ ସମସ୍ତ ତିଆରିବୁ

ପରଦାରା କଥାକୁ ପଶିତ ନ ଦେବୁ ।୨୯୫।

ଅନ୍ୟ ଜାତି ସ୍ତିରୀଂକ ତୁମ୍ଭେ ନଛୁଇଁବ ଅଂଗ

ଆପଣା ଜାତିରେ ସେ ହୋଇବ ସତସଂଗ ।୨୯୬।

ପ୍ରାତ ଆହାର୍ଣ୍ଣିକ ସାରିବ ତିନି କାଳ

ଅବସର ଥିଲେ ପଶିବ ଦେବଆଳ ।୨୯୭।

ବିଷ୍ଣୁଂକୁ ଉପାସନା କରିବ ନିତ୍ୟ ଯେ ବିଧାନେ

ଶାହାସ୍ର ସଂଗତେ ଯେ ବସିବ ମଧ୍ୟାହ୍ନେ ।୨୯୮।

ହତ୍ୟା ବିବାଦ ବଧ ନ ଯିବାକ ଦେଖି

ବେନି ଜନ କଳହେଣ ନୋହିବାକ ସାକ୍ଷୀ ।୨୯୯।

ବହୁତ ଲାଭ ଦେଖି ନଯିବାକ ବିଦେଶେ

ଷାଠିୟେ ବରଷ ହେଲେ ଯିବ ତୀର୍ଥବାସେ ।୩୦୦।

ଆହୋ ସୁଗ୍ୟଂ ଜନେ ଥିବ ଶାହସ୍ର ବିଧାନେ

ମୁଂ ୟେହା କହିଲି ସିଦ୍ଧି ସାରେଳା ପ୍ରସନ୍ନେ ।୩୦୧।

ବ୍ରାହ୍ମଣ ପାପ କଲେ କରିବାକ ଯାଗ

କ୍ଷତ୍ରୀ ପାପ କଲେ ପଶିବ ରଣଯାଗ ।୩୦୨।

ଶୂଦ୍ର ପାପ କଲେ ଉପୁଜାଇବ କୃଷି

ବଶ୍ୟ ପାପ କଲେ ମୁକୁତି ବାଟ ନଦିଶି ।୩୦୩।

ଯାହା ସେ ଯମଦେବତା କହିଲେ ସରୂପ

ଆପଣାର ନିଜ କର୍ମେ ଥିଲେ ନଲାଗଇ ପାପ ।୩୦୪।

ମୁହିଂ ମୂର୍ଖ ୟେହା ନିର୍ଭାଇଲି ଭଲେ

କବି ସାରୋଳଦାସ ଅଭ୍ୟାଗତେ କହିଲେ ।୩୦୫।

Image

 

ସୁହାଣୀ କନ୍ୟା ଶିଖରେଶ୍ୱର ଶିବ ସେବାରେ ନିଯୁକ୍ତ, ଗୌରୀ ଗୋପାଳୁଣୀ ବେଶେ କୃତ୍ତିବାସ ଓ କୀର୍ତ୍ତିବାସ ଦୈତ୍ୟଙ୍କୁ ସଂହାର

 

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ପାଣ୍ଡବେ ରହିଲେ ଯେ ନଗ୍ର ଅମରାବତୀ ।୧।

ସୁହାଣୀ କନ୍ୟାକଇଂ ବିଭା ହୋଇଲେ ଧର୍ମସୁତେ

ରହିଲେ ପାଣ୍ଡବେ ପଞ୍ଚତିରିଶ ବର୍ଷ ପରିଯନ୍ତେ ।୨।

ଯୁଝେଷ୍ଠି ବୋଲନ୍ତି ଶୁଣ ଅରଜୁନ

ତୀର୍ଥ ସେବି ଯିବା ୟେଥେ କିସ ପ୍ରୟୋଜନ ।୩।

ଲୋମଶଂକୁ ରାଇ ବୋଲନ୍ତି ଧର୍ମସୁତ

ୟେ ଭ୍ରଥଖଣ୍ଡ ମଧ୍ୟେ ଅଛି କେବଣ ଗୁପତ ତୀର୍ଥ ।୪।

ଲୋମଶ ବୋଇଲେ ତୁମ୍ଭେ ଆମ୍ଭର ତୁଲେ ଆସ

ବନସ୍ତ ଭିତରେ ଅଛି ଭୁବନ କପିଳାସ ।୫।

ସାତପର୍ବତ ତଳେ ଅଛଇ ଧବଳାଙ୍ଗୀ

ଊର୍ଦ୍ଧ୍ୱ ରେତା ହୋଇ ବହଇ ସଉଭାଗୀ ।୬।

ଗନ୍ଧର୍ବ ନୃପତିର ନାମ ବିଶ୍ୱାବସୁ

ତାହାର ଭାରିଜାର ନାମ ଅଟେ ପ୍ରସୂ ।୭।

କାଳ କାମ ସମ ସୋମ ଆଧାନ ପ୍ରିୟ ନିଦ୍ରା ସାତପୁତ୍ର

ନିଶାରେ କଟୁଆଳ ୟେ ରଖନ୍ତି ବନସ୍ତ ।୮।

ଅପକ୍ଷରୀଂକର ତୁଲେ ହୋଇଲେ ପୀରତି

ଧନ ଦେଇ ତାଂକୁ ତ୍ରିପୁତି କରି ନୁଆରନ୍ତି ।୯।

ଶ୍ରୀ ଆଷ୍ୟ ଧନ ଦେଇ ପୋଷଇ ଯେହୁ ବେଶ୍ୟା

ଗୋତ୍ରେ ଅବରଣି ସେ ଜାତିରେ ଅମନିଷ୍ୟା ।୧୦।

କୋବେର ଭଣ୍ଡାରୁ ଯେ ଧନ ଚଉର୍ଯ୍ୟ କଲେ

ଅମୂଲ୍ୟ ରତ୍ନମାନ ବେଶ୍ୟାନ୍ତ ନେଇଦିଲେ ।୧୧।

ୟେସନେକ ବୃତ୍ତାନ୍ତ ଜାଣିଣ ଧନେଶ୍ୱର

ସାତକଇଂ କଲାନେଇ ସାଦି ଶିବଂକ ଆଗର ।୧୨।

ଅନୀତି ଦେଖି କୋପକଲେ ଦେବରାୟେ

ଯାଆରେ ସାତଂକରି ପାଷାଣ ହୋଉ କାୟେ ।୧୩।

ସଦାଶିବ ସ୍ୱାମୀଂକି ସାତେହେଂ କଲେ ସେବା

ଭୋ ସ୍ୱାମୀ ବିଶ୍ୱନାଥ ଆମ୍ଭନ୍ତ ତବ ଭୁବନ ଦେବା ।୧୪।

ଶଂକର ବଦୟନ୍ତି ଇଚ୍ଛିଲ ଯେବେ ୟେହା

ମୋହୋର କପିଳାସେ ତୁମ୍ଭେରେ ପାବଚ୍ଛ ହୋଇଥାଆ ।୧୫।

ମୋତେ ଦ୍ରଶନ କରି ଆସିବେ ଯେତେ ନର

ସବୁରି ପାଦ ରଜ ପଡ଼ୁ ତୁମ୍ଭର ଉପର ।୧୬।

ଲୋମଶ କହିଲେ ଶୁଣ ହୋ ଯୁଝେଷ୍ଠି

ବିଶ୍ୱାବସୁଂକର ପୁତ୍ର ୟେ ପର୍ବତ ସାତ ଗୋଟି ।୧୭।

ୟେ ପର୍ବତ ସାତ ଗୋଟି ଉପୁଚି ଉଠିଆସି

ଦେଖଯାଇ କପିଳାସ ଶିଖରେ ଈଶ୍ୱର ବସି ।୧୮।

ଆସ ଆସ ବାବୁ ତୋତେ ନେମା ସେହି ତୀର୍ଥ

ଶୁଣିକରି ସାନନ୍ଦ ହୋଇଲେ ଧର୍ମସୁତ ।୧୯।

ପରୀକ୍ଷକୁ ରାଇକରି ଅନେକ ତିଆରି

ୟେ ଭ୍ରଥଖଣ୍ଡ ମଧ୍ୟେ ତୋତେ କିୟେ ନୋହେ ସରି ।୨୦।

ୟେ ରାଜ୍ୟ ପ୍ରତିପାଳିଣ ଥାଅସି ବାବୁ ଭଲେ

ଆସିବୁ ତୀର୍ଥ କରି ଲୋମଶଂକର ତୁଲେ ।୨୧।

ଶୁଣି ପରୀକ୍ଷ ନୟନୁ ବହେ ଅଶ୍ରୁବାରି

ସୋଦୋଦ୍ରାଂକୁ ପ୍ରବୋଧି ଅନେକ ହିଂ ତିଆରି ।୨୨।

ୟେହାକଇଂ ଘେନିଣ ରାଜ୍ୟେ ତୁମ୍ଭେ ଥାଅ ମାୟେ

ପଞ୍ଚୁଭ୍ରାଥ ଦ୍ରୋପତୀ ସହିତ ସଜ ହୋୟେ ।୨୩।

ସୋହାଣୀ ନାମେଣ ସେ ହରିସାହୁର ଦୁହିତୀ

ତାକୁ ସଙ୍ଗେ ଘେନିଣଗଲେ ଧର୍ମରାୟେ ନୃପତି ।୨୪।

ଯାନ୍ତେଣ ଭୀମସେନ ତାର ମନରେ ବିଚାରି

ପର୍ବତରେ ଉଠି ନୁଆରିବ ୟେ ବାଳୁତ ଯେ ନାରୀ ।୨୫।

ପର୍ବତର ତଳେ ତାହାକଇଂ ରୁହାଇଲେ

ସେହୁଠାବରେ ସେହୁ ସିଦ୍ଧ ନାମ ହୋଇଲେ ।୨୬।

ନାରାୟଣୀ ରୁଦ୍ରାୟଣୀ ହେଲେ ୟେହୁ ଯହୁଂ

ୟେବେ ନାରାୟଣୀ ପାଉ ଅଛଇ ନ ସହୁଂ ।୨୭।

କୁମ୍ଭମାସ କୃଷ୍ଣପକ୍ଷେ ଚତୁର୍ଦ୍ଦଶୀ ତିଥି

ଶତଭିଷା ନକ୍ଷତ୍ର ଶଉରିବାର ରାତି ।୨୮।

କପିଳାସେ ବିଜୟ କଲେକ ଧର୍ମସୁତେ

କହିଲେ ଯୁଗଶେଷ ଗବନ ବାନପ୍ରସ୍ଥେ ।୨୯।

ଭୀମକଇଂ କହିଲେ ତୁ ତଣ୍ଡୁଳ ଗୁଡ଼ାୟେ ଆଣ

ସହସ୍ର ମାଣ ତଣ୍ଡୁଳ ପଞ୍ଚନ କର ଅନ୍ନ ।୩୦।

ରାତ୍ରକ ବଞ୍ଚିବା ଆମ୍ଭେ ଭୁଞ୍ଜି ଶତପଳ ପଞ୍ଚାମୃତେ

ଧର୍ମପୁର ନଗ୍ରେ ଭୀମା ମିଳିଲା ତୁରିତେ ।୩୧।

କାଟିଣ ଧାନମାନ ଥୋଇଛନ୍ତି ଖଳା

ଭାରେକ ତହୁଂଣ ଆଣିଲାକ ଅମଳା ।୩୨।

ଯୁଝେଷ୍ଠି ବୋଇଲେ ବାବୁ ୟେହା ଆଣିଲୁ ୟେମନ୍ତେ

କାହିଂରେ ମଳିବ ତୁ ବଳଦ କାହିଂ ତୋତେ ।୩୩।

ବନସ୍ତ ଭିତରେ ଯାଇ ଭୀମସେନ ବୁଲି

ସାତଗୋଟି ବ୍ରାଘ ତହିଂ କଲାକ ୟେକ ପଲ୍ଲି ।୩୪।

ତାହାନ୍ତ ଘେନିଣ ସେ ମଳିଲାକ ଧାନ

ବାଛିଣ ପାଳ ଧାନ ଘେନଇ ଭୀମସେନ ।୩୫।

ପଥରେ ପକାଇଣ କରେ ମୁଥମାରି

ସହସ୍ରେ ମାଣ ଚାଉଳ ଘେନିଲା ସମ୍ପାଦି କରି ।୩୬।

ଆପଣେ ରାନ୍ଧଣା ତାହା କଲାକ ଅତିବେଗେ

ନେଇଣ କୁଢାଇଲା ଭାତ ଶିଖରେଶ୍ୱର ଆଗେ ।୩୭।

ଯୁଝେଷ୍ଠି ଦେବଂକ ପଛ କନିଆ ସୋହାଣୀ

ସେ ପର୍ବତ ତଳେ ତାକୁ ରୁହାଇଲେ ଆଣି ।୩୮।

ବୋଇଲେ ୟେହି ପର୍ବତରେ ଥାଇ ତୁ ଇଶ୍ୱରଂକୁ କର ସେବା

ବାହୁଡ଼ା ବେଳେ ତୋତେ ବାଣରାଶୀ ନେବା ।୩୯।

ସୋମବଂଶ ମଧ୍ୟେ ଗୋଟିଏ କନିଆ ନାୟେକାଣୀ

ତହୁଂ ସେ ନାୟେକାଣୀ ପଦହିଂ ନିର୍ବାଣି ।୪୦।

କଳିଯୁଗ ବାନ୍ଧିଥିଲେ ଯେବଣ ପର୍ବତରେ

କଳିକଳା ଗଡ଼ ସେହୁ ବନସ୍ତ ଭିତରେ ।୪୧।

ତହୁଂଣ ପାଣ୍ଡବେ ଯେ ଗଲେ ଦକ୍ଷିଣ ମୂରତି

ଚିତ୍ରଉତପଳା ନଦୀ ପାରି ହୋଇଣ ଯାଆନ୍ତି ।୪୨।

ଯମଦେବାତଂକୁ ବୋଇଲେ ଯୁଝେଷ୍ଠି ନୃପବର

ଲେଖନ କରି ଥାଅ ହୋ ପାଞ୍ଜିରେ ତୋହୋର ।୪୩।

ଚତୁର୍ଦ୍ଦଶୀ ଶିବରାତ୍ରିରେ ଯେ କପିଳା ସେ ଜାଗନ୍ତି

ସେ ଲୋକ ଅନେକ ଦୋଷକଲେ ତାଂକୁ ନଦେବୁ ଶାସ୍ତି ।୪୪।

ଯମଦେବତାଂକୁ ସ୍ୱାମୀ ସତ୍ୟ କରାଇଲେ

ତହୁଂଣ ଯୁଝେଷ୍ଠି ଦେବ ଦକ୍ଷିଣ ଭାଗେ ଗଲେ ।୪୫।

ଚିତ୍ରଉତପଳା ତୀରେ ଉପିଳେଶ୍ୱର ପୂଜି

ଅମରେଶ୍ୱର ଦ୍ରଶନେ ଅନେକ ତୋଷ ଭଜି ।୪୬।

ପ୍ରବେଶ ହୋଇଲେ ଯାଇ ୟେକାମ୍ବର ତୀର୍ଥେ

ବିନ୍ଦୁସାଗରେ ସ୍ରାନ କରି ଦେଖିଲେ ବିଶ୍ୱନାଥେ ।୪୭।

ୟେକାମ୍ବରେଶ୍ୱର ଦେବତାଂକୁ ତହିଂ କଲେ ପୂଜା

ପଞ୍ଚୁଲିଙ୍ଗ ଥାପିଲେ ଧର୍ମଂକର ତନୁଜ ।୪୮।

ତହିଂରୁ ଚଳିଯାନ୍ତେ ଅଗ୍ନିକୋଣ ମୃତ୍ତି

ପରାଚୀ ନଦୀ କୂଳେ ଯାଇ ପ୍ରବେଶ ହୁଅନ୍ତି ।୪୯।

ଲୋମଶ କହିଲେ ଯେ ଗୋପ୍ୟାନ ତୀର୍ଥ ପ୍ରାଚୀ

ସତ୍ୟଯୁଗେ ସ୍ରାହାନ ୟେଣେ କରୁଥିଲେ ଶଚୀ ।୫୦।

ଅମର ସ୍ୱର୍ଗ ଭୁବନୁଂ ଆସନ୍ତି ଓହ୍ଲାଇ

ଯେ ନଦୀରେ ସ୍ରାହନ କରି ଅଷ୍ଟଶମ୍ଭୁ ଦାହି ।୫୧।

ଅସୁର ଭୟ ବୋଲି ଇନ୍ଦ୍ର ଦେବତା ଦିଲେ ଦୀକ୍ଷା

ଅସି ସହସ୍ର ଗନ୍ଧର୍ବ କରନ୍ତି ତହିଂ ରକ୍ଷା ।୫୨।

ଯୁଝେଷ୍ଠି ଦେବ ବୋଇଲେ ଶୁଣିମା ଲୋମଶ୍ୟେ

ସତ୍ୟଯୁଗେ ଥିଲେ ୟେଥେ କେବଣ ରାକ୍ଷସେ ।୫୩।

ଲୋମଶ କହିଲେ ଶୁଣିମା ଦେବରାଜ

ରକ୍ଷ ଭକ୍ଷ ବୋଲି ଥିଲେ ୟେଥେ ବେନି ଯେ ଦନୁଜ ।୫୪।

ରକ୍ଷ ଭକ୍ଷଂକର ପୁତ୍ର ହେତି ଯେ ପ୍ରହେତି

ବଜ୍ରାଙ୍ଗ କାଳାନଳ ୟେ ତାଂକର ସନ୍ତତି ।୫୫।

ବଜ୍ରାଙ୍ଗର ନନ୍ଦନ ମାଳି ଯେ ସୁମାଳି ମାଲ୍ୟବନ୍ତ

କେତୁମାଳି ବୋଲି କରି ମାଲ୍ୟବନ୍ତର ପୁତ୍ର ।୫୬।

କେତୁମାଳିର ପୁତ୍ର ହୋଇଲା ଅଂଶୁମାଳି

ୟେହାଂକର ପୁତ୍ର ହୋୟେ କାଳୀ ଯେ ଗୋପାଳୀ ।୫୭।

ସେ ଗୋପାଳିର ନନ୍ଦନ ଯେ ଉଦୟେ ଭାନୁବନ୍ତ

ଭାନୁବନ୍ତ ଦତ୍ୟର ହୋଇଲା ତିନି ପୁତ୍ର ।୫୮।

କୀର୍ତ୍ତନ କୀର୍ତ୍ତିବାସ ଆରଡ଼େକ ତିନି

ୟେକାମ୍ବର ବନେ ରହିଲେ କୀର୍ତ୍ତିନ କାର୍ତ୍ତିବାସ ବେନି ।୫୯।

ଆରଡେକ ରହିଲା ପ୍ରାଚୀ କୂଳ ମାଡ଼ି

ମୃତିକା ପର୍ବତକୁ ସେ ନଗଲାକ ଛାଡ଼ି ।୬୦।

ଗୁପତ ହୋଇଣ ତୁମ୍ଭେ ବନେ ଥାଇ ଆରଡ଼େକି

ସ୍ରାହାନ କରି ଅଇଲେ ମାଗଇ ପଥୁକି ।୬୧।

ଗୁପତ ହୋଇଣ ସେ ବନେଣ ଥାଇ ଟାକି

ସ୍ରାହାନ କରି ଅଇଲେ ହରି ନେବ ଶଚୀକି ।୬୨।

ନାରଦ କହିଲେ ଇନ୍ଦ୍ରକଇଂ ମଞ୍ଚେଣ ଯାଉ ଶଚୀ

ଆରଡ଼େକ ଦଇତ ଯେ ଜଗିଅଛି ପ୍ରାଚୀ ।୬୩।

ଯୁଝେଷ୍ଠି ଦେବ ବୋଇଲେ ସେ କୀର୍ତ୍ତନ କୀର୍ତ୍ତିବାସ ବେନି

ତାହାନ୍ତ କେ ବଧ କଲା କହ ଲୋମଶ ମୁନି ।୬୪।

ଲୋମଶ ବୋଇଲେ ବାବୁ ୟେକାମ୍ବର ତୀର୍ଥେ

ଅସୁରଂକ ଭୟେ କେହୁ ନକରନ୍ତି ଆତଯାତେ ।୬୫।

ଦିନକରେ ଦିଗମ୍ବର ବୋଇଲେ ଶୁଣ ଗୋ ପାର୍ବତୀ

କେମନ୍ତେ ବଧ କରିଣ ଅସୁର ଦୁହିନ୍ତି ।୬୬।

ପାର୍ବତୀ ବୋଇଲେ ତୁମ୍ଭର ଆଗ୍ୟାଂ ଯେ ପାଇଲେ

ମୁଂ ୟେହାନ୍ତ ବଧ କରିବି ତୁମ୍ଭେ କୋପ ଯେ ନକଲେ ।୬୭।

ଯାଆ ବୋଲି ଆଗ୍ୟାଂ ଯେ ଦିଲେ ପଶୁପତି

କପଟେ ପାର୍ବତୀ ମଥାରେ ବହଇ ଦଧି ଯେ ନଉତି ।୬୮।

ବିଂଝଗିରି ପର୍ବତରେ ଅଛନ୍ତି କୀର୍ତ୍ତନ କୀର୍ତ୍ତିବାସ ବେନି

ଦେଖିଲେ ଗୋପାଲୁଣୀ ଜଗତ ମୋହିନୀ ।୬୯।

ଦରିଦ୍ରକୁ ନିଧି ପ୍ରାପତ ହୋଅଇ ଯେହ୍ନେ

ୟେତେକାଳେ ସେ ଅଇଲା ଆମ୍ଭର ୟେ ପୁଣ୍ୟେ ।୭୦।

ଦଧି ଓହ୍ଲାଇଣ ସେ ବସିଲାକ କତି

ଆମ୍ଭକଇଂ ଦିଅ ଗୋ ତୋ ଦଧି ଯେ ନଉତି ।୭୧।

ବାଭିୟେ ମୁହିଂ ବଧୁ କୁଳ ଭୁଆସୁଣୀ

ଧାନଗୁଡ଼ାୟେ ବିକି ନେଲେ ବଞ୍ଚୁ ପଞ୍ଚୁଅ ପରାଣୀ ।୭୨।

ବୋଲନ୍ତି ଦୟିତେ ତୁ ଯେ ଧାନଗୁଡ଼ାୟେ ବିକୁ

ହୀରା ନୀଳା ନଉତିୟେ ପୂରାଇ ଦେବୁ ତୁକୁ ।୭୩।

ଆପଣେ ପତ୍ର ଘେନି ବସିଲେ ଭାଇ ବେନି

ପରଶନ୍ତି ମାହେଶ୍ୱରୀ ଓରାରେ ଦହି ଘେନି ।୭୪।

ହାସ୍ୟ ପରିହାସ୍ୟ ଅସୁରେ ତାହା ସଙ୍ଗି

ବାଭିୟେ ବହନ କରି ଭୁଞ୍ଜିବଇଂ ବେଗି ।୭୫।

ୟେକା ଦହି ଦଉଡ଼ି ପରଶନ୍ତି ସତୀ

ଯେତେ ଇଚ୍ଛା ଦୟିତେ ଭୁଞ୍ଜନ୍ତି ତ୍ରିପୁତି ।୭୬।

ମଉଦଧି ଶୋଷି ପାରନ୍ତି ଦଇତେ

ୟେକା ଦଧି ନଉତି ଯେ ପୂରିଲାଗର୍ଭଗତେ ।୭୭।

ଭୁଞ୍ଜିଣ ଦୟିତେ ଯେ ଆଞ୍ଚୋବନ କଲେ

ସୁବର୍ଣ୍ଣ ନଉତି ଯେ ପୂରୋଇଣ ଦିଲେ ।୭୮।

କାଲି ଦଧି ଆଣି ଦେବଟି ଆମ୍ଭଂକୁ

ଆବର କି ଦ୍ରାରିଦ୍ର ରହିବାକୁ ତୁକୁ ।୭୯।

ଚଳିଲେ ଗୋସାମଣି ଭୁବନ କପିଳାସେ

ସମସ୍ତ କହିଲେ ଯାଇ ସଦାନନ୍ଦ ପାଶେ ।୮୦।

ଭାଳନ୍ତି ଅସୁରେ ମନ୍ଦ କୃତ୍ୟ କଲୁ

ହସ୍ତଗତ ତିରୀ ରତ୍ନେ କିମ୍ପେ ଛାଡ଼ିଦିଲୁ ।୮୧।

ନପୁଣ ସେ କାଲି ନୁଆସଇ ଗଉଡ଼ୁଣୀ

ପୁନରପି ଆଉ କି ସେ ପାଇବା ରମଣୀ ।୮୨।

କାମଭୋଳେ ବିଚାର ଯେ ପାହିଲା ରୟଣୀ

ବିଂଝଗିରି ପର୍ବତେ ଥାଇ ଚାହୁଥାନ୍ତି ବେନି ।୮୩।

ଦେବାଙ୍ଗ ବସ୍ରମାନ ଯେ ପିନ୍ଧିଲେ ପାର୍ବତୀ

ସର୍ବ ଅଳଂକାର ଅଙ୍ଗେ ମଥାରେ ଦଧି ଯେ ନଉତି ।୮୪।

ଦଇବେ ପାର୍ବତୀଂକି ପଟାନ୍ତର କିସ ଅଛି

ମୁନି ମନମୋହିନୀ ସେ ଅସୁରେ କାହିଂ ମୃଚ୍ଛି ।୮୫।

ନେଇଣ ମହାଦେଈ ଓହ୍ଲାଇଲେ ଦହି

ବୋଇଲେ ଦୁରନ୍ତକେ ଆସ ଆସ ଗୋ ପ୍ରାଣସହି ।୮୬।

ମତୁଆଳ ମତ୍ତ ଦେଖି ଦେବୀ ଯତ୍ନକରି

ଶାକର ମେହିଣ ଅଛନ୍ତି ଦଧିରେଣ ଭରି ।୮୭।

ଭୁଞ୍ଜନ୍ତି କୀର୍ତ୍ତନ କ୍ରୀତିବାସ ପରଶନ୍ତି ଉମା

ଦଇତେ ବୋଲୁଛନ୍ତି ତୁ ହୁଅଗୋ ଆମ୍ଭର ବାମା ।୮୮।

ଅନେକ ରତ୍ନ ଅଳଂକାରମାନ ତୋତେ ଦେବୁଂ

ପଞ୍ଚମଶରେ ତୋତେ କାମେଣ ମନାଇବୁଂ ।୮୯।

ବୋଇଲେ ଗୋପାଳୁଣୀ ମୁହିଂ ତୁମ୍ଭର ଭଜିଲି

ରାଗେଣ ଭାଳଇ ମୁଂ କିମ୍ପାଇ ଛାଡ଼ିଣ ଅଇଲି ।୯୦।

ୟେକା ମୋହୋର ଓଷା ଗୋଟିୟେକ ଅଛି

ତାହା ପ୍ରତିପାଳିଲେ ମୁଂ ତୁମର କାମାକ୍ଷୀ ।୯୧।

କୀର୍ତ୍ତନ କ୍ରୀତିବାସ ବୋଇଲେ କହ ତୁମ୍ଭର କି ଓଷା

ଦେବଂକୁ ଦୁଲ୍ଲଭ ହୋଇଲେ ଆମ୍ଭେ ପୂରୋଇବୁଂ ମନୀଷା ।୯୨।

ବୋଇଲେ ଗୋପାଳୁଣୀ ନୋହଇ ଧନେ କାର୍ଯ୍ୟ

କିଞ୍ଚିତ ସେ ଅଟଇ କହିବାକୁ ବଡ଼ଲାଜ ।୯୩।

ତୁ ଆମ୍ଭର ଭାରିଯା ଆମ୍ଭେ ତୋହୋର ପ୍ରଭୁ

କହସି ବେଦନା ସଖି କାହାକୁ ଡରି ତୁ ଭାବୁ ।୯୪।

ପାର୍ବତୀ କହିଲେ ଦୁହିଂକର କନ୍ଧେ ମୁଂ ପାଦ ଦେଇଥିବି

ହାଥେ ହାଥେ ଦେଇ ତୁମ୍ଭର ମୁଣ୍ଡ ମୁଂ ଧରିଥିବି ।୯୫।

ବୁଲାଇବ ମୋତେ ତିନିକୋଶ ପରିଯନ୍ତେ

ୟେତେକ କଲେ ମୁଂ ତୁମ୍ଭ ଭାରିଯା ଯୁଗତେ ।୯୬।

ମୋହେ ମୋହିଲେ ଦେବୀ ଅସୁରେ ପଡ଼ିଲେ ମୋହବନ୍ଧେ

ଦୁଇଭାଇ ନେଇ ତାଂକୁ ବସାଇଲେ କାନ୍ଧେ ।୯୭।

ମତୁଆଳ ରସ ଖାଇଣ ମତୁଆଳି

କାନ୍ଧରେ ଠିଆ କରି ବୁଲାଇଲେ ମହୀଆଳୀ ।୯୮।

ୟେକାମ୍ବର ଦେବତାଂକର ଛାମୁରେ ୟାଇଂ ମିଳି

ଦୁର୍ଗା ଅବତାରେ ଦେବୀ ଶରୀର ଉଗୁଳି ।୯୯।

ମହାବଳିଷ୍ଠ ରୂପେ ଅସୁରନ୍ତି ପୟରେ ଚାପି

ଦୁଇଭାଇନ୍ତ କଲେ ଭୂମିରେଣ ଗୋପି ।୧୦୦।

ୟେକାମ୍ବର ବନ ପଚ୍ଛିମେ ଭୁବନେଶ୍ୱର

ତାହାର ଉତ୍ତର ଦିଗେ ଚାପିଲେ ଅସୁର ।୧୦୧।

ଚାପନ୍ତେ ଅସୁରଂକର ଦିଶିଲାକ ଶିର

ଦଇତେ ବୋଇଲେ ମାଗୋ କପଟ ତୋହୋର ।୧୦୨।

ବୋଲନ୍ତି ମହାଦେବୀ ମୁହିଂ ସେ ପାର୍ବତୀ

ୟେତେକ ଦୃଶ୍ୟ ଥାଉ ଗୋ ଦେଖୁଥାଉଂ ସବୁନ୍ତି ।୧୦୩।

ୟେବେତ ହୋଇଲାନି ଗୋଟିଏ ଆମ୍ଭର ମରନ୍ତେ

କୀର୍ତ୍ତନ କ୍ରୀତିବାସ ନାମ ଧରି କ୍ଷତ୍ରକୁ ଆମ୍ଭନ୍ତ ସମସ୍ତେ ।୧୦୪।

ତାହାଂକର ଧର୍ମରୁ ମାଗେ ଆମ୍ଭନ୍ତ ଅଧେକ ଦେଅସି

କୀର୍ତ୍ତନ କ୍ରିତିବାସ ଦୁଇଦଇତ ନାଶି

ବିଂଝଗିରି ତଟେ ଶୋଇଲେ ଦେବୀ ଆସି ।୧୦୫।

ଈଶ୍ୱରେ ଲୋଡ଼ିଣ ଆସନ୍ତି ଚଉକତି

ଶୟନ ଦେଖି ପଦତଳେ ଶୋଇଲେ ପଶୁପତି ।୧୦୬।

ଶୁଣ ବାବୁ ଯୁଝେଷ୍ଠି ବୋଇଲେ ଲୋମଶ

ୟେକାମ୍ର ବନେ ରହିଲେ ବେନି ଯେ ରାକ୍ଷସ ।୧୦୭।

 

ଆରେଡ଼କ ଦଇତ ୟେହାଂକର କନିଷ୍ଠ

ମୃତ୍ତିକା ଗିରି ଶିଖରେ ପ୍ରାଚୀ ନଦୀତଟ ।୧୦୮।

କୀର୍ତ୍ତନ କ୍ରୀତିବାସ ଦୁହିନ୍ତି ଦୁର୍ଗା ନାଶ କଲେ

ୟେକାମ୍ବର ତୀର୍ଥକୁ ଯେ ଦେବୀ ଉଦ୍ଧାରିଲେ ।୧୦୯।

ଯୁଝେଷ୍ଠି ବୋଇଲେ ହୋ ଚାଲ କରିବା ତୀର୍ଥ

ଦେଖିଲେ ମାରିବା ଆମ୍ଭେ ଆରଡ଼େକ ଦଇତ ।୧୧୦।

ଲୋମଶନ୍ତ ଘେନି ଚଳିଲେ ପଞ୍ଚୁଭ୍ରାଥ

ଯାଇଂଣ ମିଳିଲେ ସେ ପ୍ରାଚୀନଦୀ ତୀର୍ଥ ।୧୧୧।

ପ୍ରାଚୀନଦୀ ତୀର୍ଥେ ପାଣ୍ଡବେ ପ୍ରବେଶ ହୋଇଲେ

ପାଣ୍ଡବେ ପଞ୍ଚତୀର୍ଥ ତହୁଂ ସେ ବୋଇଲେ ।୧୧୨।

କୁଣ୍ଡେ ପଶି ସ୍ରାହାନ କରନ୍ତେ ଦେବଧର୍ମେ

ଦେଖିଲେ କୃଷ୍ଣବର୍ଣ୍ଣ ମାଧବ ପ୍ରତିମେ ।୧୧୩।

ଶଙ୍ଖ ଚକ୍ର ଗଦା ଯେ ଶୋହଇ ପଦ୍ମହସ୍ତ

ଯୁଝେଷ୍ଠି ତୋଳି ଆଣିଲେ ମାଧବ ଦେବତାନ୍ତ ।୧୧୪।

ପାଣ୍ଡବ ଘାଟରେ ୟେ ଥୋଇଲେ ତାଂକୁ ଆଣି

ପ୍ରତକ୍ଷେ ନାରାୟଣ ବୋଲି ଶୁଭିଲା ଆକାଶର ବାଣୀ ।୧୧୫।

ଉଚ୍ଚ ବାଚ ଶୁଣି ଆରେଡ଼କ ଦଇତ

ଧାମଇ ଦୂରାନ୍ତେକ କୋଠାର ବେନି ହାଥ ।୧୧୬।

ଭୀମସେନ ବୋଇଲା ତୁମ୍ଭେ ମାଧବେ କର ପୂଜା

ମୁହିଂ ଚୂର କରିବି ଆରେଡ଼କ ଦନୁଜା ।୧୧୭।

ନିଉନ ବଳ ଦେଖି ଅସୁର କଲାକ କଟାଳ

ଗଦାବର ବୁଲାଇଲା ପାଣ୍ଡବ ମହାବଳ ।୧୧୮।

ଆରତେକ ପିଟିଲା ଯେ ବେନି କୋଠାର ଘେନି

ଭୀମସେନ ବାମ ଅଙ୍ଗେ ପଡ଼ିଉଠିଲା ବହନି ।୧୧୯।

ପୁଣିହିଂ ଭୀମସେନ ପିଟିଲା ବେନି ଗଦା

ଅଙ୍ଗରେ ପଡ଼ି ଭାଜିଲା ରହିଲାକ ଅଧା ।୧୨୦।

ଖଣ୍ଡିତ ଗଦା ପକାଇ ବ୍ରିକୋଦର

ଅସୁରକୁ ଧଇଲା ସେ ମାଲବନ୍ଧ ସମର ।୧୨୧।

ଧରା ଧରି କୋଡ଼ା କୋଡ଼ି ଗଡ଼ାଗଡ଼ି ଯାନ୍ତି

ନଖ ଦନ୍ତଘାତେଣ ଶ୍ୱରୀର ବିଦାରନ୍ତି।୧୨୨।

ତିନିକୋଣ ଓସାର ଯେ ବନସ୍ତ ଚୂରଗଲା

ମୃତ୍ତିକା ଗିରି ଶିଖରେ ଭୀମକଇଂ ଆରଡ଼େକ ମାଡ଼ିବସିଲା ।୧୨୩।

ବଜ୍ରମୁଥ ପ୍ରହାର କଲାକ ଦତ୍ୟ ତମେ

ବହଇ ଶ୍ରୋଣିତ ଯେ ଗଳଇ ରୋମେ ରୋମେ ।୧୨୪।

କୋପେଣ ଦଇତ ଯେ ଗର୍ଜଇ ମହାଘୋର

ଧାତିକାରେ ବସିଲା ପୁଣ ଭୀମସେନ ଉପର ।୧୨୫।

କୀରଟୀ ବୋଲି ଯହୁଂ ବୋଇଲାକ ପାବେନି

ଛାଡ଼ିଲା ଡ଼ାକ ଆରଡ଼େକ ବିନ୍ଧାଣ କର୍ମଘେନି ।୧୨୬।

ଦୁଜ ଯୁଦ୍ଧକୁ ଭୀମ ଅଟଇ ବଳବନ୍ତା

ଶତସିଂଘ ପ୍ରାକର୍ମେ ତ୍ରଇଲୋକ୍ୟଯାକ ଜିତା ।୧୨୭।

ଅରଣ୍ଡେକ ଧରି ତଳେ ପାଡ଼ିଲା ମାରୁତି

ମନ୍ଦର ଗିରି ଜାଣି ମାଡ଼ି ବସିଲା ନିଭ୍ରାନ୍ତି ।୧୨୮।

ଚଳ ପ୍ରଚଳ ହୋଇ ଦଇତ ନୁଆରିଲା

ବିନ୍ଧାଣେ ହାରିଲି ବୋଲି କିରିଟୀ ବୋଇଲା ।୧୨୯।

ଭୀମସେନ ବୋଇଲା ଦଇତ ହୋଇଲୁକି ବାଇ

ୟେକା ଜଣକହିଂ କିରିଟୀ ବୋଲୁ କାହିଂ ।୧୩୦।

ଗଦା ନାହିଂ ଯେଣୁ ମାରଇ ବଜ୍ରମୁଥ

ଅଗ୍ନି ବୃଷ୍ଟି ହୋଇଲା ଦାନବର ଗାତ୍ର ।୧୩୧।

ବେନି ପାଦ ଧରି ଭୀମ ବୁଲାଇଲା ଅନ୍ତରୀକ୍ଷେ

ପର୍ବତ ଉପରେ ନେଇ ପିଟିଲା ପ୍ରତକ୍ଷେ ।୧୩୨।

ଅଶି ତଳେ ଉତ୍ସର୍ଗ ଯେ ମୃତ୍ତିକା ନାମେ ଗିରି

ଅସୁରକଇଂ ପିଟନ୍ତେ ସେ ହୋଇଲାକ ଚୂରି ।୧୩୩।

ଆକାଶବାଣୀ ଶୁଭିଲା ନ ମରଇ ଦଇତ

ତୁହୋ ବ୍ରିକୋଦର ମାଡ଼ି ବସିଥାଅ ୟେଥ ।୧୩୪।

ବ୍ରିକୋଦର ନଦେଖି ଧାମନ୍ତି ତିନିଭାଇ

ଦେଖିଲେ ବ୍ରିକୋଦର ମାଡ଼ିବସିଛି ଦଇତକଇଂ ।୧୩୫।

ଆକାଶର ବାଣୀ ସେ ଦିଲେ ଦେବରାଜା

ଆହୋ ଯୁଝେଷ୍ଠି ତୁ ମାଧବ ଘେନିଯା ଯା ।୧୩୬।

ପ୍ରାଚୀ ନଦୀ ତୀରେ ମୃତ୍ତିକା ଗିରି ଶିଖର

ଆରେଡ଼କ ଦତ୍ୟକୁ ମାଡ଼ି ବସିଛି ବ୍ରିକୋଦର ।୧୩୭।

ୟେ ମାଧବ ପ୍ରତିମା ତହିଂ ଉପରେ ବିଜେକର

ତେବେ ସେ ଦାନବ ଯେ ହୋଇବ ଅପହାର ।୧୩୮।

ଚାରିଯୁଗକଇଂ ତୋହୋର କଥାରହୁ

ଯୁଝେଷ୍ଠି ମାଧବ ବୋଲି ୟେହାର ନାମ ହେଉ ।୧୩୯।

ବ୍ରହ୍ମାଂକ ବଚନ ଶୁଣି ଯୁଝେଷ୍ଠି ରାଜଦେବ

ଶିରେଣ ବସାଇଲେ ଯୁଝେଷ୍ଠି ମାଧବ ।୧୪୦।

ମୃତ୍ତିକା ଶିଖରେ ଆରଡ଼େକ ଉତ୍ତାନଶାୟୀ

ଶିରେଣ ମାଧବ ବିଜେ ଜଗତ୍ର କଲେ ତ୍ରାହି ।୧୪୧।

ଆରେଡ଼େକ ଗଳାକୁ ଭୀମସେନ ଦିଲାମାଡ଼ି

ନିଶ୍ଚେଷ୍ଟ ହୋଇ ଯେ ଅସୁର ବୀର ପଡ଼ି ।୧୪୨।

ଯୁଝେଷ୍ଠି ଦେବ ବିଜେ ମାଧବ ପାଦତଳେ

ତୁ ଦେବ ମହାଶମ୍ଭୁ ଅଟୁ ସର୍ବ କାଳେ ।୧୪୩।

ବାଳ ବୃଦ୍ଧ ତରୁଣ ପ୍ରତକ୍ଷେ ତିନିରୂପ

ସନ୍ଦେଶ ଗାରେଡ଼ି ଦେବ ବିଷ ହରଣ ଦର୍ପ ।୧୪୪।

ହେ ପଣ୍ଡିତ ଜନେ ହାଦେ ମୁଂ ନୁହଇ ଗ୍ୟାଂତା

ବିଦୁଜନ ମୁଖେ ନ ଶୁଣିଲି ଶାହାସ୍ର ସଂଘିତା ।୧୪୫।

ସେ ପାଣ୍ଡବ ଘାଟେ ସ୍ରାହାନ ସାରିଣ ଯୁଝେଷ୍ଠି

ସେ ମୃତ୍ତିକା ଗିରି ଉପରେ ଯାଇ ଉଠି ।୧୪୬।

ସେ ପର୍ବତେ ଉଠିଣ ମାଧବ ଦ୍ରଶନେ

ବାଳ ବୃଦ୍ଧ ତରୁଣ ରୂପ ଦେଖୁ ୟେକ ଦିନେ ।୧୪୭।

ଜନ୍ମଯାକେ ଆଉ ନ ଲାଗଇ ପାପ

ହରଇ ସର୍ବଦୋଷ ନାଶକରଇ ତାପ ।୧୪୮।

କିସ କରିବ ହୋ ନାନା ତୀର୍ଥ ଗବନେ

ଧର୍ମ ଅର୍ଥ କାମ ମୋକ୍ଷ ଯୁଝେଷ୍ଠି ମାଧବ ଦ୍ରଶନେ ।୧୪୯।

ମାଧବ ସୁମର ନରେ ରୋଗ ବ୍ୟାଧି ନ ପୀଡ଼ୁ

ମାଧବ ସୁମର ନରେ କାଳ ଦଣ୍ଡ ନ ପଡ଼ୁ ।୧୫୦।

ମାଧବ ସୁମର ନରେ ହରୁ ସର୍ବ ପାପ

ମାଧବ ସୁମର ନରେ ସିଦ୍ଧ ହୋଉ ଜପ ।୧୫୧।

ମାଧବ ସୁମର ନରେ ପ୍ରାପତ ହୋଉ ସିଦ୍ଧି

ମାଧବ ସୁମର ନରେ ପ୍ରସାର ହୋଉ ବୁଦ୍ଧି ।୧୫୨।

ମାଧବ ସୁମର ନରେ କାଳ କଳଂକ ନ ପଡ଼ୁ

ମାଧବ ସୁମର ନରେ ହତ୍ୟା ହିଂ ନ ପୀଡ଼ୁ ।୧୫୩।

ମାଧବ ସୁମର ନରେ ଅଇଶ୍ୱର୍ଯ୍ୟ ଭୁଞ୍ଜ

ମାଧବ ସୁମର ନରେ ସିଦ୍ଧହୋଉ ସର୍ବକାର୍ଯ୍ୟ ।୧୫୪।

ମାଧବ ସୁମର ନରେ ବଦ୍ଧ ବନ୍ଧନ ଫିଟୁ

ମାଧବ ସୁମର ନରେ ଆୟୁଷ ନ ତୁଟୁ ।୧୫୫।

ମାଧବ ସୁମର ନରେ ଧନ ସନ୍ତାନ ହୋଉ

ମାଧବ ସୁମର ନରେ ଦୁଖ ଅପାଦ କ୍ଷୟ ଯାଉ ।୧୫୬।

ଅନନ୍ତ କୋଟି ମହିମାଂ ଯେବଣ ଯୁଝେଷ୍ଠି ମାଧବ

ପଞ୍ଚଭୂତେ ଲୟ କରି ମାଧବ ଚରଣେ ସେବ ।୧୫୭।

ବାଳ ବୃଦ୍ଧ ତରୁଣ ତିନି ମୃତ୍ତି ଦେଖି

ପରଲୋକ ବାନ୍ଧବ ସେହି ଅଟଇ ସାକ୍ଷୀ ।୧୫୮।

ପ୍ରତକ୍ଷେ ନାରାୟଣ ସନ୍ଦେଶ ଗାରେଡ଼ି

ପ୍ରସନ୍ନେ ଅବତାର ଯେ ବଳି ଦର୍ପ ମାଡ଼ି ।୧୫୯।

ଶ୍ୱେତ ପୀତ କୁଂକୁମ ଅଟଇ ତିନିରୂପ

କଳି କାଳ ଜାଣି ସ୍ୱାମୀ ହୋୟେ ଯେବଣ ସରୂପ ।୧୬୦।

ଅସଂଖ୍ୟ ମହିମା ଯାର ନ ସରଇ କହନ୍ତେ

ମୁହିଂ କିସ ଅନ୍ତ କରିବି ଲେଖନ୍ତେ ।୧୬୧।

ଅପଣ୍ଡିତ ଲୋକ କିସ ମୋର ବୁଦ୍ଧି

ଯୁଝେଷ୍ଠି ମାଧବ ଚରଣେ ସୟଳ ଜନ ବନ୍ଦି ।୧୬୨।

ମନ ବଚନ କର୍ତ୍ତବ୍ୟେ ନ ପଶୁ ମୋର ଆନ

ସର୍ଜନ ଶୁଦ୍ରମୁନି ସାରୋଳାଦାସ ଧ୍ୟାନ ।୧୬୩।

ଶ୍ରୀମହାଭାରତ ୟେ ମୁନି ଅଂଶ ବାକ୍ୟେ

ୟେହା ମୁଂ ଘଟଣ କରଇ ଯେହ୍ନେ ମୋର ଶକ୍ୟେ ।୧୬୪।

ଯୁଝେଷ୍ଠି ମାଧବ ଚରଣାରବିନ୍ଦେ

ବଦୟନ୍ତି ଶୁଦ୍ରମୁନି ସାରୋଳାଦାସ ତୁଳୁସାର ବଲ୍ଲଭ ମମ ହୃଦେ ।୧୬୫।

Image

 

ଯୁଧିଷ୍ଠିରଙ୍କର ଉତ୍ତର ଦିଗ ତୀର୍ଥେ ଗମନ, ଅପ୍ରତିଷ୍ଠା ଡାକେଶ୍ୱରୀ ବିବରଣ ଓ ଅସ୍ତ୍ରଶସ୍ତ୍ରାଦି ତ୍ୟାଗ

 

ମାଧବ ଦ୍ରଶନ ଯେ ସାରିଣ ଯୁଧିଷ୍ଠିର

ଚଳନ୍ତି ପଞ୍ଚୁବୀରେ ଲତା ଗହନ କନ୍ଦର ।୧।

ଗମନ୍ତି ପାଣ୍ଡବେ ଯେ ପଚ୍ଛିମ ମୂରତି

ମହ୍ଲାର ରାଜ ବଳରାମ ଭୁବନେ ମିଳନ୍ତି ।୨।

ବିଜୟେ ନାରାୟଣ ଶବରୀ ଦେବତା

ତାହାନ୍ତ ଦ୍ରଶନ କଲେ ପଞ୍ଚୁ ମହାରଥା ।୩।

ତହୁଂଣ ବିଜୟେ ତୁଳସୀ ନଗ୍ର ପୁରେ

ଦେଖିଲେ କୋଠରୀ ଯେ ରୁଦ୍ରନଦୀ ତୀରେ ।୪।

ପ୍ରଶୁରାମଂକ ସନ୍ତକ କର୍ଣ୍ଣୟେ କଟାରି

ଯେଣେ ସେ ୟେକୋଇଶି ବାର ପୃଥୀ ନିଛତ୍ର କରି ।୫।

ରୁଧିରେ ତର୍ପଣ କରି ଭଇରୋବୀ କଲେ ପୂଜା

କରେ ବିଜେ କର୍ଣ୍ଣ କଟାରୀ ଦିଲେ ଜମଦଗ୍ନିଂକ ତନୁଜା ।୬।

ପଞ୍ଚୁପାଣ୍ଡବେ ଯେ ତାଂକୁ ବିନୟେ ଭଗତି

ଜୟ ତୁ କୋଠାରୀ ଗୋ ଖଣ୍ଡସି ଦୁର୍ଗତି ।୭।

ଯୁଗଯୁଗାନ୍ତରେ ତୁମ୍ଭେ ଅହର୍ନିଶି ଯୁବା

ଜଗୁଜନମୋହିନୀ ଗୋ ଘେନ ମୋର ସେବା ।୮।

ତାରିଣୀ କାରେଣୀ ଗୋ ହୁଂକାରେ ନର ଭୋଜୀ

ମାତାଙ୍ଗୀ ମତୁଆଳୀ ଗୋ କେଳି ଅଇଶ୍ୱର୍ଯୀ ।୯।

ନମୋ ନମୋ ମାତା ଗୋ ସଦା ମତୁଆଳୀ

ପ୍ରସନ୍ନେ ମହାଦେବୀ ଗୋ ରୋଧିରେଣ ଭୋଳୀ ।୧୦।

ଜାତ ଅନ୍ତ ମଧ୍ୟେ ଅବିକାର ଯାର କାୟେ

ପ୍ରସନ୍ନ କୋଠାରୀ ଗୋ ଉଦ୍ଧର ମହାମାୟେ ।୧୧।

ଜୟ ତୁ ଚଣ୍ଡୀ ଚାମଣ୍ଡା ଗୋ ଅଭୟ ତ୍ରିଶୁଳି

ତବ ନାମ ମୁହିଂ ଗୋ ଚିନ୍ତଇ ତିନି ଓଳି ।୧୨।

ସିଦ୍ଧ କୋଠାରୀଂକର ଚରଣେ ଅନୁବ୍ରତେ

କବିତ୍ୱ ସାରୋଳାଦା ସବିନୟେ ଭଗତେ ।୧୩।

ଅଗସ୍ତିଂକି ପୁଛାକଲେ ବଇବସୁତ ମନୁ

ସ୍ୱର୍ଗ ଆରୋହଣ କଥା କହିବା ମତେ କୁମ୍ଭଋଷି ତନୁ ।୧୪।

କୋଠାରୀଂକି ଦ୍ରଶନ କରିଣ ନୃପମଣି

ସେ ପାଣ୍ଡବ ପାଞ୍ଚଭାଇ ଗଲେ କାହିଂ ପୁଣି ।୧୫।

ଶୁଣ ହୋ ମହାରାଜା କଥୟନ୍ତି ଅଗସ୍ତି

ରୁଦ୍ର ନଦୀ ତୀରେ ରହିଲେ ପଞ୍ଚୁପାଣ୍ଡବ ଦ୍ରୋପତୀ ।୧୬।

ଯୁଝେଷ୍ଠି ଦେବ ବୋଇଲେ ଶୁଣ ବ୍ରିକୋଦର

ୟେ ନଦୀ ପାରିହୋଇ ବୁଝ ୟେ କେବଣ ତୀର୍ଥବର ।୧୭।

ଆଗ୍ୟାଂରେ ବ୍ରିକୋଦର ନଦୀ ହୋଇଲା ପାରି

ଦକ୍ଷିଣକୂଳେ ଥାଇ ରେ ରେ କାର କରି ।୧୮।

ଯୁଝେଷ୍ଠି ବୋଇଲେ ୟେ କେବଣ ଆକାର

ଡାକଦିଅରେ ଅର୍ଜୁନ ବାହୁଡୁ ବ୍ରିକୋଦର ।୧୯।

ଅର୍ଜୁନ ଡାକ ଦିଅଇ ବେଗେ ଆସ ବାହୁଡିଟି

ଭୀମସେନ ବୋଇଲେ ତୁମ୍ଭମାନେ କେ’ଟି ।୨୦।

ଅର୍ଜୁନ ବୋଇଲେ ଆମେ ଚାରି ପାଣ୍ଡବେ

ଅର୍ଜୁନ ନକୁଳ ସହଦେବ ଯୁଝେଷ୍ଠି ରାଜଦେବେ ।୨୧।

ନୟନ ବୁଲାଇ ବୋଇଲେ ପାଣ୍ଡବେ କେ’ରେ

ଜାଣିବା ତୁମ୍ଭର ଦର୍ପ ୟେବେ ୟେଣିକି ଆମ୍ଭେରେ ।୨୨।

ସହଦେବ ମୁଖ ଚାହିଂ ବୋଲନ୍ତି ଯୁଝେଷ୍ଠି

କେବଣ ଚରିତ ବାବୁ ୟେତ ବଡ ଅରିଷ୍ଟି ।୨୩।

ସହଦେବ ବୋଇଲେ ସତ୍ୟ ଯୁଗେ ମାନଧାତା ଯାଗ କଲେ

ମହୀମଣ୍ଡଳ ପ୍ରଜାନ୍ତ ସମସ୍ତ ନିମନ୍ତ୍ରିଲେ ।୨୪।

ରେ ରେ କାର ଶବଦେ ୟେଥେ ରହିଲେ ଡାକେଶ୍ୱରୀ

ଅମୋକ୍ଷ ଭୂମି ତେଣିକି ତପୋଧନେ ନୁହନ୍ତି ପାରି ।୨୫।

ସ୍ୱାମୀ ଶଉଚ ଅଶଉଚ ନଜାଣନ୍ତି ବେନି

ପ୍ରକୃତି ଶଂକା କରି ତହିଂ ଜଳହିଂ ନଘେନି ।୨୬।

ମାନିତି ଗଉରୋବି ନାହିଂ ସବୁ ୟେକାକାର

ଦ୍ୱିଜ ଚାଣ୍ଡାଳ ୟେକତ୍ୱ ତହିଂ ନାହିଂ ବେଭାର ।୨୭।

ଭୋଜନ କଲେ ଦେବ ନଜାଣନ୍ତି ଅଇଂଠା

ଶୁକର ମାଂସ ମଦିରା ହାଣ୍ଡି ବସ୍ତ୍ର ଅପାଲଟା ।୨୮।

ଅବିଚାରେ ରମଣ କରନ୍ତି ମନ ଇଚ୍ଛା

ଯୋନି ଯଉବନ ଅରକ୍ଷଣ ବନ୍ଧନ ନାହିଂ କଛା ।୨୯।

ଯୁଝେଷ୍ଠି ଦେବ କହିଲେ ନ କହରେ ୟେସନେକ ବାଣୀ

ଯିବ ଛାଡି ୟେ ପଥ ଶ୍ରବଣେ ନ ଶୁଣି ।୩୦।

ସହଦେବ ବୋଇଲେ ତେଣିକି ଚାହିଂଲେଣ ହୋଇବ ବଡ ଦୋଷ

ଯୁଝେଷ୍ଠି ଭୀମକଇଂ ବୋଇଲେ ବାବୁ ବାହୁଡି ବେଗେ ଆସ ।୩୧।

ନିଶ ଫୁଲାଇ ଭୀମ ବୁଲାଇ ବାଡି

ୟେଣିକି ଅଇଲେରେ ପକାଇବି କଚାଡି ।୩୨।

ଯୁଝେଷ୍ଠି ଆଗ୍ୟାଂ ଦିଲେ ଅର୍ଜୁନ ସହଦେବ ଯାଅ ୟେହିକ୍ଷଣି

ଗାଢ଼େଣ ଧରି ଭୀମକଇଂ ବହନ ଆଣ ପୁଣି ।୩୩।

ସହଦେବ ଅର୍ଜୁନ ଯେ ଗଲେ ତହୁଂ ବେନି

କୋଳ କରି ଅଇଲେ ଭୀମକଇଂ ଘେନି ।୩୪।

ଭୀମସେ ନବୋଇଲେ ୟେସନେକ ନେଇ

ୟେହାକୁ ପାରି ହେଲେ ପିତା ପୁତ୍ରକୁ ନ ଚିହ୍ନଇ ।୩୫।

ବାରବ୍ରତ ନଜାଣଇ ଶାହାସ୍ର କିଛି ପାଠ

ରାନ୍ଧଣା ସଙ୍ଗେ ଭୁଞ୍ଜନ୍ତି ବାସି କିବା ଉତ୍ତିଷ୍ଠ ।୩୬।

ଗୋ ବ୍ରାହ୍ମଣ ନ ଜାଣେ ନ ଜାଣେ ବ୍ରହ୍ମହତ୍ୟା

କେ ଜାଣଇ ତୋହର ହୋ ହରିହର ଦେବତା ।୩୭।

ୟେ ରୁଦ୍ର ନଦୀ ପାର ହୋଇ ନଯାଅ ନରେ ତେଣେ

ଶ୍ରବଣେ ହାଥ ଦେଇ ବାହୁଡନ୍ତି ଦେବ ଧର୍ମେ ।୩୮।

ଲେଉଟି ରହିଲେ ଆସି ୟେକାମ୍ବର ବନେ

କ୍ରିତିବାସ ଦକ୍ଷିଣ ଦିଗେ ରହିଲେ ୟେକ ଦିନେ ।୩୯।

ଭୀମସେନ ଅନ୍ନ ତହିଂ କଲାକ ପଞ୍ଚନ

ବିନ୍ଦୁସାଗରେ ସ୍ରାହାନ ସାରି କଲେକ ଭୋଜନ ।୪୦।

ବିଂଝମାଳେ ପଶି ଯାଇ କରନ୍ତି ଗବନ

ୟେକ ଠାବ ହୋଇଥାନ୍ତି ଛଡ ଜଣ ।୪୧।

ଚିତ୍ରୋତ୍ପଳା ପାର ହୋଇ ଉତ୍ତର ମୂରତି

ବଇତରଣୀ ନଦୀ ତୀରେ ରହିଲେ ପଞ୍ଚୁରାତି ।୪୨।

ତହିଂରୁ ପାଣ୍ଡବେ ହୋଇଲେ ପଶ୍ଚିମ ମୂରତି

ଫଲୁକି ଦ୍ରଶନ କଲେ ଯାଇଣ ସେ ଧାତି ।୪୩।

ରାମଗୟା ତୀର୍ଥେ ଯାଇଂ ରହିଲେ ପାଞ୍ଚଦିନ

ସାରିଲେ ସଂକଳ୍ପ ଶ୍ରାଦ୍ଧ ପିତୃ କାର୍ଯ୍ୟ ମାନ ।୪୪।

ଯଥା ବିଧି କରି ତହିଂ ବାଲି ପିଣ୍ଡ ଦେଲେ

ଶ୍ରୀଗଦାଧରଂକ ପ୍ରସନ୍ନେ ପିତୃ କାର୍ଯ୍ୟ କଲେ ।୪୫।

ଗୟାରେ ଶ୍ରାଦ୍ଧ କଲେ ଯେ କୁଟୁମ୍ବ ବନ୍ଧୁ ମାନେ

ପିତୃ ସୁହୃଦ କଲେ ଦେବଗଣ ଆପ୍ୟାନେ ।୪୬।

ତହୁଂଣ ପାଣ୍ଡବେ ଯେ ବିଜୟେ କରି ଆସି

ମଣିକା ତୀର୍ଥେ ପ୍ରବେଶ ବାଣରାସୀ ।୪୭।

ମଣି ହଜାଇ ଯାହା ଖୋଜିଲେ ସୁଢଳ

ତହିଂ ସେ ଛାଡିଲେ ଶିବ କରୁ ବ୍ରହ୍ମ କପାଳ ।୪୮।

ସେ ତୀର୍ଥ ସ୍ରାହାନ ସାରି ଦେଖିଲେ ବିଶ୍ୱନାଥ

କାଶୀପୁର ନଗ୍ରେ ଧର୍ମେ ରହିଲେ ଦିନା ସାତ ।୪୯।

ସେଠାରୁ ଯାନ୍ତି ମକର ପ୍ରତିପଦା ଦିନ

ସେ ଦିନ ପୁଷ୍ୟା ନକ୍ଷତ୍ର ଥିଲା ବିଦ୍ୟମାନ ।୫୦।

ବାୟିବ୍ୟ ନାମେ କରଣ ବିତପାତ ଯୋଗ

ମକର ସଂକ୍ରାନ୍ତି କି ସତର ଦିନ ଭୋଗ ।୫୧।

ପାଣ୍ଡବେ ଯାଇ ବିଜେ କଲେ କାଶୀପୁର

ମକର ମାସେ ଦ୍ରୋପତୀ ଅଛନ୍ତି ସଙ୍ଗତର ।୫୨।

ବ୍ୟାସ ମାରକଣ୍ଡ ଯେ ପ୍ରବେଶ ହେଲେ ଆସି

ଦେଖିଣ ଧର୍ମନନ୍ଦନ ଚରଣ ସମ୍ଭାଷି ।୫୩।

ମାରକଣ୍ଡ ବୋଇଲେ ଯୁଝେଷ୍ଠି ପଞ୍ଚୁରାଜ୍ୟ ତେଜି ଆସି

ତପୋଧନ ଲୋକେ ସେ ଆସନ୍ତି ବାଣରାସୀ ।୫୪।

ଶୁଣିଣ ଯୁଝେଷ୍ଠି ଦେବ ଦିଅନ୍ତି ପ୍ରତିବାଚ

ପଞ୍ଚୁ କଟକ ରାଜ୍ୟେ କରଇ ପରୀକ୍ଷ ।୫୫।

ଆମ୍ଭେ ୟେ ଅନେକ ସୋଦରନ୍ତ ବଧକଲୁ

ହତ୍ୟା ବିମୋଚନ ଅର୍ଥେ ତୀର୍ଥେ କରିଅଇଲୁ ।୫୬।

ମାରକଣ୍ଡ ବୋଇଲେ ଯେବେ ହୋଇଲ ତୀର୍ଥବାସୀ

ଶସ୍ରେଧାରୀ ହୋଇଲେ କିସ ଧର୍ମ ଆସି ।୫୭।

ୟେହୁ ପଞ୍ଚଧନୁ ଦଶ ତ୍ରୋଣ ଦେବଂକ ଭଣ୍ଡାର

ଭାରା ନିବାରଣେ ସିନା ତୁମ୍ଭର ହାଥର ।୫୮।

ତୀର୍ଥ ବାସେ ବାନପ୍ରସ୍ଥେ ହୋଇବ ଅଶକତ

ଅସୁରେ ହରିନେମେ ତୁମ୍ଭର ତହୁଂ ଦେବ ଶହସ୍ରନ୍ତା ।୫୯।

ବ୍ରହ୍ମା ପେଶିଲେ ଯେ ଦୃଭାସ୍ୟା ମହାଋଷି

ୟେ ଶହସ୍ର ମାନଂକୁ କପିଳାସ ନିଅସି ।୬୦।

ଦୁର୍ଭାସ୍ୟା କହିଲେ ଆସି ଯୁଝେଷ୍ଠିଂକ ଅଗ୍ରତେଣ

ୟେ ଧନୁ ତ୍ରୋଣେ ଦିଅ ଆମ୍ଭେ ନେମୁ କପିଳାସ ଭୁବନ ।୬୧।

ଶୁଣିଣ ଯୁଝେଷ୍ଠି ଦେକଲେକ ସନମତ

ଚାରି ଧନୁ ଅଷ୍ଟତ୍ରୋଣ ଦିଲେ ଦୃଭାସ୍ୟାଂକ ହାଥ ।୬୨।

ଅର୍ଜୁନ ନଦିଲା ଯେ ଗାଣ୍ଡିମ ନାମେ ଧନୁ

ମୁଂ ୟେହାନ୍ତ ଛାଡିତ ନୁଆରଇ ଧର୍ମତନୁ ।୬୩।

ଆତ୍ମାହୁଂ ଅଧିକ ଯେ ଅଟଇ ମୋହୋର ସେନେହା

ପ୍ରାଣଥିବା ଯାୟେ ଛାଡି ନୁଆରଇ ୟେହା ।୬୪।

ଚାରି ଧନୁଅଷ୍ଟ ତ୍ରୋଣ ଦୃଭାସ୍ୟାୟେ ନେଲେ

କୁବେର ଭଣ୍ଡାରେ ସେ ନେଇଣ ଥୋଇଲେ ।୬୫।

ଅଗ୍ନି ଦେବତାୟେ ବ୍ରାହ୍ମଣେକ ହୋଇ

ପାଣ୍ଡବଂକ ସନ୍ନିଧ୍ୟେ ପ୍ରବେଶ ହେଲେଯାଇଂ ।୬୭।

ପ୍ରତିଗ୍ରହ କରି ସେ ମାଗିଲେ ଗାଣ୍ଡିମ

ତୋହର କରେ ଥିଲେ ନାଶଯିବଟି ଧର୍ମ ।୬୭।

ଯୁଝେଷ୍ଠି ଦେବ ବୋଇଲେ ଆମ୍ଭେ ଯିବା ବାନପ୍ରଶସ୍ତେ

ୟେ ଧନୁ ଶହସ୍ର ରଖିବାର ନୁହଂଇ ଯୁଗତେ ।୬୮।

ୟେ ଧନୁଶହସ୍ରକୁ ଯେବେ ତୋର ଇଚ୍ଛା

ବାହୁଡ଼ି ଯାଅ ବାବୁ ଯହିଂ ଅଛଇ ପରୀକ୍ଷ ବଛା ।୬୯।

ଅର୍ଜୁନ ବୋଇଲେ ସ୍ୱାମୀ ନ ଦେଖିଲେ ଯେତେ

କୃଷ୍ଣ ଗଲେ ଅର୍ଜୁନ ବ୍ରତିବ କେମନ୍ତେ ।୭୦।

ସ୍ୱାମୀ ଅଗ୍ନି ଦେବତାୟେ ୟେହା ଦେଇଛନ୍ତି ମୁକୁ

ତାହାଂକ ବିତ୍ରକେ ୟେହା ନ ଦିଅଇ ଆନକୁ ।୭୧।

ବ୍ରାହ୍ମଣ ବୋଇଲା ତୁ ଦିଅ ମୋର ହାଥେ

ଅଗ୍ନି ଦେବତାୟେ ତୋଷ ହୋଇବେ ଯୁଗତେ ।୭୨।

ଅର୍ଜୁନ ବୋଇଲା ଯେବେ ନୟନେ ନ ଦେଖଇ

ୟେ ଧନୁ ତ୍ରୋଣ ମୁଂ କେସନେକେ ଉପେକ୍ଷଇ ।୭୩।

ବଦୟନ୍ତି ଦ୍ୱିଜବର ଆମ୍ଭେ ସେ ବଶ୍ୟାନର ଅଗ୍ନି

ଦେଖାଅ ତୋହର ନିଜ ରୂପ ବୋଇଲା ଫାଲଗୁନି ।୭୪।

ତତକ୍ଷଣି ବହନି ବିକାଶିଲେ ରେଖା

ପଞ୍ଚସ୍ତରୀ ଡାଳ ହୋଇଲା ଲାଗିଲାକ ଶିଖା ।୭୫।

ଦେଖିଣ ଅର୍ଜୁନ ଯେ ଅନେକ ବିନୟେ

ବେନି ଲୋଚନରୁ ଅନେକ ଅଶ୍ରୁ ଜଳ ବହେ ।୭୬।

ଗାଣ୍ଡିମ ଧନୁ ତ୍ରୋଣ ପକାଇଲା ଅନଳେ

ଘେନିଣ ଗଗନ ଗତି କଲେ ବଶ୍ୟାନରେ ।୭୭।

ଅନ୍ତରୀକ୍ଷେ ଥାଇ ଯେ ବୋଇଲେ ବହନି

ତୁ ୟେଥକୁ ବିକୃତ ନ ପାଅ ଫାଲଗୁନି ।୭୮।

ଭାରା ନିବାରଣେ ପୁଣ ହୋଇବୁ ତୁ ଜାତ

ତୋହର ହାଥେ ଦେବା ୟେ ଧନୁ ଶହସ୍ରନ୍ତ ।୭୯।

ୟେତେ କହି ତହୁଂ ଗଲେକ ବହତି

ଶୁଣିଣ ଅର୍ଜୁନ ଯେ ହୋଇଲା ତ୍ରିପୁତି ।୮୦।

ମାରକଣ୍ଡ ବୋଇଲେ ଶୁଣ ହୋ ଧର୍ମରାୟେ

ୟେହୁ ବାଣରାସୀ ତୀର୍ଥ ପାପ କରେ କ୍ଷୟେ ।୮୧।

ମଣିକୁଣ୍ଡେ ସ୍ରାହାନ କରି ଈଶ୍ୱର ରୂପ ଦେଖି

ତୀର୍ଥ କରାବନ୍ତି ତହିଂ ମାରକଣ୍ଡ ମହଋଷି ।୮୨।

ମାରକଣ୍ଡ ବୋଇଲେ ୟେଥୁଂ ଯାଅ ଯା ବହନ

ବହୁତ ବିଳମ୍ବ ୟେଥି ରହି ନୁଆରଇ ୟେ ଥାନ ।୮୩।

ସମସ୍ତ ଲିଙ୍ଗମୟେ ୟେଥି ଆନତ ନାହିଂ କିଛି

ୟେକା ଡାକକେ ନବ ସହସ୍ର ଲିଙ୍ଗଅଛି ।୮୪।

କରତାଳକେ ପଞ୍ଚସ୍ତରୀ ଲିଙ୍ଗ

ପଞ୍ଚସ୍ତରୀ ମୂରତି ଧବଳୀ ସତସଙ୍ଗ ।୮୫।

ପାଦ ବଢ଼ାବନ୍ତେ ଯେ ଲିଙ୍ଗେକ ଅଛଇ

ୟେ ବିଧି ପଞ୍ଚକୋଶରେ ଥିବା ଧର୍ମ ନଯୋଗାଇ ।୮୬।

ଯଦ୍ୟପି ୟେଥେଣ ବଞ୍ଚିବ ଦିନେକ ଅବା ରହି

ପ୍ରକୃତି ଶଂକା ଶଉଚକୁ ଭୂମି ୟେଥି ନାହିଂ ।୮୭।

ଅଇଲେ ଅନେକ ଧର୍ମ ରହିଲେ ଅନେକ ଧର୍ମ ନାଶ

ବିଳମ୍ବେ ଥିବାର ୟେଥେ ପିରୋଜନ କିସ ।୮୮।

ମାରକଣ୍ଡେ ବୋଇଲେ ଅନ୍ୟ ଥାନେ ଶଉଚ ସାରିଣ ଆସିବା

ଧାତିକାରେ ଯାଇ ମଣିକର୍ଣ୍ଣିକରେ ପଶିବା ।୮୯।

ସ୍ରାହାନ ସାରିଣ ଦ୍ରସନ କରିବା ଦେବ ବିଶ୍ୱେଶ୍ୱର

ରନ୍ଧନ ଭୋଜନ ନଯୋଗାଇ ୟେ ତୀର୍ଥର ।୯୦।

ଭୋଜନ ସାରିଣ ୟେଥେ ଆଞ୍ଚୋବନ କଲେ

କଲା ଧର୍ମ ନାଶଯାଇ ୟେଥ ଉତ୍ତିଷ୍ଠ ପକାଇଲେ ।୯୧।

ମାରକଣ୍ଡ ବଚନ ଶୁଣି ପଞ୍ଚୁବୀରେ

ଚଳିଲେ ପଞ୍ଚିବୀରେ ନ ରହିଲେ ସେ ତୀର୍ଥବରେ ।୯୨।

ତହୁଂଣ ପଞ୍ଚୁପାଣ୍ଡବେ ରାତ୍ର ଦିବସ ପଥ ବହି ଗୟେ

ପ୍ରାଗତୀର୍ଥରେ ଯାଇଂ ବିଜୟେ ଧର୍ମରାୟେ ।୯୩।

ବହଇ ତ୍ରିବେଣୀ ଗଙ୍ଗା ଯମୁନା ସରସ୍ୱତୀ

ତିନି ଧାର ୟେକ ସଙ୍ଗ ଭିନ୍ନ ଭିନ୍ନ ମୂରତି ।୯୪।

ପଛିମ କଇଂ ମୂରତି ବହଇ ଧବଳାଙ୍ଗୀ

ସର୍ବ ପ୍ରତିକ୍ଷଣ କରି ସତସଙ୍ଗୀ ।୯୫।

ବିଜୟ ମାଧବ ଯେ ପ୍ରୟାଗେ ନିଜ ତଟେ

ବଇକୁଣ୍ଠ ଭେଦି ସେ ଅଛଇ ବାଞ୍ଛାବଟେ ।୯୬।

କୃପ ଅଶସ୍ତମା ପ୍ରଶୁରାମେ ତହିଂଛନ୍ତି

ତ୍ରିବେଣୀ ଗଙ୍ଗାୟେ ପଶି ସ୍ରାହାନ କରନ୍ତି ।୯୭।

ମକର ମାସେ ହୋୟେ ଶୁକ୍ଳପକ୍ଷ ପଞ୍ଚମୀ

ଅର୍କବାର ରୋହିଣୀ ନକ୍ଷତ୍ର ଯୋଗ ବ୍ରହ୍ମି ।୯୮।

କୃପ ଅଶସ୍ତମାକଇଂ ଯୁଝେଷ୍ଠି ପ୍ରତିକ୍ଷଣ

ପ୍ରଶୁକଇଂ ଦେଖି ବିନୟେ ଶରଣ ।୯୯।

ଯୁଝେଷ୍ଠି ଦେବଂକୁ କହିଲେ ଅଶସ୍ତମା

ୟେ ସେ ପ୍ରଶୁରାମ ହୋ ଅଟନ୍ତି ଦୁତୀବ୍ରହ୍ମା ।୧୦୦।

ସତ୍ୟଯୁଗ କଥାମାନ କହିଲେ ପ୍ରଶୁରାମେ

ସାବଧାନ ହୋଇ ଶୁଣିମା ଦେବଧର୍ମେ ।୧୦୧।

ଅଶସ୍ତମା କହିଲେ ମହାଭାରଥ ଯୁଦ୍ଧ କଥା

ପାଣ୍ଡବଂକ ପ୍ରତଗ୍ୟାଂ ଯେବଣ ବାରତା ।୧୦୨।

ସମସ୍ତେ ଯେ ସ୍ରାହାନ କଲେ ସେ ତୀର୍ଥେ

ଅଶସ୍ତମା ବୋଇଲେ ରହିବାକ ୟେଥେ ।୧୦୩।

ଯୁଝେଷ୍ଠି ବୋଇଲେ ୟେ କଳିକାଳ ଅନୀତି

ପଞ୍ଚୁପୁର ତେଜି ମୁଂ ଅଇଲି ସବୁନ୍ତି ।୧୦୪।

ଯୁଝେଷ୍ଠି ଦେବ ବୋଇଲେ ଆମ୍ଭେ ହିଙ୍ଗୁଳା ପରଖି ଆସିବୁ

ତୁମ୍ଭର ତୁଲେ ଆସି ସମୟେକେ ରହିବୁ ।୧୦୫।

ୟେତେ ବୋଲିଣ ତହୁଂ ଚଳିଗଲେ ଛଡଜଣେ

ହରିଲେ ଦୁଷ୍କୃତ ଯେ ମାଧବ ଦରଶନେ ।୧୦୬।

ତୁ ଯେ ବାଞ୍ଛାବଟ ଅଟୁ ସିଦ୍ଧକାମ

ହେମବନ୍ତରେ ଆମ୍ଭର କାୟା ହେଉ ନୀନ(ଲୀନ) ।୧୦୭।

ୟେତେ ବାଞ୍ଛା ତହିଂ କରିଣ ଧର୍ମରାୟେ

ପଶୁପତି ତୀର୍ଥରେ ଯାଇଂ ବିଜୟେ ପଣ୍ଡୁର ତନୟେ ।୧୦୮।

ବହି ଗଣ୍ଡୁକୀ ଯେ ଉତ୍ତର ବାହିନୀ

ତହିଂ ସ୍ରାହାନ ପଶୁପତି ଦ୍ରଶନ କଲେ ପୁଣି ।୧୦୯।

ତହୁଂଣ ବିଜୟେ ଯେ କଲେ ଛଡ଼ ମୃତ୍ତି

ଦେଖିଲେ ନଦୀ ଗୋଟି ବହଇ ମାଳତୀ ।୧୧୦।

ତହିଂ ସେ ବିଶ୍ୱାମିତ୍ରଂକର ତପ ସ୍ଥାନ

ଆକାଶ ଶିଖାତ ଶ୍ୱେତ ନାମେ ବନ ।୧୧୧।

ମହାବିସ୍ତାର ସେ ଦ୍ରାକ୍ଷାଂକର ଶାଖା

ଫଳ ପୁଷ୍ୟ ନାହିଂ ଗଗନେଣ ରେଖା ।୧୧୨।

ତହିଂ ଯାଇ ଭେଟିଲେ ବିଶ୍ୱାମିତ୍ର ମୁନି

ମୁନିଂକ ଚରଣ ତଳେ କରନ୍ତି ଦୟିନି ।୧୧୩।

ଭୋ ମୁନି ହେଙ୍ଗଳାକଇଂ ଦ୍ରଶନ କରିବୁ

ତୋହର ପ୍ରସନ୍ନ ହେଲେ ଦ୍ରଶନ ପାଇବୁ ।୧୧୪।

ୟେତେ କହିଣ ତାହାନ୍ତ ଗଲେକ ସମସ୍ତେ

ଯାଇଂଣ ଉଠିଲେ ସେ ହେଙ୍ଗୁଳା ପର୍ବତେ ।୧୧୫।

ଦେଖିଲେ ହେଙ୍ଗୁଳା ଯେ ନୋହଇ ଶସ୍ରଧାରୀ

କାମସେଣୀ ସରୂପେ ସେ ଯେ ପ୍ରସନ୍ନେ ଯୋଗେଶ୍ୱରୀ ।୧୧୬।

ଲୋହିତ ବର୍ଣ୍ଣକାୟେ ସର୍ବେଣ ବେନି ଭୁଜ

ଲୋଚନ ବିରାଜଇ ଜାତ ଅନଳ ତେଜ ।୧୧୭।

ଯୁଝେଷ୍ଠି ରାଜଦେବ ରୂପ ଦେଖିପୁଣି

ସଂସିଦ୍ଧ କାନ୍ତାନୀ ୟେ ନୋହଇ ନାରାୟଣୀ ।୧୧୮।

ବିଶ୍ୱାମଇତ୍ର ବୋଇଲେ ତ୍ରେତାଯୁଗେ ଧନପାଳ ନାମେ ସାଧୁ

ହେଙ୍ଗୁଳା ନାମେଣ ଯେ ତାହାର କୁଳବଧୂ ।୧୧୯।

ସମୟେକେ ସାଧବ ଯେ କଲା କାମ୍ୟଶ୍ରାଦ୍ଧ

ଗଣ୍ଡା ମାରି ଆଣି ଦିଲା ବୋଇଲା ବେଗେ ୟେହା ରାନ୍ଧ ।୧୨୦।

ଲୋହିତ ବର୍ଣ୍ଣ କାବ୍ବେଣା ଯେ କଲା ପାକ ଯୋଗେ

ଦେବଋଷିମାନେ ତାହା ଆପ୍ୟାନ କଲେ ବେଗେ ।୧୨୧।

ପାକସିଦ୍ଧ ଦେଖି ହୋଇଲେ ତ୍ରିପୁତି

ପିତୃଲୋକେ ଆଘ୍ରାଣେ ହୋଇଲେ ଶାନ୍ତିମୃତ୍ତି ।୧୨୨।

ପିତୃଲୋକମାନେ ବୋଇଲେ ତୋହର ଜୀବନ ସାଧୁ ସାଧୁ

ବଂଶ ହିଂ ସାଧୁ ତୋହର ତୁ ଯାହାର କୁଳବଧୂ ।୧୨୩।

ହେଙ୍ଗୁଳା ନାମ ତୋହର ଆଜହୁଂ ୟେହି ମଧ୍ୟ ପୁରେ

ସିଦ୍ଧ ହୋଇ ଥାଅ ତୁ ରଣସ୍ତମ୍ଭ ଗଡରେ ।୧୨୪।

ମାନବ ଜନ୍ମେ ଯେ ଅବା ତୋତେ ପରଖି

ବଂଶ ତାହାର ଅତୁଟ ବର୍ଦ୍ଧୃତ ହେଉ ଲଚ୍ଛୀ ।୧୨୫।

ତୋହର ନାମ ଧରି ଯେହୁ ପାକ ସମ୍ପାଦେ ସ୍ୱତୀ

ତାହାର ପିତୃଲୋକେ ପାବନ୍ତି ଭଗତି ମୁକତି ।୧୨୬।

ହିଙ୍ଗୁଳା ସୁମର ନରେ ଦରିଦ୍ର କ୍ଷୟେ ଯାଉ

ହିଙ୍ଗୁଳା ସୁମର ନରେ ଅପାଦ ପଳାଉ ।୧୨୭।

ହିଙ୍ଗୁଳା ସୁମର ନରେ ପିତୃଲୋକେ ପାବନ୍ତୁ ଗତି

ହିଙ୍ଗୁଳା ସୁମର ନରେ ଭୋଜନେ ହୋଅ ତ୍ରିପୁତି ।୧୨୮।

ଲୋହିତ ବର୍ଣ୍ଣ ସୁନ୍ଦର ବିଜୟେ ନିର୍ମଳା

କୃପାଜଳ ନନ୍ଦିନୀ ଗୋ ପ୍ରତକ୍ଷେ ହିଙ୍ଗୁଳା ।୧୨୯।

ପରମ ନିରାକୁଳି ସୟଳ ଜନଚିନ୍ତ

ଶିରୀ ସମ୍ପଦ ଦିଅନ୍ତା ହାତେ ଉଦ୍ଧରନ୍ତ ।୧୩୦।

ୟେକାଦଶ ବର୍ଣ୍ଣ ପଞ୍ଚାଶ ଯାଂର ମୁଦ୍ରା

ଖେଚରୀ ସାଧନେ ତୁ ମଗ୍ନା ଯନ୍ତ୍ରେ ଭଦ୍ରା ରୁଦ୍ରା ।୧୩୧।

ଅମୃତ ଲୋଚନ ଦୂରିତ ଜନ ଦୁଖହରା

ତାରିଣୀ ମାରିଣୀ ଗୋପାଳଣୀ ଉଗ୍ରତାରା ।୧୩୨।

ଜଗୁଜନ ବୋଧିନୀ ମମ ହୃଦ ଚିନ୍ତା

ଶିରୀ ସମ୍ପଦ ଦେଇ ତୁ ସଂକଟୁ ଉଦ୍ଧରନ୍ତା ।୧୩୩।

ଅବ୍ୟଗତ ଅପର୍ଣ୍ଣା ଗୋ ସାରଳା ଚଣ୍ଡୀଦେବୀ

ତୁଳୁସାର ବଲ୍ଲଭ ସେବେ ସାରୋଳଦାସ କବି ।୧୩୪।

Image

 

Unknown

ହିମବନ୍ତ ପର୍ବତେ ଦ୍ରୌପଦୀ, ସହଦେବ, ନକୁଳ, ଅର୍ଜୁନ ଓ ଭୀମଙ୍କର ତନୁତ୍ୟାଗ

 

ୟେଥୁ ଅନନ୍ତରେ ଯେ ବିଲଂକ ଦେଶ ରାଜା

ଅଗସ୍ତି ମହରଷିଂକ ଚରଣେ କଲେ ପୂଜା ।୧।

ବସନ କୁଣ୍ଡଳ ନବ ରତ୍ନମାଳା ପୁଷ୍ୟ ଚନ୍ଦନ ଦେଇ

ଶତେ ଶହସ୍ର ଦଣ୍ଡ ପ୍ରଳମ୍ବିତ ହୋଇ ।୨।

ମୁନିୟେ ଶୁଣିମା ଯୁଝେଷ୍ଠି ସ୍ୱର୍ଗ ଆରୋହଣ କଥା

କେବଣ ପ୍ରକାରେ ହୋଇ ଜଣେ ଜଣେ ମଲେ ପଞ୍ଚୁ ମହାରଥା ।୩।

ୟେହା ମୋତେ ସଞ୍ଚପି କହିବା ମହାମୁନ୍ୟ

ତବ ମୁଖୁ ଶୁଣି ପାପ ମୋହର ହୋଇବ ଦହନ ।୪।

ହିଙ୍ଗୁଲା ପରୀକ୍ଷ ବୋଲି ବୋଇଲେ ବିଶ୍ୱାମିତ୍ରେ

କର୍ଣ୍ଣ ମହରଷି ଅଛନ୍ତି କର୍ଣ୍ଣକୁଟ ପରବତେ ।୫।

କର୍ଣ୍ଣକୁଟ ପର୍ବତେ ବସିଛନ୍ତି କର୍ଣ୍ଣ

ଗଙ୍ଗା ବହି ଆସୁଛନ୍ତି ମେରୁ ସନ୍ନିଧାନ ।୬।

ଗଙ୍ଗା ଯମୁନା ସରସ୍ୱତୀ ତିନି ଧାର

ତିନିହେଂ ପଶୁଛନ୍ତି ସେ ଋଷିଂକ ଗର୍ଭର ।୭।

ଦୁଇ କର୍ଣ୍ଣରେ ଦୁଇଧାର କଣ୍ଠରେ ସରସ୍ୱତୀ

ଡ଼ାହାଣ ଜାନୁ ଫୁରି ବାହାର ତିନି ମୃତ୍ତି ।୮।

ତପ କରି ସତ୍ୟଯୁଗେ ଆଣିଲେ ଗଙ୍ଗା ଭଗୀରଥି

କର୍ଣ୍ଣଋଷି ଗଣ୍ଡୁଷ କଲେ ଗଙ୍ଗା ଯମୁନା ସରସ୍ୱତୀ ।୯।

ସେ ଗର୍ଭୁଂ ବହିଣ ଅଛଇ ସତ୍ୟଯୁଗେ

ସହଦେବ କହିଲେ ଯୁଝେଷ୍ଠି ଦେବ ଆଗେ ।୧୦।

ତହିଂକି ହେମବନ୍ତ ବିଶାଶୟେ ଯୋଜନ

ମହା ହିମ ତହିଂ ଯେ ପଡ଼ଇ ଅବିଚ୍ଛନ୍ନ ।୧୧।

ଘୋଳ ମଛନେ ଯେହ୍ନେ ବାହାର ହୋଅଇ ଫେନ

ସେହିମତି ପ୍ରାୟେ ମେଦିନୀ ଉତପନ୍ନ ।୧୨।

ଚାଲନ୍ତେ ଚରଣ ମିଳାଇ ହାତ ମାୟେଂସ

ଦ୍ରୋପତୀ ବୋଲନ୍ତି ଦେବ ୟେଣେ କାର୍ଯ୍ୟ କିସ ।୧୩।

ଯୁଝେଷ୍ଠି ବୋଲନ୍ତି ଦେବୀ ଗୋ ଯିବା ହିମବନ୍ତେ

ତହିଂକି ନିକଟ ସ୍ୱର୍ଗ ଦେଖିବା ଦଇବତେ ।୧୪।

ଆମ୍ଭର ପଞ୍ଚଭୂତ ଆତ୍ମାହିଂ ଭଗବାନ

ସେ ଯେବେ ତେଜ୍ୟା କରିଗଲେ ୟେ ଭୁବନ ।୧୫।

ଆମ୍ଭରଜୀବନେ ଆଉ କିସ ପିରୋଜନ

ଅଥବା ୟେଥେ ଥିଲେ ଅର୍ଜିବା ପାପମାନ ।୧୬।

ପବନହୁଂ ବେଗେ ସେ ଚଳନ୍ତି ଯୁଝେଷ୍ଠି

ହେମବନ୍ତ ପର୍ବତ ଉପରେ ବେଗେ ଉଠି ।୧୭।

ସୁମରନ୍ତି ଭଗବାନ ବିଷ୍ଣୁ ଯେ ଦେବତା

ତୁହି ସେ କାରଣ ନାଥ ବିହନ୍ତା ଉଦ୍ଧରନ୍ତା ।୧୮।

କ୍ଷୁଧାରେ ଦ୍ରୋପତୀ ପର୍ବତକୁ ନୁଆରିଲେ ଉଠି

ଦ୍ରୋପତୀ ବୋଲନ୍ତି ଦେବ ଶୁଣିମା ଯୁଝେଷ୍ଠି ।୧୯।

କ୍ଷୁଧା ତୃଷା କଲା ମୋତେ ନୁଆରଇ ଯାଇ

ଆଜକ ରହିବା ୟେଥି ସ୍ୱାମୀ କାଲି ଯିବା ପଥବାହି ।୨୦।

ଯୁଝେଷ୍ଠି ବୋଇଲେ ଅନ୍ନେ କାର୍ଯ୍ୟ କିସ

ପୁଣ୍ୟ ଭୁବନ ୟେଥି କରିବା ଉପବାସ ।୨୧।

ପ୍ରାଣ ଯେବେ ଆମ୍ଭେ ୟେ ତୀର୍ଥେ କରିବାନା ତ୍ୟାଗ

ଆବର ଶରୀରକୁ କିସ ଦେବା ଭୋଗ ।୨୨।

ଆସ ଗୋ ଦ୍ରୋପତୀ ତୁମ୍ଭେ ଅନ୍ନକୁ ନକର ଆଶ

ପର୍ବତ ଉପରେ କରିବା ଅନେକ ଫଳମୂଳ ଗ୍ରାସ ।୨୩।

ଆସ ବୋଲି ରାୟେ ଦ୍ରୋପତୀଂକି ଗଲେ ଛାଡ଼ି

ପାଦ ଢଳି ଦ୍ରୋପତୀ ପଡ଼ିଲେ ମୁହଂ ମାଡ଼ି ।୨୪।

ସ୍ୱାମୀ ରଖ ରଖ ବୋଲି ଢଳି ପଡ଼ିଲେକ ସତୀ

କୋଳ କରି ତୋଳି ବେଳେ ଧଇଲା ମାରୁତି ।୨୫।

ହା ହା ପ୍ରିୟା ବୋଲି ଆଲିଙ୍ଗନ କଲା

ଆଶ୍ୱାସନା କରି ଭୀମ କୋଳରେ ଧଇଲା ।୨୬।

ଭୀମସେନ ହାକ ଦିଅଇ ରାୟେ ବାହୁଡ଼ି ଆସ

ପ୍ରାଣର ଭାବିନୀ ତୁମ୍ଭର ହେଉଛି ବିନାଶ ।୨୭।

କିମ୍ପେ ଧର୍ମ ନୃପତି ବିମୁଖ କିମ୍ପେ ହେଉ

ଦ୍ରୋପତୀ ମରୁଛି ଉପେକ୍ଷି କିମ୍ପେ ଯାଉ ।୨୮।

ନୁହସି ବିମୁଖ ସ୍ୱାମୀ ଦେଖ ତୋର ବାମା

ତ୍ରଇଲୋକ୍ୟ ମୋହିନୀ ୟେହୁ ରୂପେଣ ଅନୁପମା ।୨୯।

ୟେହାକୁ ଛାଡ଼ିଯିବାକୁ କେମନ୍ତ ମନ ହେଲା

ପାଷାଣ ଶରୀର ତୁମ୍ଭର ବିଧାତା ଗଢିଲା ।୩୦।

ଯୁଝେଷ୍ଠି ବୋଇଲେ ହୋ ଦ୍ରୋପତୀକି ଛାଡ଼ିଆସ ଭୀମ

ଯେ ଯାହାର ଗତିରେ ନିର୍ଜିତ କଲା କର୍ମ ।୩୧।

ଆସ ଆସ ଭୀମ ଛାଡ଼ ତାକୁ କୋଳ

ମାୟା ମୋହ ବନ୍ଧନ ଯେ ନୋହଇ ୟେତେବେଳ ।୩୨।

କେ କାହାର ସୋଦର କେ କାହାର ଭାରିଜା

କେ କାହାର ପୁତ୍ର ବନ୍ଧୁ କେ କାହାର ଆତ୍ମଜା ।୩୩।

ଶୁଣିଣ ଭୀମସେନ ବୋଲଇ ଦୁଖମନେ

ୟେଡ଼େକ ନିପ୍ରୋହି କିମ୍ପେ ହୋଇଲୁ ରାଜନେ ।୩୪।

ମହା ଭୃତ୍ୟ ପଣେ ୟେ କଲାକ ତୋତେ ସେବା

ନିକଳଂକ ନିର୍ଦୋଷୀ ୟେହାକୁ କେମନ୍ତେ ଛାଡ଼ି ଯିବା ।୩୫।

କୋଟିୟେ ଋଷିନ୍ତ ଘେନି ବ୍ୟାସମୁନି

ମହା ଅନଳୁଂ ଜାତ କଲେ ଜିଘ୍ନସେନୀ ।୩୬।

ସ୍ୱାମୀ ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମ୍ନ ଅଟନ୍ତି ଯାର ଭ୍ରାଥ

ଅନେକ ସମ୍ଭରେ ୟେହାକୁ ଆମ୍ଭନ୍ତ ଦିଲେଟି ଦ୍ରୋପତ ।୩୭।

ୟେକା ସ୍ତିରୀ ୟେ ହୋଇ ସହିଲା ପାଞ୍ଚଂକରି ଆର୍ଦ୍ଦୋଳି

ୟେହାକୁ ଛାଡ଼ିଯିବାକୁ ତୁମ୍ଭର ସତ କେହେନେକ ବଳି ।୩୮।

ସ୍ୱାମୀ ଚାମରୀକି ନିନ୍ଦଇଟି ଯାହାର ୟେ କେଶ

ଲୁବୁଧେ ମଧୁକରେ ଯେ ନ ଛାଡ଼ନ୍ତି ଯାର ପାଶ ।୩୯।

କୁସୁମ ନ ଗଚ୍ଛଇ ମଥାକୁ ହୋୟେ ଭାରୀ

ଅଳଂକାର ନ ବହଇ ଶରୀରକୁ ଭରା ପାଇବ ବୋଲି ।୪୦।

ଭ୍ରୂଲତା ଶୋଭାବନ ଜାଣି ମଦନର ଚାପ

ଦେଖିଲେ ମନ ତ୍ରାସ କରଇ କନ୍ଦର୍ପ ।୪୧।

ସ୍ୱାମୀ ନୀଳେନ୍ଦୀ ଦଳ ଜାଣି ଦିଶଇ ଯାର ଆକ୍ଷି

ମୁନିଗଣେ ଧ୍ୟାନ ଛାଡ଼ିବେ ଯାହାର ରୂପଦେଖି ।୪୨।

ତାମ୍ବୁଳ ବିହୁନେ ୟେ ଅଧର ପଂକୁ ବିମ୍ବୁ

ନସା ଫୁଲ ତିଳ ଜାଣି ମାଣିକ୍ୟ ଦନ୍ତ ସବୁ ।୪୩।

କମ୍ବୁ ଜିଣି କରି ସ୍ୱାମୀ କଣ୍ଠ ଯାହାର ଶୋଭା

ବାହୁ ବେନି ମୃଣାଳ କି କଣୟର ପ୍ରଭା ।୪୪।

ସୁବର୍ଣ୍ଣ କୁମ୍ଭ ଜିଣି ୟାହାର କୁଚ ଯୁଗଳ

ସିଂହମଝା ଜାଣି ଯାର ହୃଦୟ ବୃଶାଳ ।୪୫।

ଉଲଟ କଦଳୀ ଜାଣି ଦିଶଇତ ବେନି ଜାନୁ

ଶରତ ଚନ୍ଦ୍ର ଜାଣି ଯାହାର ଦିଶେ ତନୁ ।୪୬।

ଚମ୍ପା କଢି ଜାଣିଣ ଯାହାର ଅଙ୍ଗୁଷ୍ଠି

କୁନ୍ଦ ପାଖୁଡ଼ା ଜାଣି ଦଶ ଲହ ଉକୁଟି ।୪୭।

ସ୍ୱମୀ ଚାଲନ୍ତେଣ ଶୋଭା ଯେ ମତ୍ତଗଜ ଠାଣି

ବଚନ ସୁଲଳିତ ଯେ ଅଣ୍ଡିର କୋକିଳ ଜିଣି ।୪୮।

ସ୍ୱାମୀ ୟେତେକ ଲକ୍ଷଣ ଜାଣି ଅଗ୍ନିରୁ ହେଲେ ଜାତ

କେମନ୍ତେ ଛାଡ଼ିବାକୁ ବଳଇ ତୁମ୍ଭର ସତ୍ୟ ।୪୯।

ସେମାବଂଶକୁ ୟେ ଶତେ ଗୁଣ ଗରୁ ହଂସୀ

ଆବର ଭୋ ଦେବ ୟେ ତୁମ୍ଭର ପାଟବଂଶୀ ।୫୦।

ସ୍ୱାମୀ ପ୍ରିୟବନ୍ତୀ ପୁତ୍ରବନ୍ତୀ ରାଜାର ନନ୍ଦିନୀ

ଅନେକ ଯାଗଯଗ୍ୟଂ କଲ ୟେହାନ୍ତ ତ ଘେନି ।୫୧।

ସ୍ୱାମୀ ପ୍ରିୟବତୀ ଭାର୍ଯ୍ୟାକୁ ୟେଡ଼େକ ନିର୍ଦ୍ଦୟା

ଧର୍ମରାଜା ପଣ କେଣେ ଗଲା ପାଷାଣ କଲ ହିୟା ।୫୨।

ଆମ୍ଭନ୍ତ ତେଜ୍ୟା କରି ଯିବଟି କାହିଂକି

ପ୍ରିୟବତୀ ତେଜ୍ୟା କଲେ ଧର୍ମ ରହେ ଟିକି ।୫୩।

ଯୁଝେଷ୍ଠି ବୋଇଲେ କହିଲୁ ନିଜ ଗୁଣ

ଅବଶ୍ୟ ୟେହାର ଅଛଇ ଅବିଗୁଣ ।୫୪।

ୟେହାର ଛାର ପାଇଂ ଭାଇରେ ୟେତେ ତୋର ଶୋକ

ୟେହା ଛାର ପାପୀରେ ଅଟଇ ଘୋର ନର୍କ ।୫୫।

ପର ଉପୁଗାରୀ ହୋୟେ ସର୍ବଦା ଯାର ଚିତ୍ତ

ତାହାକୁ ଜାଣିମା ସିନା ପରମ ପଣ୍ଡିତ ।୫୬।

ଛାଡ଼ି ଆସ ଭୀମରେ ଦ୍ରୋପତୀ ବଡ଼ ପାପୀ

ୟେହା ଛାର ପାପ କର୍ମ ଶୁଣରେ ଅଦ୍ୟାପି ।୫୭।

ମଧ୍ୟ ଭୁବନରେ ୟେହୁ କରି ନାହିଂ ଧର୍ମ

ୟେଥେ ସେ ଜାଣିମାନା କାହାର କେତେ ପୁଣ୍ୟ ।୫୮।

ଯେ ଯାହାର ପୁଣ୍ୟ ଘେନି ଯାଏ ସିନା ସ୍ୱର୍ଗ

ଆରେ ଭୀମସେନ ଛାଡ଼ ଦ୍ରୋପତୀକୁ ମାର୍ଗ ।୫୯।

ଶୋକ କଲେ କାୟା ତୁହି ହାରିବୁ ନ ଜାଣି

ଛାଡ଼ରେ ଭୀମସେନ ଧର୍ମ କର ତୁ ହାନି ।୬୦।

କେ ୟେଥେ ଅମର ହୋଇ ରହିବରେ ଭାଇ

ପୁଣ୍ୟ କରିଥିଲେ ୟେଥେ ଦୁଖନ୍ତ ନ ପାଇ ।୬୧।

ପାପରେ ନର୍କ ଯାଇ ପୁଣ୍ୟରେ ସ୍ୱର୍ଗ ପଥ

ୟେଥେ ଜାଣିମାନା ବନବାସ କେମନ୍ତ ।୬୨।

ଭୀମସେନ ବୋଇଲା ତୁମ୍ଭେ ତ ଧର୍ମ ଜାଣ

କିସ ପାତକ ୟେହାର କୁହ ହେ ଧର୍ମରାଣ ।୬୩।

ଯୁଝେଷ୍ଠି ବୋଇଲେ ହୋ ୟେହାର ପାପ ଭାର

ୟେ ମହାପାପୀ ପୁଣ ଶୁଣରେ ବ୍ରିକୋଦର ।୬୪।

ୟେତ ସହଜେ ପଞ୍ଚୁପାଣ୍ଡବଂକ ନାରୀ

ଅଭୟଂକରୀ ହୋଇ ଅଟଇ ଦୁରାଚାରୀ ।୬୫।

ସହୟେ ସେନେହେ ୟେ ନ କରଇ ତୁମ୍ଭର

ଆବର ମଧ୍ୟମଟି ୟେ କରଇ ମୋହର ।୬୬।

ୟେ ଛାରକୁ ତୋର ୟେଡ଼େକ ମୁହାଂସ

ଆମ୍ଭର ବିଚାର ୟେହାକୁ ଧର୍ମ କିସ ।୬୭।

ୟେଣୁ ସେ ୟେହାକୁ ହୋୟେ ମୃତୁ ପରାପତ

ପୁଣ୍ୟ ଥିଲେ ଯାଆନ୍ତାନା ଆମ୍ଭର ସଙ୍ଗତ ।୬୮।

ୟେତେ ବୋଲି ଯୁଝଷ୍ଠି ଯାଆନ୍ତି ଆଗସରି

ଦେଖୁଂ ଦେଖୁଂ ଦ୍ରୋପତୀ ସେଠାରେ ପ୍ରାଣ ହାରି ।୬୯।

ଯୁଝେଷ୍ଠି ବୋଇଲେ ସେ ଦ୍ରୋପତୀ ବଡ଼ ଦୋଷୀ

ସୋଦର ପଣେ କଉରବନ୍ତ ଅମରଷି ।୭୦।

ପଞ୍ଚଦଶ ବରଷ କେଶ ବନ୍ଧନ ନକଲା

ଅନେଶ୍ୱତ ଭାଇନ୍ତ ବଧ କରି କେଶତ ବାନ୍ଧିଲା ।୭୧।

ୟେ ମହା ମହାପାପୀକି ତୁରେ ଛାଡ଼ ମୋର ଭାଇ

ୟେ ଦୋଷ ଘେନିଣ ସେ କେହୁ ସ୍ୱର୍ଗ ଯାଇ ।୭୨।

ଭୀମ ବୋଇଲା ସ୍ୱାମୀ ୟେଡ଼େକ ନିର୍ଦ୍ଦୟେ

ଆମ୍ଭନ୍ତ ଛାଡ଼ିଣ ୟେବେ ନଯାଅ ଧର୍ମରାୟେ ।୭୩।

ନିର୍ମୋହ ଶରୀର ୟେ ବିକୃତ ତୋର ମନ

ସହୋଦ୍ର ଛାଡ଼ିଣ ହେ ନଯାଅ ଧର୍ମ ନାନ ।୭୪।

ୟେମନ୍ତ କହି ଭୀମ ଛାଡ଼ିଲେକ ଦ୍ରୋପତୀ

ଦଇବର ବିଯୋଗେ ନିର୍ମୋହ ପଞ୍ଚୁପତି ।୭୫।

ଲେଉଟି ମୁଖକୁ ଚାହିଂଲେ ଧର୍ମସୁତ

ତହୁଂଣ ଗବନ କରନ୍ତି ୟେ ପଞ୍ଚୁଭ୍ରାଥ ।୭୬।

ପବନହୁଂ ବେଗେଣ ଯୁଝେଷ୍ଠି ଦେବ ଯାଇ

ପଞ୍ଚଯୋଜନ ୟେକା ନିମିଷେକେ ଗମଇ ।୭୭।

ଚାରିଭାଇ ପଛେ ପଛେ କରନ୍ତି ଗବନ

ସହଦେବ ଚାଲି ନୁଆରି ବିକଳ ତାର ମନ ।୭୮।

ଭୋ ରାଜଦେବ ୟେଥେ ଆଜକ ରହିବା

କାୟା ସୁସ୍ଥ କରି ଆମ୍ଭେ କାଲି ପ୍ରଭାତରୁ ଯିବା ।୭୯।

ୟେତେ ବୋଲି କାକର ଝୁଣ୍ଟିଣ ପଡ଼ିଲା

ରଖ ରଖ ଧର୍ମ ବୋଲି ସହଦେବ ଡ଼ାକ ଦିଲା ।୮୦।

ବଜ୍ର ଉପରେ ଯେହ୍ନେ ପଡ଼ିଲା ନିରିଘାତ

ୟେସନେକ ଶଦ୍ଦ କଲା ମାତ୍ରୀ ଦେବୀ ସୁତ ।୮୧।

ସହଦେବ ପଡ଼ନ୍ତେ ଭୀମସେନ ଚାହିଂଲା

ହା ହା ଭାଇ ବୋଲି କୋଳ କରିଣ ଧଇଲା ।୮୨।

ଭୀମସେନ କୋଳ କରି ଧରନ୍ତେ ମନ୍ତ୍ରବୀର

କ୍ଷଣେ ବିଶ୍ରାମ କର ହେ ଯୁଝେଷ୍ଠି ନୃପବର ।୮୩।

ମନ୍ତ୍ରୀ ଚୂଡ଼ାମଣି ୟେଥେ ସହଦେବ ଅଚେତ

ଲେଉଟି ଚାହାଂକିନା ହୋ ପଣ୍ଡୁରାଜା ସୁତ ।୮୪।

ହେ ରାଜା ଯୁଝେଷ୍ଠି ତୁମ୍ଭେ କ୍ଷଣକେ ବିଶ୍ରାମ

ସହଦେବ ପ୍ରାଣ ଦେଖ ହରିନେଲା ଯମ ।୮୫।

ଯାହାର ବୁଦ୍ଧି ବଳେ ଜିଣିଲ ସର୍ବ ପୃଥୀ

ବିବେକ ସୁଗୁଣବନ୍ତ ମହାମନ୍ତ୍ରୀ ଆଗତ କହନ୍ତି ।୮୬।

ୟେହାକୁ ଛାଡ଼ିବାକୁ ସତ କେମନ୍ତ ବଳିଲା

ରହ ରହ ବୋଲି ଭୀମସେନ ହାକ ଦିଲା ।୮୭।

ୟେତେ ନିଷ୍ପ୍ରୋହୀ କେହ୍ନେ ହୋଇଲ ଗୋସାଇଂନ୍ତ

ଚାହାଂ ଲେଉଟି ପଡ଼ିଛି ସହଦେବ ଭ୍ରାଥ ।୮୮।

ଯୁଝେଷ୍ଠି ବୋଇଲେ ହୋ ତୁ ଛାଡ ସହଦେବକୁ

ତାହାର ପୁଣ୍ୟେ ସେ ଅଇଲା ସିନା ୟେତେ ଦୂରକୁ ।୮୯।

ଯେତେ ପୁଣ୍ୟ କରିଥିଲା ସେ ୟେହୁ ପୃଥୀରେ

ପୁଣ୍ୟ ସରିଲେ ଯିବ ନାହିଂ କି ଯମପୁରେ ।୯୦।

ତୋହୋର ଆକୁଳ ହେଲେ ସେ ନପାଇ ଜୀବନ

କିମ୍ପାଇ ମାୟା ମୋହେ ପଡୁରେ ଭୀମସେନ ।୯୧।

ୟେ ବଡ ପାପିଷ୍ଠରେ ଛାଡ ମୋର ଭାଇ

ୟେହାକୁ ସେନେହ ମୋହର ଶରୀରେଣ ନାହିଂ ।୯୨।

ୟେହୁ ବଡ ପାତକୀ ଅଟେ କୃତଘ୍ନ ଚାଣ୍ଡାଳ

ଛାଡି ଆସ ଭାଇରେ ଡାକ ଦିଅନ୍ତି ଧର୍ମବାଳ ।୯୩।

ଭୀମସେନ ବୋଇଲା ମୁଂ ଛାଡିବି କେମନ୍ତେ

ଛାଡିଯିବାକଇଂ ସତ ନବଳଇ ମୋର ଚିତେ ।୯୪।

ଗୁଣବନ୍ତ ଶ୍ରୀବନ୍ତ ଯେ ସୋଦର ପଣ୍ଡିତ

କେମନ୍ତେ ଛାଡିବି ୟାକୁ ନବଳଇ ସତ ।୯୫।

ଲେଉଟି ଚାହାଂକିନା ସହଦେବର ମୁଖ

ଭୋ ପ୍ରାଣନାଥ ୟେବେ ହୋଇଲାଟି ନିରେଖ ।୯୬।

ୟେହା ପରା ଭାଇକୁ ତୁ ୟେଥେ ଛାଡ଼ିଯିବୁ

ହେମବନ୍ତ ଶିଖରେ ଯାଇ କିସ ତୁ କରିବୁ ।୯୭।

ୟେହାକଇଂ ନଦେଖିଲେ ନରହଇ ମୋର ପ୍ରାଣ

ଦଣ୍ଡକେ ବିଶ୍ରାମ ଆହେ କର ଦେବରାଣ ।୯୮।

ଯୁଝେଷ୍ଠି ବୋଇଲେ ହୋ ୟେହୁ ବଡ ଦୋଷୀ

ୟେହା ଛାରକୁ କିମ୍ପା କରୁଚୁ ସମ୍ଭାଷୀ ।୯୯।

ଭୀମସେନ ବୋଇଲା ୟେହାର କିସ ଅବିଗୁଣ

ସରୂପ କରି କହ ଦେବ ଛାଡିବି ଯେବେ ପୁଣ ।୧୦୦।

ଯୁଝେଷ୍ଠି ଦେବ ବୋଇଲେ ୟେ ଭୂତ ଭବିଷ୍ୟ ଗ୍ୟାଂତା

କରକଇଂ ଚାହିଂଲେ ଜାଣଇ ତିନି ଭୁବନ ବାରତା ।୧୦୧।

ଜାଣିକରି ନକହଇ ପଚାରିଲେ ଜଣାଇ

ପ୍ରାଣ ଅନ୍ତକାଳେ ନ କହଇ ସଂଦେଶଇ ।୧୦୨।

ୟେହୁ ଯେବେ କହିଥାନ୍ତା ପଶାଖେଡର ବେଳେ

ରାଜ୍ୟ ଭାର ଛାଡି କିମ୍ପେ ଯାନ୍ତୁ ବନସ୍ତରେ ।୧୦୩।

ୟେହାର ପ୍ରମାଦରେ ପାଇଲି ବଡ଼ ଦୁଖ

ୟେ ମହାପାପୀକୁ ଛାଡ଼ ନୋହସି ବିମୁଖ ।୧୦୪।

ୟେହାର ମରଣକୁ ନାହିଁ ମୋର ବଥା

ଛାଡି ଆସ ଭୀମସେନ ପୋଡୁ ୟେହାର କଥା ।୧୦୫।

ଭୀମସେନ ବୋଇଲା ୟେ ମାୟା ମୋହ ଛାଡ଼ି

ମନ୍ତ୍ରୀବର ଛାଡ଼ି କେହ୍ନେ ଯିବାକ ବାହୁଡ଼ି ।୧୦୬।

ସହଦେବ ଭୀମସେନ ଯେତେକ କ୍ରୋଧକଲେ

କଦାଶ୍ଚିତେ ଯୁଝେଷ୍ଠି ଦେବ ନେଉଟି ନ ଚାହିଂଲେ ।୧୦୭।

ଭୀମସେନ ହାକ ଦିଅଇ ଦଣ୍ଡେହେଂ ବିଶ୍ରାମ କର

ଯୁଝେଷ୍ଠି ବୋଇଲେ ତାକୁ ଛାଡ଼ ସେହିଠାର ।୧୦୮।

କଠୋର ବଚନେ ଭୀମସେନ ସହଦେବକଇଂ ଛାଡ଼ିଲା

ପୁଣିହିଂ ମୁଖ ଚାହିଂ ଅନେକ ଶୋକ କଲା ।୧୦୯।

ସହଦେବକଇଂ ହିମଭୂମିରେ ଛାଡ଼ିଣ ଆସନ୍ତେ

ଚଲନ୍ତି ଚାରିଭାଇ ପବନୁଂ ଆପାତେ ।୧୧୦।

ଆଗରେ ଯୁଝେଷ୍ଠି ଦେବ ପଛରେ ଅରଜୁନ

ମଧ୍ୟେ ନକୁଳ ପଛେ ପବନ ନନ୍ଦନ ।୧୧୧।

ଚଳନ୍ତେ ବନସ୍ତ ହେମେ ଯାଉଛନ୍ତି ମାଡ଼ି

ହାବୋଡା ଘାତେ ତାଂକ ତରୁବରନ୍ତ ଉପୁଡି ।୧୧୨।

ଶତେ ଯୋଜନ ଗମନ୍ତି ନିମିଷକ ମଧ୍ୟେ

ହେମଗିରି ଉପରକୁ ଉଠୁଛନ୍ତି ସାଧେ ।୧୧୩।

ମହା ବଇକୁଲ୍ୟ ପୁଣ ନକୁଳହିଂ ହୋଇଲା

ଭୋ ଦେବ ଯୁଝେଷ୍ଠି ହେ ବୋଲିଣ ଡାକେକ ପୁଣ ଦିଲା ।୧୧୪।

ପ୍ରାଣ ବଇକୁଲ୍ୟ ମୋର ନୁଆରଇ ଯାଇ

ଆଜକ ରହି ସମ୍ଭାଳି ନିଅକିନା ଗୋସାଇଂ ।୧୧୫।

ୟେ ମୋର ଆତ୍ମାକୁ ଲାଗିଲା ବଡ଼ ମନ୍ଦ

ସମ୍ଭାଳି କରି ମୋତେ ନିଅ ଧର୍ମ ନରେନ୍ଦ୍ର ।୧୧୬।

ଯୁଝେଷ୍ଠି ବୋଇଲେ ବାବୁ ନୁହସିରେ ବିକଳ

ଆସ ଆସ ବୋଲି ଉର୍ଦ୍ଧ୍ୱେ ଉଠିଲେ ଧର୍ମଂକର ବାଳ ।୧୧୭।

ପ୍ରାଣର ବିକଳେ ସେ ନକୁଳ ଯାଉଥିଲା

ଚରଣ ଅଥୟ ହେଲା ଝୁଣ୍ଟିଣ ପଡିଲା ।୧୧୮।

ବଜ୍ରଘାତ ଜାଣି ସେ ପଡ଼ିଲା ଭୂମିର

ଅଚେବନ ଆତ୍ମା ହେଲା ମାଦ୍ରୀର କୁମର ।୧୧୯।

ନକୁଳ ପଡିଲା ଯେହୁଂ ଭୀମସେନ ଦେଖିଲା

ଆରେ ମୋହର ନକୁଳ ବୋଲିଣ କୋଳ କଲା ।୧୨୦।

ଭୋ ଦେବ ଯୁଝେଷ୍ଠି କ୍ଷଣକେ ବିଶ୍ରାମ କର

ନକୁଳ ଅଚେବନ ହୋଇଲା ଶରୀର ।୧୨୧।

ଲେଉଟି ତୁମ୍ଭେ ଥରେ ଚାହଂଟି ଧର୍ମବାଳ

ଅତି ସୁନ୍ଦର ୟେହି ସୁକୁମାର ନକୁଳ ।୧୨୨।

ତାହା ଶୁଣି ଭୀମସେନ ଯୁଝେଷ୍ଠିଂ କି ବୋଇଲା

ୟେହାକୁ ଛାଡିଯିବ ସତ କେହ୍ନେ ବଳିଲା ।୧୨୩।

କୁନ୍ତର ମୁନେ ୟେଟି ଧରିଲା ବସୁନ୍ଧରି

ଛତ୍ରପ୍ରାୟେ କରିଣ ତୋଳିଲା ମହାବଳୀ ।୧୨୪।

ଅତି ସୁକୁମାର ଅଟଇ ୟେହା ଅଙ୍ଗ

ଲକ୍ଷେ ରାଜାଂକ ଉପରେ ୟେ ବୋଲାଇ ଭୁଜଙ୍ଗ ।୧୨୫।

ବଂଶରେ ଧାର୍ମିକ ହୋୟେ ପ୍ରାକର୍ମେ ବଳିଷ୍ଠ

କୁମାର ମୁଖେ ୟେହାକଇଂ ଆକାଶେ ଅଛି ପାଟ ।୧୨୬।

ବଇମାତ୍ରୀ ସୁତ ବୋଲି ଧଇଲେ ଅବା ଚିତ୍ତେ

ଆମ୍ଭ ତହୁଂ ସେନେହ କରିଥାଅ ଯେ ୟେହାନ୍ତେ ।୧୨୭।

ଧର୍ମେଣ ନିର୍ଜିତ ସ୍ୱାମୀ ଅଟଇ ଯାର ଦେହ

ୟେବେ ସୋଦର ଛାଡି ହୋଇଲତ ନିରିମୋହ ।୧୨୮।

ନକୁଳ ସହଦେବ ପଡିଲେ ଚଛୁବେନି

ତାହାଂକ ନିଧନେ କେହ୍ନେ ଥିବା ୟେ ଦେହ ଘେନି ।୧୨୯।

କ୍ଷଣେହେଂ ତାକୁ ନଛାଡ଼ ତୁମ୍ଭେଧର୍ମ ଯେ ଯୁଝେଷ୍ଠି

ବୋଲ ନକୁଳ ସହଦେବ ମୋହର ଗଳାକଣ୍ଠି ।୧୩୦।

କେବଣ ଭୂତ ଆସି ପଶିଲା ତୋ ହୃଦରେ

ୟେତେ ନିଷ୍ଠୁର କିନା ହୋଇଲ ଦଣ୍ଡଧରେ ।୧୩୧।

ମାଛି ଗୋଟି ବସିଲେ ଯାହାର ହୃଦଗତେ

ଲେପନ କରେ ଅଙ୍ଗ ଚନ୍ଦନ ପଳେଶତେ ।୧୩୨।

ପୁଣି ବୋଇଲେ ବ୍ରିକୋଦର ଶୁଣିମା ଦେବ ଯୁଝେଷ୍ଠି

ନକୁଳକୁ ଦେଖିଣ ମୂର୍ଦ୍ଧନା ମୋର ଫାଟି ।୧୩୩।

ଦେଖୁ ଦେଖୁ ସେ ନକୁଳ ପ୍ରାଣହିଂ ହାରିଲା

ପଥର କାକର ୟେ ଚାଲିତ ନୁଆରିଲା ।୧୩୪।

ପଦ୍ମ ଦଳ ଲୋଚନ ଯାର ଅତିଅନ୍ତ ମାନ ଦେହି

କାମଦେବ ଯାହାକୁ ହିଂ ସରିସମ ନୋହି ।୧୩୫।

ଜଗ ବନ୍ଦନ ଭାଇକି ଯାଉଛି ଛାଡି

ଲେଉଟି ଚାହାଂ ଦେବ ମୁଖ ବକ୍ର କରି ।୧୩୬।

ୟେତେ ବୋଲି ଭୀମସେନ ମହା ଶୋକଭରେ

ଉଚ୍ଚେ ରୋବଇ ସେ ପବନକୁମରେ ।୧୩୭।

ଯୁଝେଷ୍ଠି ବୋଇଲେ ଭୀମ ନକର ରୋଦନ

କିସ ସୁନ୍ଦର ହୋୟେ ମରଣକୁ ଆଗମନ ।୧୩୮।

ଆପଣା ସୁନ୍ଦରପଣ ଆପଣେ ଦେଖାଇ

ୟେତେକ ପାତକୀ କିମ୍ପେ ରହିଥିବେ ମହୀ ।୧୩୯।

ଆତ୍ମା ବଡାଇପଣେ ଆପଣେ ନାଶଯାଇ

ସେ ମହାପାତକୀକିରେ ଛାଡ଼ି ଆସ ଭାଇ ।୧୪୦।

ତାହାର ଦୋଷେ ସେହୁ ପ୍ରାଣନାଶ ଗଲା

ୟେତେବଡ ପାପୀ ଗୋଟା ଅଗ୍ୟାନେଣ ମଲା ।୧୪୧।

ଯୁଝେଷ୍ଠି ବୋଇଲେ ଭୀମସେନ ନଲଗାଇ ମୁହାସ

ନକୁଳକୁ ଛାଡ଼ି ତୁ ବହନ ହୋଇ ଆସ ।୧୪୨।

ମାୟା ମୋହେ ପଡ଼ି କରିତୁ ନୋହସି ଅନ୍ଧକାର

ଜଳବିନ୍ଦୁ ପ୍ରାୟେକ ଯେ ଜୀବନହିଂ ଅଥିର।୧୪୩।

ୟେଥକୁ ମୁହୂର୍ତ୍ତେ ଅହଂକାର ମୂଢ଼ପ୍ରାଣୀ

ଅଗ୍ୟାନ ମୋହରେ ତୁ ପଡୁ କିମ୍ପେନଜାଣି ।୧୪୪।

ଯେତେ ପୁଣ୍ୟ ଅରଜିଲା ତେତେ ଦୂରହିଂ ଅଇଲା

ଆତ୍ମାକୁ ପ୍ରଶଂସା କଲେ ଆପଣେହେଂ ମଲା ।୧୪୫।

ୟେତେ ବଡ ପାପୀରେ ଅଟଇ ମୋର ଭାଇ

ୟେହାର ମହିମାଂ ଶୁଣ କହଣା ନଯାଇ ।୧୪୬।

ମୋତେ ବୋଇଲା ଗର୍ବେ ମୁହିଂତ ରାଜେଶ୍ୱର

ମତ୍ତଗର୍ବ ପଣ କରି କହିଲା ଅପାର ।୧୪୭।

ୟେ ପୃଥୀରେ ମତ୍ତଗର୍ବ ହିଂସା ଯେ କରଇ

ଯମରାଜା ପାଞ୍ଜିରେ ସେହୁ ଅପହାରଇ ।୧୪୮।

ନକୁଳ ଛାଡି ତୁ ଆସ ମୋର ଭାଇ

ଯେତେ କାନ୍ଦିବୁ ଆଉ ଜୀବନ ନପାଇ ।୧୪୯।

ହେମାଞ୍ଚଳେ ନକୁଳ ଶୁଆଇ ଭୀମସେନ

ଡାଳପତ୍ର ଲୁଚିୟେ ଉପରେ ଆବରଣ ।୧୫୦।

ହେଠ ମୁଖ ହୋଇ କରି ପଡିଅଛି ବୀର

କେବଳ ପବନ ତାର ଅଛଇ ଶରୀର ।୧୫୧।

କ୍ଷଣକରେ ଆତ୍ମା ଚାହୁଂ ଚାହୁଂ ବିସର୍ଜନ

ନକୁଳେ ଶୁଆଇ କରି କରନ୍ତି ଗବନ ।୧୫୨।

ଆଗରେ ଯୁଝେଷ୍ଠି ହେଲେ ମଧ୍ୟରେ କିରିଟୀ

ପଛରେ ଭୀମସେନ ପବନ ନନ୍ଦନଟି ।୧୫୩।

ପବନହୁଂ ବେଗେ ଅନ୍ତରୀକ୍ଷେ କରଇ ଗମନ

ହେମାଞ୍ଚଳେ ଗବନ ହୋଇଲେ ଧର୍ମନାନ ।୧୫୪।

ଅଗମ୍ୟ ବିପୁଣ୍ୟ ସେ ଅଟଇ ଅନ୍ଧକାର

ପାଷାଣ ଝୁଣ୍ଟି ଭୂମି ହେମ ହୋୟେ ଅପହାର ।୧୫୫।

ଅଶକତେ ଅରଜୁନ ନୁଆରଇ ଯାଇ

ଯୁଝେଷ୍ଠିକିଂ ଚାହିଂ ରହି ବଚନ ବୋଲଇ ।୧୫୬।

ଭୋ ସ୍ୱାମୀ ଅଶକତ ହୋଇଲା ମୋର କାୟେ

କ୍ଷଣକ ବିଶ୍ରାମ କର ଆହୋ ଦେବରାୟେ ।୧୫୭।

ସମ୍ଭାଳି ନିଅ ହେ ପଥ ଅଛି ଅଳପ ଦୂର

କ୍ଷଣକେ ବିଶ୍ରାମ ତୁମ୍ଭେ କର ହେ ଦଣ୍ଡଧର ।୧୫୮।

ଯୁଝେଷ୍ଠି ବୋଇଲେ ତୁ ରେ ଆସୁ ଥାଅ ଭାଇ

ୟେତେ ବୋଲି ଯୁଝେଷ୍ଠି ଯେ ବେଗ ବେଗ ହୋଇ ।୧୫୯।

ଗମନ୍ତି ଯୁଝେଷ୍ଠି ଦେବ ପବନହୁଂ ଖର

ହେମଗିରି ମଧ୍ୟରେ ଗମନ୍ତି ସୁରେଶ୍ୱର ।୧୬୦।

ଯାନ୍ତେଣ ପାଦ ବିଭୋଳିତ ପଡିଲା ଅରଜୁନ

ମୋତେ ରକ୍ଷାକର ଦେବ ଯୁଝେଷ୍ଠି ରାଜନ ।୧୬୧।

ୟେତେ ବୋଲି ପଡ଼ିଲା ସେ ବାସେବ କୁମର

ଭୋ ଦେବ ଯୁଝେଷ୍ଠି ବାରେ ପ୍ରତିକାର କର ।୧୬୨

ଅର୍ଜୁନ ପଡିଲା ଯହୁଂ ଭୀମସେନ ତ ଦେଖିଲା

ଆରେ ମୋର ଭାଇ ବୋଲି କୋଳରେ ଧରିଲା ।୧୬୩।

ଆହାରେ ମୋ ପ୍ରାଣ ସଖା ତୁ ଭାଇ ବୋଲି

କାନ୍ଦନ୍ତି ଯୁଝେଷ୍ଠି ଦେବ ଯାନ୍ତି ହେମ ପେଲି ।୧୬୪।

ଅର୍ଜୁନକୁ ଭୀମସେନ କୋଳେ ଅଛି ଧରି

କାନ୍ଦଇ ମାରୁତି ଅର୍ଜୁନ ଗୁଣ ସୁମରି ।୧୬୫।

ଦେଖ ଦେଖ ଯୁଝେଷ୍ଠି ପଡିଲା ଫାଲଗୁନି

ଯାହାର ବାହୁବଳେ ୟେକ ଚ୍ଛତ୍ର ମେଦିନୀ ।୧୬୬।

ଜଗୁଜନ ସୁନ୍ଦର ଜଗତ ହିତକାରୀ

ଅଗ୍ନିକି ତୋଷ କଲା ଖାଣ୍ଡେବ ଦହନ କରି ।୧୬୭।

ନିର୍ବାତ କବଚ ଯେ ମାରିଲା କଉଣୋପ

ସ୍ୱର୍ଗରେ ସୁର ରାଜା କଲାକ ସୁରାଧିପ ।୧୬୮।

ଗୋସିଂହ ବଧ କରି ଦ୍ୱାରିକା କଲୁ ରକ୍ଷା

କୁମ୍ଭେକ ବଧ କଲୁ କପିଳାସକୁ ହେଲୁ ସାଖା ।୧୬୯।

ଲକ୍ଷେକ ନୃପତି ତୁ ଜିଣିଲୁ ବାହୁବଳେ

ସପତ ଦ୍ୱୀପ ପୃଥୀ ଧଇଲୁ ଧନୁ ହୁଳେ ।୧୭୦।

ଶର ସାଗର ମଧ୍ୟେ ସେତୁବନ୍ଧ ବାନ୍ଧି

ହନୁମନ୍ତ ପ୍ରଶଂସିଲା ଶିରେ ମୁକୁଟ ବାନ୍ଧି ।୧୭୧।

ଦେଖହେ ଅର୍ଜୁନ ତୋର ପଡିଲା ତୋର ଶାଖା

କ୍ଷଣହେଂ ବିଶ୍ରାମ କର ୟେହାକୁଂ ମୁଖ ଦେଖା ।୧୭୨।

ୟେହା ପରା ଭାଇକି କେହ୍ନେ ଛାଡି ଯିବା

ହେମାଞ୍ଚଳ ଯାଇଂ ସ୍ୱାମୀ କିସ ଭୋଗ କରିବା ।୧୭୩।

ଦେଖ ତୋର ଭାଇ ୟେ ନିଧନ ଅର୍ଜୁନ

ୟେହାକୁ ଛାଡିବାକୁ କେସନେ ବଳିଲା ତୋର ମନ ।୧୭୪।

ୟେତେବୋଲି ଆଲିଙ୍ଗନ କରଇ ଭୀମସେନ

ଅର୍ଜୁନ ମୁଖଚାହିଂ କରଇ ସେ ରୋଦନ ।୧୭୫।

ଚନ୍ଦ୍ର ବଦନ ମୁଖ ପରିମୁଣ୍ଡା ଯାଇ

ପଦ୍ମଦଳ ଲୋଚନ ବୁଜି ନିଚେଷ୍ଟ ହେଲୁ ଭାଇ ।୧୭୬।

ପ୍ରାଣର ବଲ୍ଲଭ ତୁ ଜଗତ ହିତକାରୀ

ବଜ୍ରେଣ ନିର୍ଜିତ ହୋୟେ ଶରୀର ତୋହରି ।୧୭୭।

ୟେଥିରେ ମୃତ୍ୟୁ ତତେ ବିଧାତା ଆଣି ଦିଲା

ୟେ ମୋହର ପ୍ରାଣ ନଯାଇ କିମ୍ପାଇଂ ରହିଲା ।୧୭୮।

ପ୍ରାଣର ବଲ୍ଲଭ ତୁହି ଯାଉଛୁ ନକହି

ୟେକେ ୟେକେ ସମସ୍ତେ ଶୋଇଲ ନିଚେଷ୍ଟ ହୋଇ ।୧୭୯।

ନିର୍ଦ୍ଦୟା ନିରପେକ୍ଷ ଯୁଝେଷ୍ଠି ନୃପବର

ଶରୀରେ ଦୟାତ ନ ବସଇ ତାହାଂକର ।୧୮୦।

ଅର୍ଜୁନକୁ ଭୀମସେନ ସ୍ନେହ ଶୋକକଲା ଯେତେ

ମୁଂ କିସ କରିବଇଂ ଶାହାସ୍ର ସଂଗତେ ।୧୮୧।

ଯୁଝେଷ୍ଠି ବୋଇଲେ ଭୀମ ସରୂପ ୟେହି କଥା

ମରନ୍ତେ ଆତ୍ମାକୁ ସେ ନଦିଅଇ ବ୍ୟଥା ।୧୮୨।

ଯଦ୍ୟପି ରୋଦନ କରିବୁ ଶିର କୋଡି

ଚେତନା ପାଇଣ ସେ ଜୀଇଂବ ବାହୁଡି ।୧୮୩।

ବହୁତ ପୁଣ୍ୟମାନ ଅଛି ୟେହାର କଲା

ତେଣୁ କରି ଅର୍ଜୁନ ୟେତେ ଦୂର ଅଇଲା ।୧୮୪।

ୟେ ଯେ ମହତ ଲୋକ ପରକୁ ଉପୁଗାରୀ

ତେଣୁ ଉଠିଣ ଅଇଲା ହେମଗିରି ।୧୮୫।

ଅର୍ଜୁନକୁ ଶୁଆଇରେ ଆସ ମୋର ଭାଇ

ଅପାର ଶୋକ କଲେ ଅର୍ଜୁନ ଜୀଇଂନାଇଂ ।୧୮୬।

ୟେ ବଡ଼ ଦୋଷୀ ଆରେ ଅଟଇ ମାରୁତି

ପାପୀ ଜନ ସିନା ଅଳପେ ନାଶ ଯାନ୍ତି ।୧୮୭।

ଆହୋ ଭୀମସେନ ୟେ ମତ୍ତଗର୍ବ ବହଇ

ଆପଣା ପହିଜ୍ୟପଣ ଆପଣେ କହୁଥାଇ ।୧୮୮।

ବୋଇଲା ୟେକଛତ୍ର କଲଇଂ ମୁଂ ମେଦିନୀ

ଆପଣାର ପ୍ରତଗ୍ୟାଂ କହଇ ଫାଲଗୁନି ।୧୮୯।

ୟେ ମୋର ବଳରେ ଯୁଝେଷ୍ଠି ଭାର

ୟେକାଙ୍ଗେ ମେଦିନୀ ସିନା ଅର୍ଜିଲା ମୋହର ।୧୯୦।

ୟେମନ୍ତେ ବୋଲିଣ ସେ କରଇ ଗାରିମା

ୟେହି ସେ ପାପୀରେ ବଡ ଅଟଇ ମୂଢଆତ୍ମା ।୧୯୧।

ଶୋକ ନକର ଆଉ ଆସ ତୁରେ ମାରୁତି

ଆପଣାର ମରଣ ସୋଦରେ କିସ ପ୍ରୀତି ।୧୯୨।

ଭୀମସେନ ବୋଇଲେ ତୁମ୍ଭେ ଏତିକି ନିର୍ଦ୍ଦୟା

ଆମ୍ଭକୁ ଛାଡି ଯିବୁ ଧରିବୁ ତୋର କାୟା ।୧୯୩।

ଯୁଝେଷ୍ଠି ବୋଇଲେ ତୁ ନକର ମୁହାଂସ

ଅର୍ଜୁନକୁ ଶୁଆଇ ବହନ ହୋଇଆସ ।୧୯୪।

ଜଗତ ତାରିଣ ସ୍ୱାମୀ ୟେ ସଂସାରୁ ଗଲେ

ଆମ୍ଭେ କିସ ମାନବ ସ୍ୱାମୀ ଧରିବା ଦେହ ଭଲେ ।୧୯୫।

ଶୁଣି କରି ଭୀମସେନ ଅର୍ଜୁନକଇଂ ଛାଡି

ଯୁଝେଷ୍ଠିକି ଗୋଡାଇ ଅମାର୍ଗ ପଥ ମାଡି ।୧୯୬।

ପୁଣି ବୋଇଲ ଭୀମ କିମ୍ପାଇ ଛାଡିଯିବ

ହେମଗିରି ପରେ ଯାଇ କି ସୁଖ ପାଇବ ।୧୯୭।

ହସିଣ ଯୁଝେଷ୍ଠି ଦେବ ବୋଲନ୍ତି ଧୀର ବାଣୀ

ଆସରେ ବିମୋହିତ ତୁ ନୋହସି ବୀରମଣି ।୧୯୮।

ମୃତୁ ମଣ୍ଡଳେ ଜାତ ହୋଇଲେ ଅବଶ୍ୟ ଯେ ମରି

ଦେହ ଘେନି ସ୍ୱର୍ଗକୁ ଯାଇ ତ ନୁଆରି ।୧୯୯।

କିମ୍ପାଇ ମିଛକୁ ତୁରେ କ୍ରୋଧ କରୁ ବାବୁ

ଆପଣେ ଭୀମ ତୁରେ ଯାଇତ ନୁଆରିବୁ ।୨୦୦।

ଯୁଝେଷ୍ଠିକଂ ବଚନେ ଭୀମ କ୍ରୋଧ ବାଣୀ

ୟେସନେକ ଦଇବ ଯେ ଅଛଇ ନିର୍ବାଣୀ ।୨୦୧।

ଅନେକ ପ୍ରକାରେ ସ୍ୱାମୀ କଲୁ ତୋର ସେବା

ୟେବେ ମୋତେ ଛାଡ଼ି ତୁମ୍ଭେ ୟେକା ହୋଇ ନଯିବା ।୨୦୨।

ଆମ୍ଭନ୍ତ ଛାଡିବାକୁ ତୋର କେହ୍ନେ ବଳିଲା ସତ

କେବଣ ଦୟିତ ହୋ ହରିଲା ତୋର ଚିତ୍ତ ।୨୦୩।

ଯୁଝେଷ୍ଠି ବୋଇଲେରେ ଶୋକ ନକର ତୁ ଭୀମ

ତୁମ୍ଭେ ଚାରିହେଂ ମୋ ଆତ୍ମାରୁ ଅଭିନ୍ନ ।୨୦୪।

ଯେ ଯାହା ଅର୍ଜଇ ବାବୁ ସେ ତାହା ଭୁଞ୍ଜଇ

ଆପଣେ ପୁଣ୍ୟ କଲେ ପରନ୍ତ ନଦିଅଇ ।୨୦୫।

ଯଦ୍ୟପି ତୁମେ ମୋର ସୋଦର ପଞ୍ଚଭୂତ

ସବୁଂକୁ ହିଂ ହୋଇଛି ମରଣ ବିପରୀତ ।୨୦୬।

ଛାଡି କରି ଅର୍ଜୁନକୁ ଆସ ବାବୁ ଭଲେ

ଭୀମସେନ ବୋଇଲେ ମୋତେ ନିଅ ତୁମ୍ଭ ତୁଲେ ।୨୦୭।

ମୋହର ବିହୁନେ ତୁମ୍ଭେ ନଯାଅ ୟେକସର

ତୋହର ପାଦତଳେ ସେବା ହେଉତ ମୋହର ।୨୦୮।

ମୋତେ ଅନୁରାଗ ହେ କର ଧର୍ମସୁତ

ୟେକାୟେ ନଯାଅ ଧରିନିଅ ମୋର ହାତ ।୨୦୯।

ୟେକାୟେ ପ୍ରାଣ ହେ ତୁମ୍ଭେ ହାରିବ ନରେଶ୍ୱର

ମୁହିଂ ତୁମ୍ଭ ସଙ୍ଗତରେ ଥିବଇଂ ନୃପବର ।୨୧୦।

ୟେ ଗିରିବରେ ତୁମ୍ଭେ କେହେନେକେ ନେବି ଭାଇ

ତୋହର ଆତ୍ମା ଅସମ୍ଭାଳ କେମନ୍ତେ ପାରିବୁ ତୁ ଯାଇ ।୨୧୧।

ମୋହର ଥାନ୍ତେ ତୁମର କାହାକଇଂ ଡର

ଛାଡି ନଯାଅ ପ୍ରଭୁ ମୁଂ ତୁମ୍ଭ ସୋଦର ।୨୧୨।

ଯୂଝେଷ୍ଠି ବୋଇଲେ ତୋତେ କେହେନେକେ ନେବି ଭାଇ

ତୋହର ଆତ୍ମା ଅସମ୍ଭାଳ କେମନ୍ତେ ପାରିବୁ ତୁ ଯାଇ ।୨୧୩।

ତୋହର ଥିଲେ ମୋତେ ବହୁତ ହିଂ ଜଞ୍ଜାଳ

ତୁ ମୋତେ ଭୀମସେନରେ ନକର କଟାଳ ।୨୧୪।

ୟେ ତୋର ଆତ୍ମା ତୋତେ ହିଂ ଅଗୋଚର

କ୍ଷଣକେ ପ୍ରାଣ ଅଛି ତୋହର କଳେବର ।୨୧୫।

ବଇଦସୁତ ମନୁ ବୋଇଲେ ଅଗସ୍ତିକି ଆଗ

ୟେମନ୍ତେ ଭୀମକୁ ହିଂ ନକଲେ ଅନୁରାଗ ।୨୧୬।

ଆଗେଣ ଯୁଝେଷ୍ଠି ପଛରେ ଭୀମସେନ

ହେମାଞ୍ଚଳେ ଅର୍ଜୁନକଇଂ ଛାଡି କରନ୍ତି ଗବନ ।୨୧୭।

ଯୁଝେଷ୍ଠି ଅନୁସରି ଭୀମ ଯାଉଥିଲା

ପାଦ ଖସିଲା ହିମେ ଭୀମସେନହିଂ ପଡିଲା ।୨୧୮।

ଭୀମସେନ ପଡିଲା ବଜ୍ରଘାତହିଂ ଜାଣି

ଭଇରୋବ ନାଦ ପ୍ରାୟେ ଶୁଭିଲା ଘୋର ବାଣୀ ।୨୧୯।

କିଅବା ମନ୍ଦରଗିରି ଭାଞ୍ଜିଣ ପଡିଲା

ତେସନେକ ପ୍ରାୟେ ହୋଇ ଶବଦ ଶୁଭିଲା ।୨୨୦।

ଭୀମ ବୋଇଲା କ୍ଷଣେ ବିଶ୍ରାମି ମୋତେ ନିଅସି

ୟେତେ ବଡ ଦୟାଳୁ ହୃଦରେ ନିର୍ଦ୍ଦୟା ନୁହସି ।୨୨୧।

ଭୋ ଧର୍ମରାୟେ ମୋତେ ପ୍ରତିକାର କର

ତୁମ୍ଭର ତୁଲେ ମୋତେ ନିଅ ହେ ନୃପବର ।୨୨୨।

ମୋହର ପରା ଭାଇକି ହେ ୟେଠାରେ ଛାଡିକରି ଯାଇ

କେସନେ ଛାଡି ତୁମ୍ଭେ ଯାଉଛ ଧର୍ମସାଇଂ ।୨୨୩।

ନିଶ୍ଚୟେ ଜାଣିଲି ତୁମ୍ଭେ ନିର୍ଦ୍ଦୟା ହୋଇଲତ

ଭୋ ଯୁଝେଷ୍ଠି ରାୟେ ମୁଂ ତୋହର ଶରଣାଗତ ।୨୨୪।

ଆକୁଳ ଦେଖିଣ ଧର୍ମେ ଚାହିଂଲେ ଲେଉଟି

ହସି ପ୍ରତିବଚନ କହୁଛନ୍ତି ଯୁଝେଷ୍ଠି ।୨୨୫।

ଯେ ଯାହାର ପୁଣ୍ୟ ଘେନି ସ୍ୱର୍ଗପୁର ଯାଅ

ଆସି ଆସି ଯେବେ ନୁଆରିଲୁ ତୁନିହୋଇ ଶୁଅ ।୨୨୬।

ଦେଖୁ ଦେଖୁ ଭୀମସେନ ହୋଇଲା ମୋହଗତ

ଭୋ ଦେବ ଯୁଝେଷ୍ଠି ମୁଂ ରହିଲଇଂ ଏଥ ।୨୨୭।

ଦଶ ସହସ୍ର ମତ୍ତହାଥୀର ପ୍ରାକର୍ମ ଯାହାର

ୟେଡ଼େକ ପ୍ରାକର୍ମ କେଣେ ଗଲାକ ତୋହର ।୨୨୮।

ଶୁଣ ହୋ ମନୁରାୟେ ବଦନ୍ତି ଅଗସ୍ତି ବ୍ରହ୍ମବେତ୍ତା

ପୁଣିହିଂ ଉଠିଲା ସେହି ପବନର ପୁତା ।୨୨୯।

ଯୁଝେଷ୍ଠି ଡାକଦିଅନ୍ତି ଆସ ଆସ ହୋ ବହନ

ବାମ ଅଙ୍ଗ ଭରା ଦେଇ ଯାଉଛି ଭୀମସେନ ।୨୩୦।

ଯୁଝେଷ୍ଠି ବୋଇଲେ ତୁହି ପାରୁ ଯେବେ ଚାଲି

ଶେଷକାଳ ହେଲାଣି ଆସୁଛି ହେମ ପେଲି ।୨୩୧।

ପବନ ଆପାତେନ ଯୁଝେଷ୍ଠି ଦେବ ଆଗ

ଯୁଝେଷ୍ଠିଂକି ଗୋଡ଼ାଇ ଭୀମସେନ ବେଗ ବେଗ ।୨୩୨।

ହେମବନ୍ତ ଶିଖ ଆଉ ଅଛି ଅଳ୍ପ ଦୂର

ରଡି ଶବଦ ଦେଇ ପଡିଲା ବ୍ରିକୋଦର ।୨୩୩।

ଭୋ ଦେବ ଯୁଝେଷ୍ଠି ଆହେ ରକ୍ଷା ମୋତେ କର

ୟେ ମୋହର ଆତ୍ମା ହୋୟେ ମୋତେ ଅଗୋଚର ।୨୩୪।

ନିଆସି ସମ୍ଭାଳି ସ୍ୱାମୀ ଦୟିନୀ ଘେନ ମୋହର

ଭୋ ଦେବ ଯୁଝେଷ୍ଠି କ୍ଷଣକେ ବିଶ୍ରାମ କର ।୨୩୫।

ଅନେକ ବଇକୁଲ୍ୟ କେତେହେଂ ତୁ ହୋଉ

ଆର ଅଙ୍ଗରେ ଆସ କିମ୍ପାଇଂ ଦୁଃଖ ପାଉ ।୨୩୬।

ଯୁଝେଷ୍ଠିଂକ ବୋଲେ ଦକ୍ଷିଣ ଅଙ୍ଗେ ପେଲିଲା

ବଜ୍ରଘାତ ଜାଣିକରି ବ୍ରିକୋଦର ପଡ଼ିଲା ।୨୩୭।

ମୋହ ହୋଇଣ ସେ ପଡିଲା ମହୀ ଲୋଟି

ହେମବନ୍ତ ଶିଖରେ ଯାଇଂଣ ଉଠିଲେ ଯୁଝେଷ୍ଠି ।୨୩୮।

ମହା ବଇକୁଲ୍ୟ ସେ ରହିଲା ଭୀମସେନ

ଚାରିସୋଦରେ ତହିଂ ହୋଇଲେକ ନିଧନ ।୨୩୯।

ହେମଗିରି ଶିଖରେ ଯୁଝେଷ୍ଠି ଦେବ ଉଠି

ମନେ ବଇକୁଲ୍ୟ ହୋଇଣ ମହାକଷ୍ଟି ।୨୪୦।

ପଚାଶ ସହସ୍ର ଯୋଜନ ତଳକୁ ଚାହିଂଲେ

ଭୀମସେନ ସହିତେ ଚାରିଭାଇ ରହିଲେ ।୨୪୧।

ତ୍ରିଦଶ ଦେବତାୟେ ଦେଖନ୍ତେ ଗଗନ ପଥେ

ସାଧୁ ସାଧୁ ସେହି ହୋ ହେମଗିରି ପରବତେ ।୨୪୨।

ଦେଖନ୍ତି ଯୁଝେଷ୍ଠି ଦେବ ଆକାଶ ସ୍ୱରୂପ

ଦେବ ଦୁନ୍ଦୁଭି ବାଦ୍ୟ ଶୁଭଇ ଅନରୂପ ।୨୪୩।

Image

 

ଯୁଧିଷ୍ଠିରଂକ ନର୍କ ଦର୍ଶନ ଓ ଛୟାଣୋଇ ସହସ୍ର ରାଜାଙ୍କ ମୁକ୍ତି

 

ବଇବସୁତ ମୁନି ଅଗସ୍ତିଂକି କଲେ ପୂଜା

ହେମବନ୍ତ ପର୍ବତ ଉପରେ ଉଠିଲେ ଯୁଝେଷ୍ଠି ମହାରାଜା ।୧।

ଦେବତାମାନଙ୍କୁ ଦେଖିଲେ ସେ ଯେବେ

ଆକାଶକୁ ପୁଣି ଗମନ୍ତି କେବଣ ଭାବେ ।୨।

ଶୁଣ ବଇବସୁତମନୁ ବଦୟନ୍ତି ବ୍ରହ୍ମବେତ୍ତା

ତୁ ଯାହା ପୁଛାକଲୁ ହେମବନ୍ତର ବାରତା ।୩।

ପୂର୍ବେ ହେମଗିରି ଲକ୍ଷେକ ଯୋଜନ

ସେ ପର୍ବତ ଉପରେ ବସଇ ପ୍ରଭାକର ରାଜନ ।୪।

ତହୁ ସେ ଉଦୟ ହୋଇ ଦିନକର

ତିମିର ତୁଟଇ ସେ ଉଦୟ କରତାର ।୫।

ଅନନ୍ତଗିରି ସେ ବସଇ ଦକ୍ଷିଣ କୋଣେ

ସେହି ପର୍ବତ ଯେ ୟେହି ପରମାଣେ ।୬।

ତହିଂର ଉପରେ ବସନ୍ତି ଅନନ୍ତ ନାରାୟଣେ

ପଶ୍ଚିମେ ମେରୁଗିରି ୟେହି ଯେ ପ୍ରମାଣେ ।୭।

ସେ ପର୍ବତର ଉପରେ ବସାଇ ସୁରପତି

ଉତ୍ତରେ କପିଳାସ କନ୍ଦରେ ୟେହି ମୂର୍ତ୍ତି ।୮।

 

 

ସେ ପର୍ବତ ଉପରେ ବସନ୍ତି ସଦାଶିବ

ୟେହିଚାରି ପର୍ବତ ଯେ ଆକାଶ ଅଧା ସ୍ୱର୍ଗ ।୯।

ୟେ ଚାରି ପର୍ବତ ତଳେ ନବଦୀପ ସପତ ସାଗର ପୃଥୀ

ୟେ ପର୍ବତ ଚାରି ଚାରି ଦିଗ ଆବୋରି ଅଛନ୍ତି ।୧୦।

ସେ ହେମବନ୍ତ ପର୍ବତ ଉପରେ ଉଠିଣ ଯୁଝେଷ୍ଠି

ମଧ୍ୟ ଭୁବନକଇଂ କଲେକ ଦେବ ଦୃଷ୍ଟି। ୧୧।

ତହିଂର ଉପରେ ଅଛଇ ଜୀର୍ଣ୍ଣକୂପ

ତହିଂରେ ପଡିଛନ୍ତି ଛୟାଣୋଇ ନୃପ ।୧୨।

ଯୁଝେଷ୍ଠି ଦେବ ଦ୍ରଶନେ ପାଇଲେ ସଦଗତି

ନରକରୁ ତରିଲେ ସେ ସକଳ ନୃପତି ।୧୩।

ଅଗସ୍ତିଂକି ପୁଛାକଲେ ବଇବସୁତ ମନୁରାଜା

କେବଣ ଯୋଗେ ନର୍କ ଗତି ପାଇଲେ ଛୟାଣୋଇ ରାଜା ।୧୪।

ଅଗସ୍ତି ବୋଲନ୍ତି ଦ୍ରିଯୋଧନ କତିରେ ଯେତେ ରାଜା ଥିଲେ

ପ୍ରଥମ ଦିନେ ପଡା ମାଗନ୍ତେ ସେ ଶରଣ ପଶିଲେ ।୧୫।

ନିସତ ହୋଇଣ ସେ ପଡିଲେ ସାଂଗ୍ରାମେ

ତେଣୁ କରି ଆକାଶେ ପଶିତ ନଦିଲେ ଦେବ ଯମେ ।୧୬।

ଜୀର୍ଣ୍ଣ କୂପ ଭିତରେ ଲାଇଲା ସବୁନ୍ତି

ସେ ଦିନ ଯୁଝେଷ୍ଠିଂକି ଦେଖି ପାଇଲେ ନର୍କୁଂ ସଦଗତି ।୧୭।

ପ୍ରତକ୍ଷେ ଧର୍ମଦେବ ତାଂକ ବନ୍ଧନ ଦେଖି

ପରମ ଗତିପାଇଲେ ସେ ପାପାନ୍ତ ଉପେଖି ।୧୮।

ଆକାଶେଣ ଥାଇ ଯେ ଧର୍ମନୃପତି

ନର୍କ ଦ୍ରଶନ କିମ୍ପା ପାଇଲେ ହୋ ଅଗସ୍ତି ।୧୯।

ଅଗସ୍ତି ବୋଇଲେ ହୋ ଶୁଣ ମନୁରାୟେ

ସତ୍ୟେଣ ସଂସାର ପାଳିଲେ ଧର୍ମରାୟେ ।୨୦।

ଧର୍ମହୁଂ ଆନ ନକହନ୍ତି ଧର୍ମବାଣୀ

ତେଣୁ ସେ ଖଟିଲେ ଶଙ୍ଖ ଚକ୍ର ପାଣି ।୨୧।

ମହାଭାରତ ଯୁଦ୍ଧେ ନମରଇ ଦ୍ରୋଣ

କରେ ସହସ୍ର ଥିଲେ ତାଙ୍କୁ କେହି ଜିଣି ନୋହେ ରଣ ।୨୨।

ଅସସ୍ତମା ହତ ବୋଲି ଶୁଣଇ ଯେବେ କର୍ଣ୍ଣେ

ତେବେ ସହସ୍ର ଛଡାଇ ଜିଣଇ ତାକୁ ରଣେ ।୨୩।

ପାଣ୍ଡବେ କୂଟ ଉପାୟେ ଯେ କଲେ ରାତି

ଭୀମସେନ ମାଇଲା ଅଶ୍ୱସ୍ତମା ନାମେ ହାଥୀ ।୨୪।

ଅଶ୍ୱସ୍ତମା ରଥ ଧରି ଭୀମସେନ ଫିଙ୍ଗିଦିଲା

ସରସ୍ୱତୀ ନଦୀତୀରେ ଯାଇଂ ଅଶ୍ୱସ୍ତମା ପଡିଲା ।୨୫।

ଅଶ୍ୱସ୍ତମା ହତ ବୋଲି ଶୁଭିଲାକ ବାଣୀ

ଥାଠେ ଲୋଡି ଦ୍ରୋଣେ ଯେ ନପାଇଲେ ଦ୍ରୋଣୀ।୨୬।

କୁରୁପାଣ୍ଡବେ ବେନି ଥାଠେ ପଚାରିଲେ ଗୁରୁ

ସମସ୍ତେ ବୋଇଲେ ଅଶ୍ୱସ୍ତମା କୁରୁପତି ଆଉ କାହିଂ ଲୋଡିପାରୁ ।୨୭।

ଯୁଝେଷ୍ଠି ଦେବକଇଂ ଚାହିଂ ପଚାରିଲେ ଦ୍ରୋଣ

ବାବୁ ଅଶ୍ୱସ୍ତମା ହତ ତୁମ୍ଭେ ସତ କରି ଜାଣ ।୨୮।

ଅଶ୍ୱସ୍ତମା ହତ ବୋଲି ବୋଇଲେ ଯୁଝେଷ୍ଠି

ନର କିମ୍ବା ଗୁଞ୍ଜର ବୋଲି ନଜାଣଇ ତଥି ।୨୯।

ଆନ ଆଉ ଯୁଝେଷ୍ଠିଂକର ପାତକ ନାହିଂ କିଛି

ୟେତେକ ମାତ୍ର ମିଥ୍ୟା ଧର୍ମସୁତ କହିଅଛି ।୩୦।

ତତ ଦୋଷ କରି ନରକ ଦରଶନ

ୟେଣୁ ଦେଖିଣ ମୁକତି ଗତି ପାଇଲେ ରାଜାମାନ ।୩୧।

Image

 

ଶ୍ୱାନରୂପେ ଧର୍ମଙ୍କର ପ୍ରବେଶ, ଯୁଧିଷ୍ଠିରଙ୍କର ଇନ୍ଦ୍ରଙ୍କ ସ୍ତବ, ବ୍ୟାଘ୍ର ଦର୍ଶନ ଓ କଳିଯୁଗର ନିର୍ଯ୍ୟାତନା

 

ଶୁଣିଣ ସାନନ୍ଦ ହୋଇଲେ ବଇବସୁତ ମନୁ ରାଜା

ପାଦାର୍ଘ୍ୟ ଦିଲେ ଯେ ଅଗସ୍ତି ବ୍ରହ୍ମଦୁଜା ।୧।

ଭ୍ରାତା ସୋଦର ନାହିଂ ୟେକା ହୋଇଲେ ଯୁଝେଷ୍ଠି

କେବଣ କୃତ୍ୟ କଲେ ସେ ହେମବନ୍ତ ଶିଖରେ ଉଠି ।୨।

ଶୁଣ ହୋ ମହାରାଜା ବଦୟନ୍ତି ବ୍ରହ୍ମଯତି

ଚାହାନ୍ତି ଯୁଝେଷ୍ଠି ଦେବ ଦିଶଇ ଶୂନ୍ୟ ଚଉକତି ।୩।

ବନ୍ଧୁ ସୋଦର ମରାଇ ହୋଇଲି ମୁଂ ୟେକା

ଅଣ ମନୁଷ୍ୟରେମୁଂ ହୋଇଲଇଂ ଲେଖା ।୪।

ଯୁଝେଷ୍ଠିଂକ ଦୋଷ ଶୂନ୍ୟ ଦେଖି ଧର୍ମ ଦଇବତେ

ଶ୍ୱାନେକ ହୋଇଯାଇଂ ଭେଟିଲେ ନିଜ ସୁତେ ।୫।

ଶୁଣ ହୋ ଚଇତନ ଶୁକ୍ଳାମ୍ବର ଶରୀର ଯେ ଶ୍ୱାନ ରୂପକାୟେ

ଧବଳ କମଳ ଶୁଦ୍ଧସଷ୍ଟିକ ପରାୟେ ।୬।

ଅଦଭୁତେ କାହୁଂ ଯୁଝେଷ୍ଠି ଛାମୁରେଣ ଭେଟି

ଦେଖିଣ ଆଶ୍ରିଜ ଯେ ଧର୍ମରାୟେ ଯୁଝେଷ୍ଠି ।୭।

ୟେ ମହା ହେମ ଲାଗି ଦେହ ମିଳାଇବାର ଭଳି

ୟେଡ଼େ ହେମ ଥାନରେ ଆସି ଶ୍ୱାନ କେମନ୍ତେ ମିଳି ।୮।

ଯୁଝେଷ୍ଠି ବୋଇଲେ ମୁଂ ହୋଇଲି ନିରେଖା

ୟେ ଶ୍ୱାନ ଗୋଟି ମୋତେ ହୋଇଲାକ ସାଖା ।୯।

ୟେତେକ ଭାଳି ଦେବ ଆରୋହଣ ବାଟ ତଳେ

ବସିଣ ଧର୍ମରାଜ ଯେ ବିଚାରନ୍ତି ବିକଳେ ।୧୦।

ଶ୍ୱାନ ଗୋଟି ବସିଲା ଯୁଝେଷ୍ଠିଂକ କତି

ଦେଖିଣ ସନ୍ତୋଷ ହେଲେ ଧର୍ମ ମହୀପତି ।୧୧।

ସେ ବନସ୍ତ ଭିତରୁ ଧାଇଂଲା ବ୍ରାଘବର

ଶ୍ୱାନକୁ ଭେଟିଲା ଯାଇଂ କରିବ ଆହାର ।୧୨।

ବ୍ରାଘକଇଂ ଦେଖିଣ ଶ୍ୱାନ ହୋଇଲା ବଇକୁଲ୍ୟ

ମୁଖ ତୋଳି ରୋବଇ ସେ ହୋଇଣ ଆକୁଳ ।୧୩।

ତାହା ଦେଖି ଯୁଝେଷ୍ଠିଂକର ବଇକୁଲ୍ୟ ମନ

ଭୋ ଧର୍ମଦେବତା ମୋତେ ରଖ ନିରଞ୍ଜନ ।୧୪।

ସାଖା ସୋଦର ସମସ୍ତ ନାଶଗଲା

ତାହାଂକୁ ବିକଳ ମୋର ମନରେ ନୋହିଲା ।୧୫।

ୟେ ଶ୍ୱାନର ବଇକୁଲ୍ୟେ ମୁଂ ଜୀଇବଇଂ ଆଉ କାହିଂ

ୟେହାର ଆରତେ ଚିନ୍ତା ମୋର ଦେହୀ ।୧୬।

ୟେ ମୋହର ଆତ୍ମା କିମ୍ପା ଦହିଜ ନୋହିଲା

ୟେହାର କଷ୍ଟ ଦେଖି ମୋର ଆତ୍ମା ବିସର୍ଜିଲା ।୧୭।

ୟେତେକ ବୋଲିଣ ରାଜା ଧର୍ମର ନନ୍ଦନ

ଶୋକେଣ ଆକୁଳ ହୋଇଲେ ଆରତ ପଞ୍ଚୁମନ ।୧୮।

ଯୁଝେଷ୍ଠିଂକ ଆକୁଳ ବିକଳ ଦେଖିଣ ଯେ ଶ୍ୱାନ

ଡରେଣ ଥରହର ସେ ରୋବଇ ଘନଘନ ।୧୯।

ଶ୍ୱାନର ଆକୁଳ ଦେଖି ଉଠିଲେ ଧର୍ମସାଇଂ

ବନସ୍ତର ଡାକ ଘେନି ଓଗାଳିଲେ ଯାଇ ।୨୦।

ଶ୍ୱାନର ଆରତ ଦେଖି ଚିନ୍ତା ଧର୍ମ ରାୟେ

ଶ୍ୱାନକୁ ଆବୋରି କରି ବସିଲେ ୟେକାୟେ ।୨୧।

ଯାହାର ପ୍ରାକର୍ମେ ମୁଂ ପାଇଲି ରାଜ୍ୟଭାର

ତାହାର ଚିନ୍ତା ମୋର ନବସିଲା ହୃଦର ।୨୨।

ପ୍ରିୟବତୀ ଭରିଜା ମୋହର ନାଶ ଗଲା

ତାହାକଇଂ ହାଦେ ମୋର ଦୟାତ ନବସିଲା ।୨୩।

ୟେହାକଇଂ ଛାଡିଲେ ୟେତ ହୋଇବ ନିରେଖ

ୟେହିକ୍ଷଣି ୟେହାକୁ କରିବ ବ୍ରାଘ ଭକ୍ଷ ।୨୪।

ୟେହାକୁ ବିନାଶ କଲେ ମୋହର ଧର୍ମନାଶ

ଜୀଇଂବାରୁ ମରଣ ମୋର ହୋଇବ ପଉରୋଷ ।୨୫।

ଭୀମ ଅର୍ଜୁନ ଭାଇମାନେ ହୋଇଲେ ବଡ଼ଛତ୍ରୀ

ତାହାଂକର ବାଣେ ଦୁଷ୍ଟମାନନ୍ତ ଗଞ୍ଜିଲେ ଯେ ପୃଥୀ ।୨୬।

ସେ ମୋର ସୋହଦରମାନେ ବିନାଶ ହୋଇଲେ

ତାହାଂକୁ ହୃଦରେ ଦୟା ମୋର ନବସିଲା ଭଲେ ।୨୭।

ମୋହର ନାସ୍ତି କଲେ ଏହାର ପ୍ରାଣନେବ

କେବଣ ଧର୍ମମୋର ହୋଇବାକ ତେବ ।୨୮।

ୟେଥୁ ଅନନ୍ତରେ ସେ ବିଲଙ୍କା ଦେଶ ରାଜା

ଅଗସ୍ତିଙ୍କ ପାଦପଦ୍ମେ କଲେ ଦିବ୍ୟପୂଜା ।୨୯।

ଭୋ ଦେବ ଚାରିପାଣ୍ଡବ ଦ୍ରୋପତୀ ହେମବନ୍ତେ

କେବଣ କୃତ୍ୟ କଲେ କହିବ ତପୋବନ୍ତେ ।୩୦।

କହନ୍ତି ଅଗସ୍ତି ଶୁଣ ହୋ ମହୀପତୀ

ୟେସନେକ ଶୁଣ ଚାରିପାଣ୍ଡବଙ୍କ ରୀତି ।୩୧।

ମୃତ୍ତିବନ୍ତ ହୋଇଣ ଛାଡିଲେ କଳେବର

ପୁଷ୍ୟେକ ବସିଗଲେ ଅମର ସ୍ୱର୍ଗ ପୁର ।୩୨।

ଦେଖିଣ ଇନ୍ଦ୍ରଦେବତାଙ୍କୁ ସନ୍ତୋଷ ହୋଇଲେ

ବସିବାକୁ ସ୍ଥାନ ଦିବ୍ୟ ସିଂହାସନ ଦିଲେ ।୩୩।

ରତ୍ନ ଅଳଙ୍କାରମାନ ସେ ବିବିଧ ବର୍ଣ୍ଣେ ଦେଇ

ଦେଖିକରି ହରଷ ହୋଇଲେ ଶଚୀ ସାଇଂ ।୩୪।

ୟେଥୁ ଅନନ୍ତରେ ଶୁଣ ବିଲଂକ ଦେଶ ରାଜା

ଅଗସ୍ତିଙ୍କ ଚରଣେ କଲାକ ଦିବ୍ୟପୂଜା।୩୫।

ଭୋ ମୁନି ଯେତେବେଳେ ପାଣ୍ଡବ ତୀର୍ଥବାସୀ

ପରୀକ୍ଷକଇଂ ରାଜ୍ୟ ଦେଇଣ ଧର୍ମଶିଶି ।୩୬।

କେମନ୍ତ କରି ସେ ରାଜ୍ୟ କଲେକ ପାଳନ

କ୍ଷଣେହେଂ ରହୁ ଯୁଝେଷ୍ଠି ସ୍ୱର୍ଗ ଆରୋହଣ ।୩୭।

ଶୁଣ ହୋ ରାଜନ ତାହା ବଦନ୍ତି ଅଗସ୍ତି

ରାଜ୍ୟ ଛାଡି ଆସିଲେ ଯେ ଯୁଝେଷ୍ଠି ନୃପତି।୩୮

ମ୍ଳେକ୍ଷ ରାଜାହିଂ ଆସି ଆବୋରିଲା ପୁର

ଭ୍ରତଖଣ୍ଡ ରାଜ୍ୟେ ୟେ ପରୀକ୍ଷ ନୃପବର ।୩୯।

ପିତା ତାଂକୁ ଦିଲେ ପୂର୍ବ ଜମ୍ବୁଦୀପ ପୃଥୀ

ସମସ୍ତ ନୃପତି ପରୀକ୍ଷ ଚରଣେ ଖଟନ୍ତି ।୪୦।

କ୍ଷତ୍ରୀୟ ବୀରବର ସେ ଅଟଇ ମହାରାଜା

ଆଗ୍ୟାଂୟେ ପ୍ରଶୁରାମ କୃତାନ୍ତେକ ତରିଜା ।୪୧।

ରୂପେଣ ମନସିଜ ପ୍ରାକ୍ରମେ ସୁରପତି

କ୍ଷମାୟେ ପୃଥୀପତି ବଡ଼ିମାୟେ ମାରୁତି ।୪୨।

ଅଭିମନ୍ୟୁ ନନ୍ଦନ ଯେ ପ୍ରତାପୀ ସୋମବଂଶ

ଯାହାର ପିତା ମାତୁଳ ଅଟନ୍ତି ହୃଷୀକେଶ ।୪୩।

କୃଷ୍ଣ ପାଣ୍ଡବେ ଯହୁଂ ଗଲେକ ସ୍ୱର୍ଗପଥ

କଳିଯୁଗର ଦୋଷ ହୋଇଲା ଉପଗତ ।୪୪।

ସନ୍ଧ୍ୟା ଦର୍ପଣ ଯେ ଛାଡିଲେ ଦେବ ପିତ୍ର

ବଣିଜ କର୍ମ କଲେ ଯେ ଯାହା ଅବିହିତ ।୪୫।

ଯେ ଯାହାର ନିତ୍ୟକର୍ମ ଛାଡ଼ିଲେ ସହଜ

ବଇଶ୍ୟ କ୍ଷତ୍ରିୟ ଶୁଦ୍ର ବିପ୍ରମାନେ ଅବୀଜ ।୪୬।

ବ୍ରାହ୍ମଣେ ବେଦମନ୍ତ୍ର ଯଗ୍ୟଂ ହୋମ ଛାଡ଼ି

ଅକର୍ମ କରନ୍ତି କେହୁ କୁପଥହିଂ ମାଡି ।୪୭।

ମଦ୍ୟ ମତ୍ସଳ ହିଂସା ନିନ୍ଦାରେ ମନ୍ଦବୁଦ୍ଧି

ସନ୍ଥ ବଚନେ କେହି ନୋହନ୍ତି ପ୍ରବୋଧି ।୪୮।

ପ୍ରସବ ସ୍ତିରୀୟେ ଯେ ଇଛନ୍ତି କାମଇଛା

ଅନୁବ୍ରତେ ଜିଭ୍ୟାରେ ସେ କହୁଥାନ୍ତି ମିଚ୍ଛା ।୪୯।

ପିତାକଇଂ ପୁତ୍ରଯେ କରନ୍ତି ଉପହାସ

ନାରୀନ୍ତ ପୁରୁଷମାନେ ନଗଲେ ବିଶ୍ୱାସ ।୫୦।

ମାତା ପିତା ତେଜି ପୁତ୍ର ଭାରିଜାର ବଶ

ନିଜ ପୁରୁଷକଇଂ ହୋୟେ ପତ୍ନୀ ଅମରିଷ।୫୧।

ୟେସନେକ ଆଚାର ଯେ ଉପୁଜିଲା ମହୀ

ଅନାଚର କଲେ ସର୍ବେ କଳି ଭୋଗ ହୋଇ ।୫୨।

ଡଗରେ ହକାରି ଦିନେ ପୁଚ୍ଛିଲାକ ରାଜା

ଦେଶ ଉଚିତରେ ସେ ଅଚ୍ଛନ୍ତିନା ପ୍ରଜା ।୫୩।

ବ୍ରାହ୍ମଣେ ବେଦ ମନ୍ତ୍ରେ ହୋଅନ୍ତିନା ଧର୍ମଶୀଳ

ବେଉସା ବାଣିଜରେ ହୁଅଇନା କୃଷିଫଳ ।୫୪।

ଯେ ଯାହାର କର୍ମରେ ସେ ଅଛନ୍ତିନା ପ୍ରାଣୀ

ଆଉ କିଛି ଅଭାବ ଅଛୁ କି ହୋ ତୁହି ଶୁଣି ।୫୫।

ବୋଲି ଚାରଗଣେ ଶୁଣ ହୋ ନରନାହା

ସବୁହିଂ ଅନୀତି ଦେବ ପଚାରିଲୁଂ ଯାହା ।୫୬।

ଯୁଝେଷ୍ଠିଂକ ରାଜ୍ୟରେ ଯେତେକ ଗରୁହଂସୀ

ତୁମ୍ଭର ରାଜପଣେ ନାହିଂତ ୟେକ ଅଂଶୀ ।୫୭।

କଳି ପ୍ରବେଶରୁ ତ ହୋଇଲା ଛିଦ୍ରକାଳ

ଆମ୍ଭର କହିତେ ଶକ୍ୟ ନାହିଂ ମହୀପାଳ ।୫୮।

ଡଗର ବଚନେ ସେ ନୃପତି ଅସନ୍ତୋଷଇ

କଳିକାଳ ଦୁଷ୍ଟ ପଶିଲା ମୋହର ଦେଶାଇ ।୫୯।

ରାଜାର ଉଦବେଗ ବଡ଼ାଇ କଲା ଚିତ୍ତ

ଗୁପତେ ଛିଦ୍ରକଇଂ ଖୋଜଇ ସେ ନୃପତ ।୬୦।

ଗୁପତେ ରାଜାହିଂ ତ ସେ ଦେଶେ ଦେଶେ ବୁଲି

ପରଜାଂକ ଚେଷ୍ଟା ମାନସେ ମନେ ମନେ ଭାଳି ।୬୧।

ଗୁପତେ ରାଜା ଯେ ଦେଶେ ଦେଖିଲା କଳିଯୁଗ

ମନ୍ତ୍ରୀଂକି ଘେନି କଟକେ କରଇ ପ୍ରୀତିଭୋଗ ।୬୨।

ତିନିପାଦ ଛେଦଇ ୟେକା ଯେ ବଇଲ

ଗାଈ ଗୋଟିଏ ଯୋଚିଲା ତାହାର ତୁଲ ।୬୩।

ଦୁହିଂନ୍ତି ଧରିଣ ଧଂସୁଅଛି ରୋଳି

ଧରିଣ ଘେନିଣ ଯେ ଚଳଇ ମହୀଆଳୀ ।୬୪।

ମହା ଦଗଧେ ଯେ ବୃଷଭ ବିକଳ

ବେନି ନୟନୁଂ ତାର ବହଇ ଅଶ୍ରୁଜଳ ।୬୫।

ୟେସନେକ ସମୟେ ଯେ ପରୀକ୍ଷ ମିଳିଲା

କଳିକି ଚାହିଂଣ ସେହି କୋପେଣ ବୋଇଲା ।୬୬।

ତୋହର ତହୁଂ ମହାପାପୀ ଯେ ନାହିଂ ୟେଥୁ ଆନ

କିଂକେ ଦୁଖ ଦେଉରେ ବୃଷଭ ପାଦ ହୀନ ।୬୭।

ୟେ ସେ ଅବଧ୍ୟ ୟେହା ବଧ୍ୟ କଲୁ କେସନ ମତେ

ୟେ ତୋହର ସତ ବଳିଲା କିମର୍ଥେ ।୬୮।

ତୁ ଅବା ବୋଲିବୁ ୟେହା କିମ୍ପେ କଲୁ ପୁଛା

ନିଜ କର୍ମେ ମୋହ ରତନ ହୋଇ ସ୍ଵଇଛା ।୬୯।

ମୁହିଂ ପରୀକ୍ଷ ରାଜନ ନଜାଣୁକି ମୋତେ

ମୋହର ରାଜ୍ୟେ ଅଧର୍ମ କରୁ ତୁହି କେମନ୍ତେ ।୭୦।

ମୁହିଂ ସୃଷ୍ଟି ପାଳଣତ ଦେଖିଲି ନୟନେ

ୟେତେ ବୋଲି ବୃଷଭ ସେ କହଇ ବଚନେ ।୭୧।

ବୋଲି ବୃଷଭ ତୁ ଶୁଣସି ନୃପବର

ଯାହା ସେ ପୁଛାକଲୁ ମୁକୁଇ ଆଗୋଚର ।୭୨।

କେବଳ କହଇ ମୁଂ ତୁମ୍ଭର ଆଗର

ମୋହର ଚରିତ ତୁହି ଶୁଣ ନୃପବର।୭୩।

ଶ୍ରୀକୃଷ୍ଣ ପାଣ୍ଡବେ ଯେଉଂଦିନୁ ନିଧନ ହୋଇ

କଳି ଭୋଗ ରାଜା ହୋଇଲା ଦେଶଇ ।୭୪।

କଳି ଡରେଣ ହୋଇ ଯେ ଗାବ ରୂପ

ଗୋଡ଼ାଇ ଧଇଲା ଯାଇଂ କଳି ନୃପ ।୭୫।

ମୁହିଂ ଧର୍ମ ଯେ ବୃଷଭ ରୂପ ହୋଇ

ୟେ କଳିମାୟା ମୋତେ ଧଇଲା ଗୋଡ଼ାଇ ।୭୬।

ମୋହର ଯେ ସତ୍ୟ ଶଉଚ ଦୟା କ୍ଷମା ଧଇଲା ଚଉପାଦ

ସତ୍ୟ ଛାଡ଼ିଣ ୟେ ତିନିପାଦ କଲା ମୋର ଛେଦ ।୭୭।

ଶୁଣି ପରୀକ୍ଷ ବୋଇଲେ ମୁଂ ଯାଉଥିଲି ଲୋଡି

ଯୋଗେଣ ତୁହି ୟେବେ ମୋହର ଆଗେ ପଡି ।୭୮।

ୟେତେ ବୋଲି ଖଡଗ ଯେ ଝାଡି ଦିଲାକ ବୀର

ତୋତେ ମୁଂ ମାରନ୍ତେରେ ଜଗତ ଉପୁଗାର ।୭୯।

ମୋହର ବଳବୀର୍ଯ୍ୟ ତୁ ଦେଖିଲୁରେ ଊଣା

ତେଣୁ ତୁ ମୋହରଦେଶେ କରୁରେ ଗଞ୍ଜଣା ।୮୦।

ଡରେ କଳିଯୁଗର କମ୍ପଇ ଶରୀର

ମୁଂ ତୋତେ ଶରଣ ମୋତେ ରଖ ନୃପବର ।୮୧।

ମୋତେ ମାରନ୍ତେଣ ତୋହର ପିରାଜନ ନାହିଂ

ଆଗ୍ୟାଂ ମୋତେ ଦିଅନି ମୁଂ ଥିବଇଟି କାହିଂ।୮୨।

ମୋହୋର ଆୟିଷ୍ୟ ଘେନି ଯୁଝେଷ୍ଠି ରାଜନ

ରାଜ୍ୟ ତେଜି ବନସ୍ତେ ସେ କଲେକ ଗବନ ।୮୩।

ତାହାଂକର ଦୟାରେ ମୁଂ ଦେଶେ ବିହରଇ

ତୋହର ରାଜ୍ୟରେ ନପଶି କିମ୍ପାଇ ବଞ୍ଚଇ ।୮୪।

ତୁ ମୋତେ ହୋ ଦୟା ରାଜା କରିବୁନା ୟେବେ

ବିଚାରି ଆଗ୍ୟାଂ ମୋତେ ଦେବାକ ନୃପଦେବେ ।୮୫।

ଶୁଣିଣ ବିଚାରନ୍ତି ଯେ ପରୀକ୍ଷ ରାଜନ

ପ୍ରାଣ ବିକଳରେ ଯେବେ ତୁରେ ପଶିଲୁ ଶରଣ ।୮୬।

ତୋତେ ଯେବେ ରକ୍ଷା ମୁଂ କରିବିଟି କଳି

ମୋହୋର ରାଜ୍ୟ ଛାଡି ଯାଅତୁ ଆନ ପନ୍ଥେ ଚଳି ।୮୭।

କଳି ବୋଇଲା ତୁମ୍ଭେ ସକଳ ଦେଶେ ଅଧିକାରୀ

ଦିଅ ମୋତେ ଠାବ ୟେବେ ମନରେ ବିଚାରି ।୮୮।

ଉତ୍ତରା ନନ୍ଦନ ଯେ ବୋଇଲେ ମନେ ଭାଳି

ୟେ ମୋର ବଚନେ ଯେବେ ଥିବୁ ପ୍ରତିପାଳି ।୮୯।

ଯାହାର ମାତ୍ରା ହୀନ ଆଧ୍ୟାନ କରେ ମହୀ

ସେ ମୂର୍ଖର ଅଙ୍ଗେ ଆରୋହଣ କର ତୁହି ।୯୦।

କଳି ବୋଇଲା ହୋଇଣ କୃତାଞ୍ଜଳି

ୟେଠାରେ ରହିଲେ ସହିପାରିବ କି ସେ ମୋହର ଆର୍ଦ୍ଦୋଳି ।୯୧।

ଅନେକ କୁଟୁମ୍ବ ବନ୍ଧୁ ମୋହର ଅଛଇ

ସକୁଟୁମ୍ବେ ୟେଠାରେ ରହିତେ ନଗଛଇ।୯୨।

ଅନୂରୁପ ଜାଣି ତୁମ୍ଭେ ବୋଲ ହୋ ନୃପତି

କାହିଂ ବିଶ୍ରାମ ହୋ କରିବଇଂ ନିତି ।୯୩।

ପରୀକ୍ଷ ବୋଇଲେ ମଦ ଗଞ୍ଜାଇ ଜୁତ

ୟେତେଠାବେ ତୁ ବିଶ୍ରାମ କରିବୁ ଅବିରତ ।୯୪।

ୟେତେସ୍ଥାନେଣ ତୁହି ଦିବାରାତ୍ରେ ଥିବୁ

ମମ ଆଗ୍ୟାଂ କେବେହେଂ ଭ୍ରଷ୍ଟ ଯେ ନକରିବୁ ।୯୫।

ପରୀକ୍ଷର ଆଗ୍ୟାଂ ଘେନି କଳିଯୁଗ ଗଲା

ଧର୍ମ ଧରଣୀ ଯେ ଦୁହିନ୍ତି ଛାଡ଼ିଦିଲା ।୯୬।

ବାହୁଡି ବିଜେ ରାଜା ଅନ୍ତପୁରେ ଆସି

ପ୍ରଜାପାଳନ କଲେ ଅଭିମନ୍ୟୁ ଶିଷି ।୯୭।

ଆରଦିନ ରାଜା ଯେ ଦଳ ବଳ ସାଜି

ଦିଗବିଜେ କଲେ ରାଜା ସାନନ୍ଦ ମନେ ହେଜି ।୯୮।

ପୃଥୀରେ ଭ୍ରମଣ ଯେ କରଇ ନୃପତି

ଭ୍ରଥଖଣ୍ଡ ନବ ସହସ୍ର ଆଦିପତି ।୯୯।

ସକଳ ସ୍ଥାନରେ ରାଜା କରଇ ଗବନ

କଳି ଶାପେ ଶାନ୍ତି ସକଳ ଜୀବମାନ ।୧୦୦।

ବିଷ୍ଣୁର ମହିଂମା ଯେ ସକଳ ଦେଶେ କହି

ବ୍ରାହ୍ମଣ ପୁରାଣେ ଯେ ଶୂଦ୍ରେ ଗୀତଗାଇ ।୧୦୧।

ପୃଥିବୀ ଗୁହାରି କଲା ଯେବଣ ମତେ

କେସନେକେ ଦେବେ ଉପୁଜିବେ ମଞ୍ଚଗତେ ।୧୦୨।

ଦେବକୀ ଗର୍ଭେ କୃଷ୍ଣ କେବଣ ମତେ ସ୍ଥିତି

ସଂକ୍ରିଷେଣ ରୋହିଣୀ ଗର୍ଭେ ଉତପତି ।୧୦୩।

ବାଳ ଅବତାର କୁତୂହୋଳ ଦେବ ହରି

ବିବିଧ ପ୍ରକାରେ ୟେହା ଗୀତେଣ ବିଚାରି ।୧୦୪।

ଅଘା ଶକଟା ବକା ଧେନୁକା ଯେ ବତ୍ସାସୁର

ପୁତନା ତ୍ରୋଣାବର୍ତ୍ତ କେଶୀ କୁବଳୟା କରିବର ।୧୦୫।

କଂସରାଜା ନାରକା ବାଣ ବଜ୍ରନାଭ କାଳଦମନ

କାହ୍ନା ଅବତାରେ ଯେ ନାଶିଲେ ୟେ ଅସୁରମାନ ।୧୦୬।

ପାଣ୍ଡବଂକ ବଳବୀର୍ଯ୍ୟ କହନ୍ତି ଶାହାସ୍ର ବିଧାନେ

ଯେମନ୍ତ ପ୍ରକାରେ ନାଶିଲେ ରାଜା ଦ୍ରିଯୋଧନେ ।୧୦୭।

ଶୁଣିଣ ପରୀକ୍ଷ ଯେ ହୋଇଲେ କୃତକୃତ

କିସେ ବଚନୟେ ଶୁଭଇ ଅଦଭୁତ ।୧୦୮।

ପିତାବତ୍ସଳ ୟେ ଅଜାଂକର କୀରତି

ଶୁଣିଣ ପରମ ସାନନ୍ଦ ସେ ହୋଇଲେ ନୃପତି ।୧୦୯।

ମନେ ବିଚାରନ୍ତି କଳିକାଳ ସାଧ୍ୟକଲି ଯହୁଂ

ୟେ ଧର୍ମ ବାସନାମାନ ଗୋବିନ୍ଦ ଶୁଣିଲଇଂ ତହୁଂ ।୧୧୦।

ବାହୁଡି ଆସି ରାଜା ନିଜ ଭୁବନେ ପରବେଶ

ସିଦ୍ଧଚଣ୍ଡୀ ଚରଣେ ଶରଣ ଶୁଦ୍ରମୁନି ସାରୋଳଦାସ ।୧୧୧।

ୟେଥୁ ଅନନ୍ତରେ ଯେ ବିଲଂକ ଦେଶ ରାଜା

ଅଗସ୍ତିଂକ ଚରେଣ କଲେକ ଦିବ୍ୟପୂଜା ।୧୧୨।

ପରୀକ୍ଷ ରାଜା କଥା ଶୁଣିଲି ମହାମୁନି

ୟେବେ କହ ଯୁଝେଷ୍ଠିଂକ ସ୍ୱର୍ଗ ଆରୋହଣ ବାଣୀ ।୧୧୩।

ଯୁଝେଷ୍ଠିଂକ ଛାମୁରେ ଯେ ବିଜେ ଧର୍ମସାଇଂ

ନିରୋପି ଚାହାଂଇ ଯେ ଯୁଝେଷ୍ଠିଂକ ବଦନଇ ।୧୧୪।

ସାଖା ସୋହଦ୍ର ପୁତ୍ରବାନ୍ଧବ ମୋହୋର କେହୁ ନାହିଂ

ଦିଗ ନଦିଶଇ ଯିବି ଯେ ମୁହିଂ କାହିଂ ।୧୧୫।

ବଇବସୁତ ମନୁ ଶ୍ରୋତା ୟେ ବଦୟନ୍ତି ବ୍ରହ୍ମବେତ୍ତା

ଯୁଝେଷ୍ଠିଂକ ମନେ ନାହିଂ ଭାଇଂକର ଚିନ୍ତା ।୧୧୬।

ଯୁଝେଷ୍ଠି ବିସରନ୍ତେ ଜାଣିଲେ ଦେବ ପିତା

ଇନ୍ଦ୍ରକଇଂ ହକାରିଣ ଆଗ୍ୟାଂ ଦିଲେକ ବିଧାତା ।୧୧୭।

ପୁଷ୍ୟେକ ବିମାନ ଘେନି ବେଗେ ଯାଆସି ସହସ୍ରାକ୍ଷ

ହେମବନ୍ତ ବଟ ତଳେ ଯୁଝେଷ୍ଠି ଅଛନ୍ତି ପ୍ରତକ୍ଷ ।୧୧୮।

ବିମାନେ ବସାଇଣ ବେଗେ ଆଣ ତାହା

ଅମରଧର୍ମ ସମାନେ ପୂଜାକର ଧର୍ମ ନାହା ।୧୧୯।

ପିତାର ଆଗ୍ୟାଂୟେ ଯେ ବିନୟେ ସସ୍ରଯୋନି

ହେମବନ୍ତେ ବିଜେ କଲେ ଅମରଗଣନ୍ତ ଘେନି ।୧୨୦।

ବାସବ ଦେବତାକଇଂ ଦେଖିଣ ଯୁଝେଷ୍ଠି

ବଟତଳୁ ଦେବ ଆସନ ଛାଡିଣ ବେଗେ ଉଠି ।୧୨୧।

ବାସବ ଦେବତାଂକୁ ଯେ ବିନୟେ ଭଗତି

ଜୟ ତୁ ସୁନାଶିର ବୃନ୍ଦାର୍କ ଚକ୍ରବ୍ରତୀ ।୧୨୨।

ଆବର୍ତ୍ତେକ ସମ୍ବର୍ତ୍ତେକ ଦ୍ରୋଣ ମୂଳ ପୁଷ୍କର

ୟେମାନେ ଭୃତ ପଣେ ଚରଣେ ସେବନ୍ତି ଯାହାର ।୧୨୩।

ଅଗ୍ନିବାଣ ନିର୍ଘାତବାଣ ବଜ୍ରସୂଚୀ ବଜ୍ରବାଣ

ଆଦ୍ରାବଳୀବାଣ ଅର୍ଦ୍ଧଚନ୍ଦ୍ରବାଣ ପୁଣ ।୧୨୪।

ୟେ ଶହସ୍ରମାନ ତୋର ହାଥରେ ଚଳଇ

ଅନନ୍ତକୋଟି ବ୍ରହ୍ମାକୁ ରକ୍ଷାପାଳ ତୁହି ।୧୨୫।

ସ୍ୱାମୀ ହେଳେଣ ବାନ୍ଧିଲୁ ତୁ ଶୂନ୍ୟ ଅଣଚାଷ

ତପନ ତାପନ ଧାପନ ନାହିଂ ନା ଅବକାଶ ।୧୨୬।

ପରମ ବ୍ରହ୍ମଧର୍ମ କର୍ମେଣ ହୋୟେକ କାମ

ଦେବଂକର ଉତ୍ତର ଇନ୍ଦ୍ର ତୋର ନାମ ।୧୨୭।

ପଞ୍ଚଦଶ କୋଟି ଅନନ୍ତ କୋଟି ରେଖା

ପଞ୍ଚବିଂଶ ପ୍ରକୃତିର ଅଟୁ ତୁ ଦେବ ସାଖା ।୧୨୮।

ତେ ତହୁଂ ବିତ୍ରକେ ଆନକେ କରିବ ଲେଖା

ତୁହି ସେ ଜଗତ ଶୟଳ ପୂରାଅ ମନୋବାଞ୍ଛା ।୧୨୯।

ସ୍ୱାମୀ ମାତାର ଅବିକାରେ ସୋଦର ଶିର କାଟି

ଜଗୁଜନ ମୋହିନୀ ଅମର ବିଳାସୁଣୀ ଚଉଷଠୀ କୋଟି ।୧୩୦।

ମହାନାଗ ଆରୋହଣ କଳ୍ପ ପୁଷ୍ୟମାଳୀ

ବ୍ରହ୍ମାଣ୍ଡର ନାଥ ସ୍ୱାମୀ ଜୟ ତୁ ଆଖଣ୍ଡଳି ।୧୩୧।

ସ୍ୱାମୀ ଦିନକର ସଙ୍ଗେ ହରିଲୁ ଋଷିପତ୍ନୀ

ସେ ଅଣ୍ଡ ଛାଡିଣ ଶରୀରେ ହୋଇଲା ସସ୍ରଯୋନି ।୧୩୨।

ସ୍ୱାମୀ ଚଉଷଠୀ କୋଟି ନାୟେକା ଅମର ବିଳାସୁଣୀ

ଅନିର୍ଯ୍ୟାପ କ୍ରୀଡାୟେ ଅନିର୍ଯ୍ୟାପ ରମଣୀ ।୧୩୩।

ସ୍ୱାମୀ ଜମ୍ବୁଦତ୍ୟକୁ ମାରି କଉଣୋପ ଦର୍ପଭଞ୍ଜା

ଗଜରାଜ ଆରୋହଣ ଆରମ୍ଭ ମହାତେଜା ।୧୩୪।

ସ୍ୱାମୀ ଦିବି ଭୁବନ ନାୟେକ ଇନ୍ଦ୍ର ଯେ ଦେବତା

ତୁହି ସେ ଚରାଚର ପାଳନ୍ତା ଉଦ୍ଧାରନ୍ତା ।୧୩୫।

ଶରଣ ଜନ ସୁଦୃଦ ଦୁର୍ଜନ ବଳଗଞ୍ଜା

ସୁର ସିଦ୍ଧ ନାଗ ଲୋକେ ତୁହି ସେ ଦେବାଧିଦେବ ରାଜା ।୧୩୬।

ଶ୍ରୀଇନ୍ଦ୍ରଦେବତାର ଚରଣ ତଳେ ସେବି

ବଦୟନ୍ତି ଶୂଦ୍ରମୁନି ସାରୋଳଦାସ କବି ।୧୩୭।

Image

 

ଯୁଧିଷ୍ଠିରଙ୍କର ଧର୍ମ ପରୀକ୍ଷା ଓ ସ୍ୱଶରୀରେ ସ୍ୱର୍ଗଗମନ

 

ୟେଥୁ ଅନନ୍ତରେ ବିଲଂକ ଦେଶ ରାଜା

ଅଗସ୍ତିଂକ ପଦ୍ମପାଦେ କଲା ଦିବ୍ୟପୂଜା ।୧।

ବସନ କୁଣ୍ଡଳ ଚନ୍ଦନ ପୁଷ୍ୟମାଳା ଦେଇ

ଶତ ସହସ୍ର ଦଣ୍ଡ ପ୍ରଳମ୍ବ ହୋଇ ଶୋଇ ।୨।

ଶୁଣିମା ମୁନି ହେ ଯୁଝେଷ୍ଠି ଦେବଂକର ସ୍ୱର୍ଗାରୋହଣ କଥା

କିସ ପ୍ରତିଉତ୍ତର ଦିଲେ ଇନ୍ଦ୍ର ଯେ ଦେବତା ।୩।

ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତି

ଯୁଝେଷ୍ଠିଂକି କୋଳ କରି ଧଇଲେ ସୁରପତି ।୪।

ବାବୁରେ ପିତା ଆଗ୍ୟାଂ ଦିଲେ ତୁ ଯିବାରେ ଆକାଶ

ପୁଷ୍ୟେକ ବିମାନେ ବସି ବେଗେ ଯିବା ଆସ ।୫।

ତ୍ରିଦଶ ଦେବତାୟେ ଯେ ବସିଛନ୍ତି ସ୍ୱର୍ଗେ

ତୋତେ ବାଟ ଚାହିଂଛନ୍ତି ଚାଲ ଯିବା ବେଗେ ।୬।

ଯୁଝେଷ୍ଠି ବୋଇଲେ ନାଶକଲି ମୁଂ ସୋଦର

ୟେକା ହୋଇ କେମନ୍ତେ ଯିବଇଂ ଅମର ।୭।

ଇନ୍ଦ୍ର ବୋଇଲେ ବାବୁ ତୋହେର ସୋଦାର ଚାରି ଭ୍ରାଥେ

ଦେବ ସଭାୟେ ବସିଛନ୍ତି ସକୁଟୁମ୍ବେ ଶ୍ରୀକୃଷ୍ଣ ସହିତେ ।୮।

 

 

ପୁଷ୍ୟେକ ବିବାନେ ବିଜେ କରିବା ବିଳମ୍ବ ନକର ତୁହି

ତୋହୋର ଯିବାକୁ ସେ ଅଛନ୍ତି ବାଟ ଚାହିଂ ।୯।

ଇନ୍ଦ୍ର ଦେବତା ବଚନେ ଯୁଝେଷ୍ଠି ଉଠିଲେ ଧାତିକାରେ

ଶୁକ୍ଳାମ୍ବର ଶ୍ୱାନକୁ ଧଇଲେ କୋଳରେ ।୧୦।

ଇନ୍ଦ୍ରଦେବତା ବୋଇଲା ୟେ ଦେଖୁ ଦେଖୁଂ ଶ୍ୱାନ

ଯେତେକ ବସ୍ରେ ଛୁଇଂ ତେତେ ବସ୍ରେ ସ୍ରାହାନ ।୧୧।

ଯାତ୍ରା ଯୋଗେ ବୋଇଲେ ଅଯାତ୍ରା ହୋଅଇ

ପାଦରଜ ପଡନ୍ତେଣ ଅବେଳକେ ଆଷ୍ୟ ତୁଟଇ ।୧୨।

ଯୁଝେଷ୍ଠି ଦେବଂକ ମନ ବିଡିବା ନିମନ୍ତେ

ଜାଣିମାନା ଧର୍ମ ଅଛଇ ୟେହାଂକର କେତେ ।୧୩।

ଇନ୍ଦ୍ର ଜାଣଇ ସେ ଶ୍ୱାନ ଅଟଇ ଧର୍ମଦେବତା

ଧର୍ମର କଷଣ ନିମନ୍ତେ ୟେସନେକ କଥା ।୧୪।

ଯୁଝେଷ୍ଠି ଦେବଂକ ମନ ବିଡିବା ନିମନ୍ତକୁ

ଅନେକ ଭ୍ରଚ୍ଛନାମାନ ଇନ୍ଦ୍ର ବୋଇଲା ଶ୍ୱାନକୁ ।୧୫।

ୟେହି ସେ ଦେବ ବିବାନ ଦେଖ ହୋ ଯୁଝେଷ୍ଠି

ଶ୍ୱାନ ପାମର ଯିବ କେସନେକ ଉଠି ।୧୬।

ଯୁଝେଷ୍ଠି ବୋଇଲେ ଦେବ ଶୁଣିମା ମଘବାନ

ବଡାଇ ମହତ୍ତ୍ୱ ୟେ ଅଟଇ ଦେବ ଶ୍ୱାନ ।୧୭।

ଅନେକ ସୋଦର ଥିଲେ ମୋହୋର ସେ ସାହା

ଶେଷକାଳେ କେହି ନୋହିଲେ ମୋର ବାହା ।୧୮।

ୟେ ଶ୍ୱାନ ଗୋଟି ମୋର ରକ୍ଷା କଲା ଧର୍ମ

ମୋହୋରେ ସଦୟା ଥିଲେ ବିବାନେ ୟେହାକଇଂ ନେମ ।୧୯।

ବିବାନେ ନ ବସାଇବ ହୋ ଯେବେ ଦେବ ତାତ

ମୋତେ କିମ୍ପା ସ୍ୱର୍ଗ ହୋଇବ ପରାପତ ।୨୦।

ୟେତେ ବୋଲି ଶ୍ୱାନକୁ ଧଇଲେ ବେନି ଭୁଜେ

ଦେବ ବିବାନ ଉପରେ ଯୁଝେଷ୍ଠି ଦେବ ବିଜେ ।୨୧।

ଇନ୍ଦ୍ରଦେବତା ଯୁଝେଷ୍ଠିଂକି କଲେ ଅନେକ ପ୍ରଶଂସା

ସଦା ସଦୟେ ତୋହୋର ବାବୁ ୟେସନେକ ମନୀକ୍ଷା ।୨୨।

ସତ୍ୟ ପଣେ ସଂସାର ତୁ ଜିଣିଲୁ ସମସ୍ତ

ପାଷାଣେ ନଲାଗଇ ଯେହ୍ନେ ଜଳଂକର ଘାତ ।୨୩।

ଅଭେଦ ସ୍ନେହରେ ଯେହ୍ନେ ନଭେଦଇ ଶର

ଅନେକ ହତ୍ୟା ଦୋଷ ହୋଇଲା ଦୂରାନ୍ତର ।୨୪।

ଶ୍ରୀକୃଷ୍ଣ ଯେ ଭୂପତିତ ହୋଇଲେ ମେଦିନୀ

ସ୍ୱକାୟେ ସ୍ୱର୍ଗକୁ ଯାଇ ନୁଆରିଲେ ଦେହ ଘେନି ।୨୫।

ଇନ୍ଦ୍ର ଦେବତା ବୋଇଲେ ଶୁଣ ହୋ ଯୁଝେଷ୍ଠି

ଚିହ୍ନିକି ନୁଆରିଲ ୟେହି ଶ୍ୱାନ ଗୋଟି ।୨୬।

ଯୁଝେଷ୍ଠି ବୋଇଲେ ୟେ ମୋହୋର ଚର୍ମ ଚଛୁ

ଅନ୍ତର୍ଯ୍ୟାମୀ ନୋହଇ କେହ୍ନେ ଗ୍ୟାନ ଇଛୁ ।୨୭।

ଇନ୍ଦ୍ର ବୋଇଲେ ଯୁଝେଷ୍ଠି ଯାହାକଇଂ ସୁମରିଲେ ତୋହୋର ମାତ

ନିରାକାର ପୁରୁଷ ୟେ ସେ ଧର୍ମ ଦଇବତ ।୨୮।

ଶୂନ୍ୟମାର୍ଗେ ଶବଦ ଶୁଭଇ ଯାହାର

ଚିହ୍ନ ବର୍ଣ୍ଣ ନଦିଶଇ ୟେ ପ୍ରତକ୍ଷେ ନିରାକାର ।୨୯।

ଆଦିହୁଂ ଶୂନ୍ୟ ହୋୟେ ଶୂନ୍ୟରୁ ପବନ

ପବନହୁଂ ଜଳ ଜଳହୁଂ ତାପନ ।୩୦।

ତାପନହୁଂ ହେମ ହେମରୁ ବୁଦବୁଦ

ବୁଦବୁଦରୁ ଫେନ ହୋଇଲା ସମ୍ପାଦ ।୩୧।

ପବନ ମନ୍ଥନୁ ଫେଣ ଜାତ ଅଣ୍ଡ

ଡିମ୍ବ ଫୁଟିକରି ବିକାଶିଲା ପିଣ୍ଡ ।୩୨।

ଶୁଦ୍ଧ ସଷ୍ଟିକ ପ୍ରାୟେ ଯାହାର ରୂପଗୋଟି

ୟେ ସେ ଧର୍ମଦେବତା ଶୁଣ ଗୋ ଯୁଝେଷ୍ଠି। ୩୩।

ସଞ୍ଚପି କରି ଯହୁଂ କହିଲେ ଦେବରାୟେ

ଶ୍ୱାନ ରୂପ ତେଜି ସେ ହୋଇଲେ ଅନ୍ତର୍ଧ୍ୟାୟେ ।୩୪।

ଶୂନ୍ୟେ ଥାଇ ଶବଦେକ ବିକାଶିଲେ ବାଣୀ

ବିବାନ ଆରୋହି ତୁମ୍ଭେ ଚଳ ୟେହିକ୍ଷଣି ।୩୫।

ଶୂନ୍ୟେ ଥାଇ ଶବଦ ଦିଅନ୍ତି ଦେବ ଧର୍ମ

ସତ୍ୟବାଦୀ ଯୁଝେଷ୍ଠି ତୁ ପୁରୁଷଂକ ଉତ୍ତମ ।୩୬।

ତୁ ହେମବନ୍ତ ପର୍ବତେ ହୋଇଲୁ ଆସି ଯହୁଂ ୟେକା

ତୁ ଦିଗମ୍ବର ହୋଇଲୁ ବାବୁରେ ତୋତେ କେହି ନାହିଂ ସାଖା ।୩୭।

ଆମ୍ଭେ ଶ୍ୱାନ ରୂପ ଧଇଲୁଂ ତୋର ଆଗେ

ବିବାନେ ବିଜେ କରି ବେଗେ ଯାଅ ଅମର ସ୍ୱର୍ଗେ ।୩୮।

ଭୀମସେନ ଅର୍ଜୁନ ନକୁଳ ସହଦେବ

ସେ ତୋତେ ନଦେଖିଣ ବିସ୍ମୟମତି ଭାବ ।୩୯।

ୟେ ଭବସାଗରେ ଉତପତି ପ୍ରଳୟେ ହୋଇ

ପୁଣିହିଂ ଜନମ ହୋଇବ ପଞ୍ଚୁଭାଇ ।୪୦।

ୟେତେକ ବୋଲି କରି ଚଳିଲେ ଗଗନେ ନିରାକାର

ତହୁଂ ବିବାନ ଘେନି ଚଳନ୍ତି ସୁନାଶିର ।୪୧।

ବାସବ ପୁତ୍ରମାନେ ଛନ୍ତି ଚଉଷଠି କୋଟି

ଉଦ୍ଦଣ୍ଡ ପାଟ ଛତ୍ର ଧଇଲେ ଛାମୁରେ ଯୁଝେଷ୍ଠି ।୪୨।

ଅମରଗଣମାନେ କରନ୍ତି ଶଙ୍ଖଧ୍ୱନି

ବେଦ ଅଧ୍ୟାୟ ନଯେ କରନ୍ତି ସର୍ବମୁନି ।୪୩।

ଅମର ବିଳାସୁଣୀମାନେ ଚଉଷଠି କୋଟି

ଦିବ୍ୟ ଅବତାରେ ସେ ଭର ହରଷେ ଖଟି ।୪୪।

ତାଳଯନ୍ତ୍ର କଂସାଳ ସପତ ସ୍ୱର ବାଣୀ

ଖଟନ୍ତି ଛାମୁରେ ତହିଂ ଭରହର ଗାୟେଣୀ ।୪୫।

ମର୍ଦ୍ଦଳ କଂସାଳମାନ ତାଳରବା ଅଧାଟି

ପିନାକୀ ସରଗୁଣା ଗଣପତି କୁଣ୍ଡଳ ପାଟି ।୪୬।

ଚଞ୍ଚପୁଟ ଚାଞ୍ଚପୁଟ ଘଟିତ ଉଦଘଟି

ୟେକବଂଶ ମୃଛନା ସପତ ସ୍ୱରେ ଖଟି ।୪୭।

ବିଜିଘୋଷ ବୀର ମୃଦଙ୍ଗ ଟମକ ଦୁନ୍ଦୁଭି

ଗମନ୍ତେ ଶୋଭାବନ ଦିଶିଲା ଦିବି ଭୁବି ।୪୮।

ଧର୍ମର ନନ୍ଦନ ଗମନ୍ତେ ସ୍ୱର୍ଗ ପନ୍ଥେ

ଜୟ ଜୟ ଧୁନି କରନ୍ତି ସକଳ ଦଇବତେ ।୪୯।

ଶ୍ରୀକରେ ବିଦ୍ୟାଧରୀ ଯେ ଘେନିଣ ଅର୍ଘ୍ୟଥାଳୀ

ସାନନ୍ଦେ ସୁନ୍ଦରୀୟେ ଦିଅନ୍ତି ହୁଳହୁଳି ।୫୦।

ଯାନ ବାହାନ ଆରୋହି ଦେବତା ତେତିଶ କୋଟି

ଆକାଶବାସୀ ବିହନ୍ତା ପୁରୁଷମାନେ ଦିଗପାଳେ କଲେ ପୁଷ୍ୟ ବୃଷ୍ଟି ।୫୧।

ଧର୍ମର ନନ୍ଦନ ଯେ ଗମନ୍ତେ ଶୋହି

ପ୍ରସନ୍ନ ଅବତାରେ ଜଗୁଜନ ମୋହଇ ।୫୨।

ଇନ୍ଦ୍ର ଦେବତା କଲେ ଆକାଶ ଉଚ୍ଛବ

ଅମର ସଭାୟେ ବିଜୟେ ଯୁଝେଷ୍ଠି ରାଜଦେବ ।୫୩।

ସମୁଦ୍ର ମନ୍ଥନ ଯେ କରିବାର କାଳେ

ଅମୃତ ଆପ୍ୟାନ ଯେହ୍ନେ ହରି ଦିଗପାଳେ ।୫୪।

ବିହନ୍ତା ପୁରୁଷମାନେ ଆକାଶେ ଗଲେ ଛାଡି

ବସିଲେ ଧର୍ମନନ୍ଦନ ଅମର ସ୍ୱର୍ଗ ମାଡି ।୫୫।

ୟେମନ୍ତ ସମୟେ ଭୀମ ଅର୍ଜୁନ ନକୁଳ ସହଦେବ

ଆସ୍ଥାନ ତଳେ ବିଜୟେ ଚାରି ଯେ ପାଣ୍ଡବ ।୫୬।

ଯଦ୍ୟପି ଅମରେ ସେ ପାଇଲେ ଦିବ୍ୟପୂଜା

ୟେକା ହୋଇ ବିସୋଇଲେ ଯୁଝେଷ୍ଠି ଦେବରାଜା ।୫୭।

ଭୀମ ଅର୍ଜୁନର ଯହୁଂ ଦେଖିଲେ ବଦନ

ନକୁଳ ସହଦେବଂକୁ ଦେଖି ହରଷିତ ମନ ।୫୮।

ଶୁଣ ବଇବସୁତ ମନୁ ଅଗସ୍ତି ବୋଇଲେ

ପୁଣ ଯୁଝେଷ୍ଠି ଦେବ ଦ୍ରିଯୋଧନକୁ ଦେଖିଲେ ।୫୯।

ଶତେଭ୍ରାଥାଂକ ସହ ମାନଗୋବିନ୍ଦ ବୀରେ

ପନ୍ନଗା ନାରାୟଣ ବସିଛି ସ୍ୱର୍ଗ ପୁରେ ।୬୦।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲେୟ ଯେ ଶଂକୁନି

ବସିଲେ ଅମରେ ଯେ ନକ୍ଷତ୍ରଗଣ ଘେନି ।୬୧।

ମହାଭାରଥ ଯୁଦ୍ଧେ ପଡିଲେ ଯେତେ ଜନ

ସତ ହେଉକି ନିସତ ହେଉ ପାଇଲେ ବୃନ୍ଦଅର୍କ ଭୁବନ ।୬୨।

କୃଷ୍ଣ ଯେ ସାରଥୀ ପଣେ ଥିଲେ ଅର୍ଜୁନର ରଥେ

ତାହାନ୍ତ ଦେଖି ସମସ୍ତେ ସର୍ଗ ପରପତେ ।୬୩।

ଋଣଯାଗ କଲେ ସେ ଶ୍ରୀକୃଷ୍ଣର ପରସାଦେ

ବ୍ରାହ୍ମଣ ହେଉ କି ଚଣ୍ଡାଳ ହେଉ ନକ୍ଷତ୍ର ହୋଇ ଭବେ ।୬୪।

ସଞ୍ଜୟେ ବିଦୁର ଲକ୍ଷ୍ମଣକୁମାର ଅଭିମନ୍ୟୁ

ପଞ୍ଚାଳ କୁମର ଘଟୋତ୍କଚ ଅଳମ୍ବୁଷର ତନୁ ।୬୫।

ବିରାଟ ଦ୍ରୋପଦ ଶଂଖ ଶ୍ୱେତ ଉତ୍ତର

ଶ୍ରୀଖଣ୍ଡି ଧୃଷ୍ଟଦ୍ୟୁମ୍ନ ଅନେକ ନୃପବର ।୬୬।

ଲୋହସୁର ଅଞ୍ଜନ ପ୍ରଭାବ ହିଡିମ୍ବେକ

ଲକ୍ଷେ ରାଜା ତୁଲେ କଉଣୋପ ଅନେକ ।୬୭।

ଗୋସିଂହ ମୟେ ମୟେସିଂହ ବସୁବର ମୟେନିକ

କୁମ୍ବ ନିକୁମ୍ବ ତୁଲେ ରାକ୍ଷସ ବଳ ୟେକ ।୬୮।

ଦନ୍ତବକ୍ର ଶିଶୁପାଳ ମଦନ ପୁଣ୍ଡରୀକ

ବଜ୍ରନାଭ ବାଣାସୁର ଦାସ ରାକ୍ଷକ ତାଠକ ।୬୯।

ମୋଢାସୁର ନାରକା ତ୍ରିକାଳ ବାସୁଦେବ

ଶତଧନୁକୁ ସେ ଦେଖିଲେ ଧର୍ମଦେବ ।୭୦।

ସମସ୍ତ ବଂଶ ଦେଖିଲେ ଧର୍ମ ବଚ୍ଛେ

ୟେକା ମାତ୍ର ଧୃତ୍ରରଷ୍ଟ୍ରକଇଂ ନେଦଖିଲେ ପ୍ରତକ୍ଷେ ।୭୧।

କୁରୁ ପାଣ୍ଡବ ସମର କଲେ ଯେତେ ଓହୋ ବଳ ସନ୍ୟ ଘେନି

ଲକ୍ଷେ ରାଜା ତୁଲେ ପଡିଲେ ଯେତେକ ସଇନି ।୭୨।

ମୃତୁ ମଣ୍ଡଳେ ଯେହ୍ନେ ହେଉଥିଲେ ଆତ ଯାତ

ସେହି ସରୂପରେ ସର୍ଗେ ବସିଲେସମସ୍ତ ।୭୩।

ଶୁଣହେ ସୁଗ୍ୟଂ ଜନେ ମହାଭାରଥ ପୁଣ୍ୟ ରାଶି

ପଢନ୍ତେ ଶୁଣନ୍ତେ ୟେହି ସରୂପେ ସ୍ୱର୍ଗବାସୀ ।୭୪।

ଶ୍ରୀମହାଭାରଥ ଅମୃତ ରସ ବାଣୀ

ତୃଷାରେ ରୋଚନ୍ତି ଯେହ୍ନେ ସୁଶୀତଳ ପାଣି ।୭୫।

କର୍ଣ୍ଣରେ ପିବନ୍ତେ ୟେ ନିର୍ମଳ ହୋୟେ କାୟେ

ପାପ କଳୁଷ ତ‌ଲେ ଯମକୁ କିମ୍ପା ଭୟେ ।୭୬।

ଯେବଣ ମହାଭାରଥ ଚାରି ବେଦର ଅର୍ଥ

ମୁଂ ତାହା ବଞ୍ଚାଇଲି ସୃଜନ ଜନହିତ ।୭୭।

ଯେବଣ ଜନେ ଶୁଣନ୍ତି ଶ୍ରୀମହାଭାରଥ ବାଣୀ

ପାପାଧି ମହାପାପ ଖଣ୍ଡନ୍ତି ଚକ୍ରପାଣି ।୭୮।

ଅପୁତ୍ରିକ ଜନେ ପାବନ୍ତି ପୁତ୍ରଗତି

ଅମୋକ୍ଷ ମୋକ୍ଷ ହୋନ୍ତି ପାବନ୍ତି ସଦଗତି ।୭୯।

ଧର୍ମ ଅର୍ଥ କାମ ମୋକ୍ଷ ଯାହାର ଯିସ ବାଞ୍ଛା

ଶ୍ରୀମହାଭାରଥ ଶୁଣି ପୂରାଅ ମନୀଷା ।୮୦।

ଆସ୍ୟ ଧନ ବର୍ଦ୍ଧୁତ ହୋଅଇ ଶୁଣିଲେ ଶୁଦ୍ଧ ଚିତ୍ତେ

ବିଷ୍ଣୁଲୋକେ ବସନ୍ତି ପୁରାଣ ଉକତେ ।୮୧।

ଜୟ ତୁ ନାରାୟଣ ସୃଷ୍ଟିର କରତା

ଯେବଣ ଜନେ ଶୁଣନ୍ତି ବିଷ୍ଣୁର ଭଗତା ।୮୨।

ଜୟ ତୁ ଦାମୋଦର କେଶବ ତୋର ନାମ

ଗଳିତ ସୁଧା ରସ ସଞ୍ଚିତ ଚଉଧର୍ମ ।୮୩।

ଖେଡ଼ କଉତୁକେ ନାଥ ଯମୁନାର ତଟେ

ସମସ୍ତ କଉତୁକ ବିଷ୍ଣୁ ରସ ଭେଟେ ।୮୪।

ଜୟ ତୁ ଦାମୋଦର କେଶବ ତୋର ନାମ

କେୟୂର କଂକଣ ୟେ ବିବିଧ ହାରମାନ ।୮୫।

କିଂଶୁକ ପୁଷ୍ୟ ଚୂଳ ବିଚିତ୍ର କୁସୁମରେ ଜଡ଼ି

ଚୂଳର ଚାରିପାଖେ ମୟୂର ଚନ୍ଦ୍ରିକା ବେଢି ।୮୬।

ଯାମଳା ଅର୍ଜୁନ ବେନି ଭାଙ୍ଗିଲୁ ଅବହେଳେ

ଶକଟାସୁର ଯେ ଭାଞ୍ଜିଲୁ ପାଦ ରୋଳେ ।୮୭।

ଗୋଗୋଷ୍ଠରେ ପଶି ଷଣ୍ଢାସୁର ଦର୍ପ ଗଞ୍ଜି

ବକା ବିଦାରିଣ ମୁଷ୍ଟିକାସୁର ଭଞ୍ଜି ।୮୮।

ଚାଣୁର ଅବା କଦମ୍ବା ଅସୁର ଦର୍ପ ଧ୍ଵସିଂ

ନୟନେ ଦେଖିଣ ନାଶ କଲା କଂସ କେଶୀ ।୮୯।

କମଳ ତୋଳନ୍ତେ ଯେ କାଳୀୟ ନାଗ ଦଳି

ବଇନେତ୍ର ପ୍ରାସାଦେ ବିଷ ଅଙ୍ଗୁ ହରି ।୯୦।

ଅକ୍ରୂରକୁ ନିଜଦେହ ଦେଖାଇଲ ଭଗତି

ପ୍ରସନ୍ନ ରୂପ ଦେଖି ପାଇଲା ପରମ ଗତି ।୯୧।

ଧନୁ ଉଚ୍ଛବରେ ଦେଖି ବାରେ ହୋଇଲା ତୋହର ଇଚ୍ଛା

ଜଗତୀରୁ ପଡ଼ିଣ ଯେ କଂସାସୁର ଗଲା ମୃଛା ।୯୨।

ଗୋସିଂହ ମୟେସିଂହ ବଜ୍ରସିଂହ ସଉନିକି

କୁମ୍ଭ ନିକୁମ୍ଭ ଯେ ମୟେସୁର ଦନ୍ତବକ୍ର ।୯୩।

ବଜ୍ରନାଭ କାଳଦମନ ପୁଣ୍ଡରିକ

ବାଣାସୁର ସୁରନାଭ ଦାସ ରାଜା ତାରାଖ୍ୟ ।୯୪।

ମୂଢାଶୁର ନାରକା ପ୍ରତ୍ୟକ୍ଷେ ଯେ ଜାରା

କୃତକେଶୀ ସହିତେ ଯେ ନାଶିଲା ଅସୁରା ।୯୫।

ଦୁର୍ଯ୍ୟୋଧନ ମୂଳେ ଲକ୍ଷେକ ରାଜା ନାଶି

ପୃଥୀର ଭାରାଭର ଆପଣେ ଉଶ୍ୱାସି ।୯୬।

ନିଜର ବଂଶ ସ୍ୱାମୀ ଆପଣେ ନାଶ କରି

ଖେଡ଼ଲୀଳା ଭାବିଣ ନୀଳଗିରି ବିଜେକରି ।୯୭।

ପରମ ଆତ୍ମା ନିରଞ୍ଜନ ଆପଣେ ଦେବ ଗୋପ୍ୟ

ପିଣ୍ଡ ଆତ୍ମା ନୀଳଗିରି ବଉଦ ଶରୀର ସରୂପ ।୯୮।

ହେ ବୁଧଜନେ ଯାବତ ପୁଣ୍ୟ ତାବତ ଭଜ ହରି

ମହାଘୋର ନର୍କରୁ ସେହି ସେ କରିବ ପାରି ।୯୯।

ଶ୍ରୀନାରାୟଣ ଦେବଂକ ଚରଣେ ଲୟେ ଘେନି

ବଦୟନ୍ତି ସାରୋଳାଦାସ ଗ୍ରନ୍ଥିକ ଶୂଦ୍ରମୁନି ।୧୦୦।

କୃପାଜଳ ନନ୍ଦିନୀ ଯେ ନର୍ମଦା ସରସ୍ୱତୀ

ପଚ୍ଛିମ କୋଶଳେ ଗୋ ହୋଇଲ ଉତପତ୍ତି। ୧୦୧।

ସଂସାର ସାଗର ଯେ କଳିକାଳ ଫାସି

ଯାହାର ନାମ ଧରନ୍ତେ ହରଇ ପାପରାଶି ।୧୦୨।

ଯେବଣ ମହାଭାରଥ ମୁନିଂକର ପୁଣ୍ୟ ବାକ୍ୟ

ତାହା ଲେଖନ କରିବାକୁ କିସ ମୋର ଶକ୍ୟ ।୧୦୩।

ନୋହୋଇ ପଣ୍ଡିତ ମୁଂ ନଜାଣଇ ଶାସ୍ରବିଦ୍ୟା

ଜନମେ ଜନମେମୂର୍ଖ ମୁହିଂ ନ ଜାଣଇ ପଦ ସିଦ୍ଧା ।୧୦୪।

ଜପମନ୍ତ୍ର ଶାସ୍ର ମୁଂ ନଜାଣଇ କିଛି

ୟେସନେକ ଆଗ୍ୟାଂ ମୋତେ ଦିଲେକ କାମାକ୍ଷୀ ।୧୦୫।

ହେ ବୁଧଜନେ ଜମ୍ବୋଦୀପେ ଭ୍ରଥଖଣ୍ଡ ଓଡ୍ରରାଷ୍ଟ୍ରମଣ୍ଡଳେ

ଠାବ କଣୟାବ୍ରତୀ ନଗ୍ର ଚନ୍ଦ୍ରଭାଗା ନଦୀ କୂଳେ ।୧୦୬।

ମହୋଦଧି ଉତ୍ତର ତଟେ ପ୍ରଶୁରାମଙ୍କ ପାଟଣା

ପ୍ରଶୁରାମ ପୂଜା କଲେ ଯେବଣ ପ୍ରତିମା ।୧୦୭।

ପ୍ରତକ୍ଷେ ଭବାନୀ ସେହି ଶ୍ରୀଚଣ୍ଡୀ ସାରଳେ

ସେ ମୋର ତୁଳସୀମାଳା ହୋଇ ଲୁଳୁ ବକ୍ଷସ୍ଥଳେ ।୧୦୮।

ହେ ପଣ୍ଡିତଜନେ ପ୍ରସନ୍ନ ହୋଇଲେ ପିଙ୍ଗଳା

ସେ ସର୍ବମଙ୍ଗଳା ହୃଦେ ମୋର ହାରା ।୧୦୯।

ମୁଂ ତାହାର ପୁତ୍ର ହୋଇ ସେ ମୋହୋର ମାତ

କର ଅନୁଗ୍ରହ ମତେ ତୁଳସାର କାନ୍ତ ।୧୧୦।

ସେହି ମାଳା ମୋହର ଗଳାରେ ଅଛି ଭରି

ଯେବର ନାମ ଧରି ସଂସାର ଜନେ ତରି ।୧୧୧।

ବାଳୁତ ରୂପ ମୁହିଂ ତାର ପ୍ରତକ୍ଷେ ଦେଖଇ

ସେ ଯାହା କହଇ ମୁଂ ତାହା ଲେଖଇ ।୧୧୨।

ସେ ସାରଳା ପ୍ରସନ୍ନେ ହୋଇଲା ମୋର ଗ୍ୟାନ

ଅଷ୍ଟାଦଶ ପର୍ବ ଗ୍ରନ୍ଥ କଲଇ ଲେଖନ ।୧୧୩।

ସାରଳାଚଣ୍ଡୀ ଚରଣେ ମୋହୋର ହୋୟେ ସେବା

ସାରୋଳାଦାସକୁ ଅନୁଗୃହ କରିବା ।୧୧୪।

ସିଦ୍ଧସାରଳା ଚଣ୍ଡୀ ଚରଣେ ଅଭ୍ୟାସ

ସେବଇ ଶୂଦ୍ରମୁନି ସାରୋଳ ନିଜ ଦାସ ।୧୧୫।

ଅଷ୍ଟାଦଶ ପୁରାଣ ଯେ ହୋଇଲା ସଂପୂର୍ଣ୍ଣ

ପଢିଲେ ଶୁଣିଲେ ଯେ ହୋଅଇ ବହୁତ ପୁଣ୍ୟ ।୧୧୬।

Image

 

ପରିଶିଷ୍ଟ

 

‘ଛ’ ପୋଥି ପାଠ (ତତ୍‌ ସଙ୍ଗେ ସଙ୍ଗେ ଝ, ଡ, କ, ଥ, ଣ, ଟ, ଠ – ପୋଥିରେଅଛି)

 

ୟେଥୁ ଅନନ୍ତରେ ବିଲଙ୍କା ଦେଶ ରାଜା

ଅଗସ୍ତିଂକ ଚରଣେ କଲା ପାଦପୂଜା ।୧।

ବସନ କୁଣ୍ଡଳ ରତ୍ନମାଳ ଫୁଲ ଚନ୍ଦନ ଦେଇ

ଶତେ ସହସ୍ର ଦଣ୍ଡ ପ୍ରଳମ୍ବିତ ହୋଇ ।୨।

ମୁନିୟେ ଶୁଣିମା ପାଣ୍ଡବଂକ ସ୍ୱର୍ଗ ଆରୋହଣ କଥା

କେବଣ ପ୍ରକାରେ ଗଲେ ପଞ୍ଚୁ ମହାରଥା ।୩।

ୟେହା ମୋତେ ସଞ୍ଚପି କହିବା ମହାମୁନି

ତେବେ ସେ ଜାଣିବି ମୁଂ ତୁମ୍ଭର ବଚନେ ଶୁଣି ।୪।

ବଦନ୍ତି ଅଗସ୍ତି ଶୁଣ ହୋ ମହୀପାଳେ

ତହୁଂ ଯାଇ ପାଣ୍ଡବେ ମିଳିଲେ ସରଜୂ ନଦୀତୀରେ ।୫।

ସହଦେବ କହିଲେ ଯୁଝେଷ୍ଠିଂକ ଆଗେ

ଶୁଣିମା ହେଉ ଦେବ ୟେଥିର ପ୍ରସ୍ତାବେ ।୬।

ୟେ ଠାବକୁ ହେମବନ୍ତ ବିଶାଶତେ ଯୋଜନ

ମହା ହେମ ପଡ଼ଇ ମହୀ ଅବିଚ୍ଛନ୍ନ ।୭।

ଶୁଣିଣ ବିସ୍ମୟେ ଯେ ଯୁଝେଷ୍ଠି ମହାରାଜେ

ଭାଇନ୍ତ ଘେନିଣ ଦେବ ହେମବନ୍ତଙ୍କୁ କରିଣ ବିଜେ ।୮।

ଘୋଳ ମନ୍ଥାନରୁ ଯେହ୍ନେ ବାହାର ହୋୟେ ଫେନ

ସେହିମତି ପ୍ରାୟେ ହୋୟେମହୀ ଯେ ଉଦଯାନ ।୯।

ଚାଲନ୍ତେଣ ଚରଣ ମିଳାୟେ ହାଡ଼ ମାଂସ

ଦ୍ରୋପତୀ ବୋଇଲେ ୟେଣେ ଅଛଇ କାର୍ଯ୍ୟ କିସ ।୧୦।

ୟେହିଠାରୁ ଦେବ ଚାଲ ବାହୁଡ଼ିଣ ଯିବା

ୟେଡ଼େ ପ୍ରମୋଦ ବନେ କିମ୍ପାଇ ପଶିବା ।୧୧।

ନାନା ତୀର୍ଥ କରି ବାହୁଡ଼ିଣ ଯିବା ଚାଲ

ହେମ ଲାଗିଣ ତନୁ ହୋଇଲା ଅଥିର ।୧୨।

ଦ୍ରୋପତୀ ବାକ୍ୟ ଶୁଣି ଯୁଝେଷ୍ଠି ବୋଲନ୍ତି

ହେମବନ୍ତ ପର୍ବତକୁ ଯିବା ମହାସ୍ୱତୀ ।୧୩।

ତହିଂକି ନିକଟ ସରଗ ଦେଖିବା ଦେବତାନ୍ତ

ଆମ୍ଭର ପଞ୍ଚଭୂତ ଆତ୍ମା ଠାକୁର ଜଗନ୍ନାଥ ।୧୪।

ସେ ଯେବେ ପ୍ରାଣ ବିସର୍ଜନ ଆମ୍ଭର କିସ ବ୍ରତିବା

ୟେ ହେମବନ୍ତ ପର୍ବତେ ପ୍ରାଣ ବିସର୍ଜିବା ।୧୫।

କଳିଯୁଗ ଘଟି ବର୍ଦ୍ଧୁତ ପାପମାନ

ଆମ୍ଭ ଜୀବନେ ଆବର କିସ ପ୍ରୟୋଜନ ।୧୬।

ଅଥବା ମର୍ତ୍ତ୍ୟେ ଗଲେ ଅର୍ଜିବା ପାପମାନ

ୟେମନ୍ତ କହି ଦେବ କରନ୍ତା ଗମନ ।୧୭।

ପବନହୁଂ ବେଗ ଯେ ଚଳନ୍ତି ଯୁଝେଷ୍ଠି

ହେମବନ୍ତ ପରବତ ଉପରକୁ ଉଠି ।୧୮।

ସୁମରନ୍ତି ଭଗବାନ ବିଷ୍ଣୁ ଯେ ଦେବତା

ତୁହି ସେ କାରଣ ନାଥ ଅନ୍ୟ ନାହିଂ ରଖନ୍ତା ।୧୯।

କ୍ଷୁଧାରେ ଦ୍ରୋପତୀ ପର୍ବତକୁ ନୁଆରିଲେ ଉଠି

ତହୁଂ ବୋଇଲେ ଦେବ ଶୁଣିମା ଯୁଝେଷ୍ଠି ।୨୦।

କ୍ଷୁଧା ପିପାସେ ମୁଂ ଚାଲିତ ନୁଆରଇ

ଆଜକ ରହିବା ୟେଥେ କାଲି ଯିବା ଗୋସାଇଂ ।୨୧।

ଯୁଝେଷ୍ଠି ବୋଇଲେ ଅନ୍ୟ କିସ କାର୍ଯ୍ୟ ଆସ

ପୁଣ୍ୟ ଭୁବନେ ୟେଥେ କରିବା ଉପବାସ ।୨୨।

ପ୍ରାଣ ଯେବେ ଆମ୍ଭର କରିବାନା ତ୍ୟାଗ

ଆବର ଶରୀରକୁ କିସ ଦେବା ଭୋଗ ।୨୩।

ଆସ ଆସବୋଲି ରାୟେଦ୍ରୋପତୀକୁ ଗଲେ ଛାଡ଼ି

ପଦ ଝୁ ଣ୍ଟିଦ୍ରୋପତୀ ଗଲେ ମୁହଂମାଡ଼ି ।୨୪।

ସ୍ୱାମୀ ରଖ ରଖ ବୋଲି ପଡ଼ିଲେକସତୀ

କୋଳ କରି ତାଂକୁ ଯେ ଧଇଲେ ମାରୁତି ।୨୫।

ଭୀମ ଡ଼ାକ ଦିଅଇ ରାୟେ ବାହୁଡ଼ିଣ ଆସ

ପ୍ରାଣର ଭାବେନୀ ତୁମ୍ଭର ହେଉଅଛି ପ୍ରାଣେ ନାଶ ।୨୬।

ବୋଲନ୍ତି ଦ୍ରୋପତୀକି ଛାଡ଼ ଛାଡ଼ ଭୀମ

ଯେ ଯାହା ଅରଜଇ ସେ ନିୟତ ତାର କର୍ମ ।୨୭।

ଆସ ଆସ ଭୀମ ଛାଡ଼ ତାକୁ କୋଳ

ମାୟା ମୋହ ବନ୍ଧନ ନୋହଇ ୟେତେ ବେଳ ।୨୮।

ଶୁଣିଣ ଭୀମସେନ ବୋଲଇ ଦୁଖମନ

ୟେତେ ନିପ୍ରୋହି କିମ୍ପେ ହୋଇଲେ ଧର୍ମନାନ ।୨୯।

ମହା ଭୂତ ପଣେ ସେ ତୋତେ କଲେ ସେବା

ନିଷ୍କଳଂକ ନି‌ର୍ଦ୍ଦୋଷୀ ୟେ ୟେହାକୁ କେମନ୍ତେ ମୃଛିବା ।୩୦।

ସ୍ୱାମୀ କୋଟିୟେ ତୀର୍ଥ ଘେନି ବ୍ୟାସ ମହଋଷି

ମହାଅନଳ ଭେଦୀ ଯାହାର ରୂପ ଦିଶି ।୩୧।

ସ୍ୱାମୀ ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ଅଟଇ ଯାର ଭାଇ

ଅନେକ ସମ୍ଭରେ ଆମ୍ଭନ୍ତ ଦିଲା ନରସାଇଂ ।୩୨।

ସ୍ୱାମୀ ୟେକା ତିରୀକେ ସହିଲା ପଞ୍ଚ ଭ୍ରାଥଂକ ଆର୍ଦ୍ଦୋଳି

ୟେହାକଇଂ ଛାଡ଼ିଯିବାକୁ କେହେନେକେ ସତ ବଳି ।୩୩।

ସ୍ୱାମୀ ମନସିଜ ଚାମର ଜାଣି ଏହାର କେଶ

ଲୁବୁଧେ ମଧୁକର ନଛାଡ଼ନ୍ତି ପାଶ ।୩୪।

Image